ଫୁଲବାଣୀ, ଅଗଷ୍ଟ ୨୭(ଲୋକାଲ ୱାୟାର): କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ବହୁ ବ୍ୟାଙ୍କ କର୍ମଚାରୀ କରୋନା ପଜିଟିଭ୍ ବାହାରିବା ପରେ ଅନେକ ବ୍ୟାଙ୍କ ସିଲ୍ କରାଯାଇଥିବା ସ୍ଥାନୀୟ ପ୍ରଶାସନ କହିଛି ।
ଗୁରୁବାର ଦିନ ଜିଲ୍ଲାର ତୁମୁଡ଼ିବନ୍ଧସ୍ଥିତ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ସମସ୍ତ କର୍ମଚାରୀ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଛି ।
ତେଣୁ ସମ୍ପୂର୍ଣ୍ଣ ବ୍ୟାଙ୍କକୁ ସିଲ୍ କରାଯାଇଛି । ବ୍ୟାଙ୍କର ସମସ୍ତ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଇଛି ।
ପୂର୍ବରୁ ଫୁଲବାଣୀ, ଜି.ଉଦୟଗିରି, କୋଟଗଡ଼, ଦାରିଙ୍ଗିବାଡ଼ି ଏବଂ ଖଜୁରିଆପଦାରେ କର୍ମଚାରୀମାନେ ପଜିଟିଭ୍ ବାହାରିବାରୁ ବ୍ୟାଙ୍କ ଗୁଡ଼ିକୁ ୭ ଦିନ ପାଇଁ ସିଲ୍ କରିଦିଆଯାଇଥିଲା ।
ବ୍ୟାଙ୍କ ସେବା ଏକ ଅତ୍ୟାବଶ୍ୟକ ସେବା ହୋଇଥିବା ବେଳେ ଏବେ ତାହା ବନ୍ଦ ଥିବାରୁ ଲୋକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି ।
ଉଲ୍ଲେଖଯୋଗ୍ୟ, ଜିଲ୍ଲାରେ ଗୁରୁବାର ପୁଣି ୫୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦୬୪ରେ ପହଞ୍ଚିଛି ।
ଜିଲ୍ଲାରେ ଏ ପର୍ଯ୍ୟନ୍ତ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୬୧୨ ଜଣ ସୁସ୍ଥ ହୋଇଛନ୍ତି । ଏବେ ୪୪୫ ଜଣ ଆକ୍ଟିଭ୍ ରୋଗୀ ଚିକିତ୍ସାଧୀନ ଅଛନ୍ତି ।
ଲୋକାଲ ୱାୟାର
Leave a Reply