ଭୁବନେଶ୍ୱର, ମେ ୪(ଲୋକାଲ ୱାୟାର): ଗତବର୍ଷ କରୋନା କାଳରେ ଶହ ଶହ ପ୍ରବାସୀଙ୍କୁ ଉଦ୍ଧାର କରି ସେମାନଙ୍କ ମୁହଁରେ ହସ ଫୁଟାଇ ରିଲରୁ ରିଅଲ୍ ନାୟକ ପାଲଟି ଯାଇଥିବା ଓଲିଉଡ ଚକୋଲେଟ୍ ବୟ ସବ୍ୟସାଚୀ ମିଶ୍ର ଏଥର ପୁଣି ମୈଦାନକୁ ଓହ୍ଲାଇଛନ୍ତି ।

କରୋନର ଦ୍ୱିତୀୟ ଲହରରେ କରୋନା ବିରୋଧରେ ଲଢ଼ିବା ପାଇଁ ସେ ଗଢ଼ିଛନ୍ତି ସ୍ମାଇଲ୍ ଫୋର୍ସ ।

ସ୍ମାଇଲ୍ ପ୍ଲିଜ୍ ଭଳି ଅନୁଷ୍ଠାନର ବ୍ରାଣ୍ଡ୍ ଆମ୍ବାସଡର ଥିବା ସବ୍ୟସାଚୀ ଏବେ ସ୍ମାଇଲ୍ ଫୋର୍ସଙ୍କୁ ନେଇ କରୋନା ଯୁଦ୍ଧ ପାର ହେବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି ।

ଏ ସମ୍ପର୍କରେ ସବ୍ୟସାଚୀ କହିଛନ୍ତି, ମୁଁ ଜାଣିନି ଏ ଯୁଦ୍ଧର ଅନ୍ତ କେବେ । କିନ୍ତୁ ଦୃଢ଼ ନିଶ୍ଚିତ ଆମେ ଜିତିବା ।

ଏହି ଫୋର୍ସର କାମ କେବଳ ଲୋକଙ୍କ ମଧ୍ୟରେ ଖୁସି ବାଣ୍ଟିବା । ସେଥିପାଇଁ ଏ ଅଭିଯାନ ଆରମ୍ଭ ହୋଇଛି । ସେଥିପାଇଁ ଏକ ଫର୍ମ ରହିଛି ।

ଯେଉଁମାନେ ଇଚ୍ଛୁକ, ଯାହା ପାଖରେ ସମୟ ଅଛି ସେମାନେ ଏଥିରେ ସାମିଲ ହୋଇପାରିବେ ।

ଏଥିପାଇଁ ଫି’ ଦେଇ ସଦସ୍ୟ ହେବାକୁ ପଡ଼ିବନି, କେବଳ ପରିଶ୍ରମ ଓ ନିଷ୍ଠାର ସହ କାମ କରିବାକୁ ହେବ ।

ଏନେଇ ସବ୍ୟସାଚୀ ଏକ ଭିଡିଓ ସେୟାର କରିବା ସହ ଫର୍ମର ଲିଙ୍କ୍ ଦେଇ ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି ।

ସେଥିରେ ଲେଖିଛନ୍ତି, ଆମେ ବଞ୍ଚିଛେ ମାନେ କାହାକୁ ବଞ୍ଚାଇବା ଆମ ଦାୟିତ୍ୱ । ଯଦି ଆପଣଙ୍କ ମନରେ ସେବା ଭାବ ଅଛି ତେବେ ଏବେହିଁ ଆଗେଇ ଆସନ୍ତୁ ।

ଏଇ ସମୟ ଆଉ ଆସିବନି, ଆଉ ଏଇ କଷ୍ଟ ସମୟକୁ ହରେଇବା ପାଇଁ ଆମକୁ ଏକାଠି ହେବାକୁ ହେବ ।

ଏହା ପୂର୍ବରୁ ସବ୍ୟସାଚୀ କରୋନରେ ପୀଡ଼ିତ ଥିବା ଲୋକଙ୍କ ପାଇଁ ଏକ ଫର୍ମ କରି ପୋଷ୍ଟ କରିଥିଲେ ।

କହିଥିଲେ ଯାହାର ଯାହା ଅସୁବିଧା ଅଛି ସେଥିରେ ଜଣାନ୍ତୁ । ଏହାପରେ ହଜାର ହଜାର ଲୋକ ନିଜ ଦୁଃଖ ଜଣାଇଥିଲେ ।

ଏବେ ସ୍ମାଇଲ୍ ଫୋର୍ସରେ ରାଜ୍ୟ ଓ ରାଜ୍ୟ ବାହାରେ ପ୍ରାୟ ୧୦ହଜାରରୁ ଅଧିକ ଲୋକ ଯୋଡ଼ି ହୋଇ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ।

ଲୋକାଲ ୱାୟାର