ଭୁବନେଶ୍ୱର, ମାର୍ଚ୍ଚ ୧୬(ଲୋକାଲ ୱାୟାର): ନୋଭାଲ କରୋନା ଭାଇରସ ସଂକ୍ରମଣଜନିତ ସ୍ଥିତିକୁ ରୋକିବାକୁ ରାଜ୍ୟ ସରକାର ସୋମବାର କେତେକ ଘୋଷଣା କରିଛନ୍ତି ।
ଘୋଷଣା ଅନୁସାରେ ମାର୍ଚ୍ଚ ୪ ତାରିଖ ପରେ ବିଦେଶରୁ ରାଜ୍ୟକୁ ଆସିଥିବା କିମ୍ବା ଆସିବାକୁ ଚାହୁଁଥିବା ବ୍ୟକ୍ତିମାନେ ସରକାରଙ୍କ ପାଖରେ ନାମ ପଂଜିକରଣ କରିବା ବାଧ୍ୟତାମୂଳକ କରାଯାଇଛି ।
ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, କରୋନା ସଚେତନତା କାର୍ଯ୍ୟକ୍ରମର ମୁଖପାତ୍ର ସୁବ୍ରତ ବାଗଚୀ ପ୍ରମୁଖ ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତିି, ମାର୍ଚ୍ଚ ୪ ପରେ ବିଦେଶରୁ ଆସିଥିବା କିମ୍ବା ଆଗକୁ କେହି ବିଦେଶରୁ ଆସୁଥିଲେ ଟୋଲ୍-ଫ୍ରି ନମ୍ବର ୧୦୪କୁ ଫୋନ୍ କରି ନାମ ପଂଜିକରଣ କରନ୍ତୁ ।
ଅନଲାଇନ ପୋର୍ଟାଲ https://covid19.odisha.gov.in ରେ ମଧ୍ୟ ସେମାନେ ନାମ ପଂଜିକରଣ କରିପାରିବେ ।
ଓଡ଼ିଶାରେ ପହଞ୍ଚିବାର ୨୪ ଘଣ୍ଟା ମଧ୍ୟରେ ନାମ ପଂଜିକରଣ କରିବା ବାଧ୍ୟତାମୂଳକ । ତେବେ ଆସିବା ପୂର୍ବରୁ ମଧ୍ୟ ନାମ ପଂଜିକରଣ କରିବାକୁ ସ୍ୱାଗତ କରାଯିବ ।
ଏହା ପରେ ସେମାନେ ହୋମ୍ ଆଇସୋଲେସନରେ ୧୪ ଦିନ ପର୍ଯ୍ୟନ୍ତ ରହିବେ । ଏଥିପାଇଁ ସେମାନଙ୍କୁ ୧୫ ହଜାର ଟଙ୍କା ପ୍ରଦାନ କରାଯିବ ।
ହୋମ୍ ଆଇସୋଲେସନ ସମୟରେ ସେମାନଙ୍କ ଉପରେ ସ୍ୱାସ୍ଥ୍ୟ ବିଭାଗ ନଜର ରଖିବା ସହ ଆବଶ୍ୟକ ପରାମର୍ଶ ଦେବ ଏବଂ ପ୍ରତ୍ୟେକ ଦିନ ନିର୍ଦ୍ଧାରିତ ସଂଖ୍ୟକ ଫୋନ୍ କଲ୍ କରାଯିବ ।
ଅପରପକ୍ଷରେ ଯେଉଁମାନେ ମାର୍ଚ୍ଚ ୪ ପରେ ଇତି ମଧ୍ୟରେ ରାଜ୍ୟକୁ ବିଦେଶରୁ ଆସିଛନ୍ତି ସେମାନଙ୍କୁ ନାମ ପଂଜିକରଣ ପାଇଁ ଆସନ୍ତାକାଲି ସକାଳ ୬ଟାରୁ ୧୯ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ସମୟ ଦିଆଯାଇଛି ।
ଏହା ମଧ୍ୟରେ ସେମାନେ ନାମ ପଂଜିକରଣ ନ କଲେ ସେମାନଙ୍କୁ ଖୋଜି ବାହାର କରାଯିବ ଏବଂ ଫୌଜଦାରୀ ମାମଲା ରୁଜୁ କରାଯିବ ।
ଯେ କେହି ସେମାନଙ୍କ ସମ୍ପର୍କୀୟ କିମ୍ବା ବନ୍ଧୁମାନଙ୍କ ଜରିଆରେ ମଧ୍ୟ ନାମ ପଂଜିକରଣ କରିପାରିବ ।
ରାଜ୍ୟ ସରକାରଙ୍କ ଏହି ବ୍ୟବସ୍ଥା ଆସନ୍ତା ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ଜାରି ରହିବ ଏବଂ ଆବଶ୍ୟକ ପଡ଼ିଲେ ତାହା ବୃଦ୍ଧି କରାଯିବ ବୋଲି ସୂଚନା ଦିଆଯାଇଛି ।
ଲୋକାଲ ୱାୟାର
Leave a Reply