ଭଦ୍ରକ, ଅକ୍ଟୋବର ୧୫ (ଲୋକାଲ ୱାୟାର) : ମହାମାରୀ କରୋନା ଆଗରେ ହାର ମାନି ନାହାନ୍ତି ଭଦ୍ରକ ସହରର ୧୩ନଂ ୱାର୍ଡ ଅପର୍ତ୍ତିବିନ୍ଧା କୁମ୍ଭାରସାହି ନିବାସୀ ସଂଜୟ ରଣା ।

କରୋନା ଯୋଗୁଁ ସଂଜୟଙ୍କ ମୂର୍ତ୍ତି କାରିଗରୀ ପେସା ବିଶେଷ ଭାବେ ପ୍ରଭାବିତ ହୋଇଥିବା ବେଳେ ଆର୍ଥିକ ସ୍ଥିତ ମଧ୍ୟ ଦୋହଲି ଯାଇଥିଲା ।

ହେଲେ ଏଥିରେ ସେ ଭାଙ୍ଗି ନ ପଡ଼ି ନିଜ ପାଇଁ ସ୍ୱତନ୍ତ୍ର ରାସ୍ତାଟିଏ ତିଆରି କରିବାରେ ସଫଳ ହୋଇଛନ୍ତି ।

ସେ ଏବେ ୱାଟରଫଲ୍ ନିର୍ମାଣ କରି କୌଳିକ ବୃତ୍ତିର ମାନ ବୃଦ୍ଧି କରିଛନ୍ତି ।

୪୦ ବର୍ଷୀୟ ସଂଜୟ ଯୁକ୍ତ ତିନି ପର୍ଯ୍ୟନ୍ତ ପାଠ ପଢିଛନ୍ତି ।

ପାଠପଢା ସାରିବା ପରେ ନିଜ ବାପଗୋସାପ ଅମଳରୁ ଚାଲିଆସୁଥିବା ମୂର୍ତ୍ତି କାରିଗରୀ ପେସାକୁ ସେ ନିଜ ଜୀବିକା ଭାବେ ଗ୍ରହଣ କରିଆସୁଥିଲେ ।

କେବଳ ସଂଜୟ ନୁହଁନ୍ତି ତାଙ୍କ ଅନ୍ୟ ଦୁଇ ଭାଇ ମଧ୍ୟ ଏହି ପେଶା ରହିଛନ୍ତି । ତାଙ୍କ ବାଡଭାଇ ବିଜୟ ମୂର୍ତ୍ତି କାରିଗର ଥିବା ବେଳେ ମଝିଆ ଭାଇ ଅଜୟ ମଧ୍ୟ ସେହି କାର୍ଯ୍ୟ କରନ୍ତି ।

ତିନି ଭାଇଙ୍କ ଏହି ପେସାରୁ ରୋଜଗାର ହେଉଥିବା ଟଙ୍କାରେ ପରିବାରରେ ୧୫ ଜଣଙ୍କର ପ୍ରତିପୋଷଣ ହୋଇଥାଏ ।

ମାତ୍ର ଏବେ ମହାମାରୀ କରୋନା ତାଙ୍କ କାରିଗରୀ କଳାକୁ ବିଶେଷ ଭାବେ ପ୍ରଭାବିତ କରିଛି ।

ପାର୍ବଣ ଋତୁ ଆସିଥିଲେ ମଧ୍ୟ କରୋନା କଟକଣା ଯୋଗୁଁ ଚଳିତ ବର୍ଷ ଆଗଭଳି ଆଉ ମୂର୍ତ୍ତି ନିର୍ମାଣ ହେଉ ନାହିଁ ।

ଏହି ସମୟରେ ପରିବାରର ଆର୍ଥିକ ସ୍ଥି୍‌ତି ଭାଙ୍ଗି ପଡୁଥିବା ବେଳେ ସଂଜୟ ଆଉ ମୂର୍ତ୍ତି ନିର୍ମାଣ ନ କରି ପରିବାର ପ୍ରତିପୋଷଣ ପାଇଁ ୱାଟରଫଲ୍ ଭଳି କୁଟୀର ଶିଳ୍ପ ନିର୍ମାଣକୁ ବାଛି ନେଇଛନ୍ତି ।

ସହରର ମୁଖ୍ୟଛକ କୁହାଯାଉଥିବା ଅପର୍ତ୍ତିବିନ୍ଧା ଷ୍ଟେଟବ୍ୟାଙ୍କ ଶ୍ରୀ ସତ୍ୟସାଇ ଶିକ୍ଷାନୁଷ୍ଠାନ ନିକଟ ରାସ୍ତାପାଶ୍ୱର୍ରେ ପାଲଟିଏ ଟାଙ୍ଗି ସିମେଣ୍ଟ, ବାଲି , ଚିପ୍ସ ଓ ରଙ୍ଗତୂଳିକୁ ନେଇ ତିଆରି କରିଚାଲିଛନ୍ତି ବିଭିନ୍ନ ରଙ୍ଗବେରଙ୍ଗୀ ୱାଟର ଫଲ୍।

ବଜାରରେ ମିଳୁଥିବା ବିଦ୍ୟୁତ ମୋଟର ସହାୟତାରେ ସେ ଏଗୁଡିକୁ ଏଭଳି ଭାବେ ସଜାଉଛନ୍ତି ଯେ ରାସ୍ତାରେ ଯାଉଥିବା ଲୋକ କିଛି କ୍ଷଣ ଠିଆ ହୋଇ ତାହା ଦେଖୁଛନ୍ତି ।

ଏନେଇ ସଂଜୟ କହିଛନ୍ତି ଯେ, କରୋନା ସେମାନଙ୍କ କୌଳିକ ବୃତ୍ତିରେ ଅଂକୁଶ ଲଗାଇଛି ।

ହେଲେ ଏବେ ମଧ୍ୟ କୋଠାବାଡି ତିଆରି କାମ ଚାଲିଥିବାରୁ ତାଙ୍କ ଦ୍ୱାରା ନିର୍ମିତ ଏହି ୱାଟର ଫଲ୍ କିଣିବା ପାଇଁ ଲୋକେ ଆଗ୍ରହ ପ୍ରକାଶ କରିଛନ୍ତି ।

ରଙ୍ଗବେରଙ୍ଗୀ ୱାଟରଫଲ ଇତିମଧ୍ୟରେ କିଛି ବିକ୍ରି ହୋଇଥିବା ସେ କହିଛନ୍ତି । ଆଗକୁ ଏହାର ଚାହିଦା ବଢିବ ବୋଲି ସେ ଆଶା ରଖିଛନ୍ତି ।

ଲୋକାଲ ୱାୟାର