କଟକ,ଏପ୍ରିଲ ୩୦ (ଲୋକାଲ ୱାୟାର) : ଯାଜପୁର ଜିଲ୍ଲାରୁ ୩ କରୋନା ଆକ୍ରାନ୍ତଙ୍କୁ ନେଇ ଭୁବନେଶ୍ୱରର ସମ କୋଭିଡ ହସ୍ପିଟାଲକୁ ଆସୁଥିବା ଏକ ଆମ୍ବୁଲାନ୍ସ ଭାରସାମ୍ୟ ହରାଇ ଗୁରୁବାର ରାତିରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ପୁଲିସ କହିଛି ।
ଏଥିରେ ଆମ୍ବୁଲାନ୍ସ ଚାଳକ ଓ କର୍ମଚାରୀ ଗୁରୁତର ଆହତ ହୋଇଥିବା ବେଳେ ତିନି ରୋଗୀ ସାମାନ୍ୟ ଆହତ ହୋଇଛନ୍ତି ।
ରାତିପ୍ରାୟ ୧୦ଟା ସମୟରେ ଯାଜପୁରରୁ ତିନିଜଣ କରୋନା ଆକ୍ରାନ୍ତଙ୍କୁ ଧରି (ଓଡି ୦୨ ଟି-୨୫୦୩) ନମ୍ବର ଆମ୍ବୁଲାନ୍ସଟି ଭୁବନେଶ୍ୱରସ୍ଥିତ ଏକ ହସ୍ପିଟାଲକୁ ଯାଉଥିଲା ।
ଓଏମପି ଓଭର ବ୍ରିଜ ଉପରେ ଜେକେବିକେ କଲେଜ ନିକଟରେ ହଠାତ ଗାଡିଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା ।
ଖବର ପାଇ ଚାଉଳିଆଗଞ୍ଜ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ଚାଳକ ଓ କର୍ମଚାରୀଙ୍କୁ ଉଦ୍ଧାର କରି ବଡମେଡିକାଲ ପଠାଇଥିଲା ।
ଆମ୍ବୁଲନ୍ସ ମଧ୍ୟରେ ଥିବା ଯାଜପୁରର ଏକ ପରିବାରର ଆକ୍ରାନ୍ତ ବାପା, ମା ଓ ପୁଅ ରହିଥିବା ଜଣାପଡିଛି ।
ପରେ ୩ ଆକ୍ରାନ୍ତଙ୍କୁ କଡା ସୁରକ୍ଷା ବଳୟରେ ଅନ୍ୟ ଏକ ଆମ୍ବୁଲାନ୍ସରେ ଭୁବନେଶ୍ୱର ନିଆଯାଇଛି ।
ଲୋକାଲ ୱାୟାର
Leave a Reply