କେନ୍ଦ୍ରାପଡ଼ା, ଜୁଲାଇ ୨୭(ଲୋକାଲ ୱାୟାର): କରୋନା ଯୋଗୁଁ ଉପକୂଳବର୍ତ୍ତୀ କେନ୍ଦ୍ରାପଡ଼ା ଜିଲ୍ଲାର ମହୁ ଚାଷୀମାନେ ବ୍ୟାପକ କ୍ଷୟକ୍ଷତିର ସମ୍ମୁଖୀନ ହେଉଛନ୍ତି ।

ମହୁ ବାକ୍ସରୁ ମହୁ ସଂଗ୍ରହ କଲା ପରେ ଚାଷୀମାନେ ଏହାକୁ ବାହାର ବଜାରରେ ବିକ୍ରି କରିଥାନ୍ତି । ଯାହାକି ସେମାନଙ୍କ ଜୀବନ ଜୀବିକାର ଏକମାତ୍ର ଆଧାର ।

ମାତ୍ର ଲକଡାଉନ୍ ଓ ସଟ୍ ଡାଉନ୍ ଯୋଗୁଁ ଏବେ ଜିଲ୍ଲାର ହଜାର ହଜାର ମହୁ ଚାଷୀ ନିଜ ଉତ୍ପାଦିତ ମହୁକୁ ବାହାର ବଜାରରେ ବିକ୍ରି କରି ପାରୁନାହାନ୍ତି ।

ଏ ବାଦରେ ମାର୍ଶାଘାଇ ବ୍ଲକ୍ ସିଳିପୁର ଗାଁର ମହୁ ଚାଷୀ ରଜନୀକାନ୍ତ ଦାସ (୪୦) କହନ୍ତି ମୁଁ ମୋ ବାଡ଼ିରେ ୧୫ଟି ମହୁ ବାକ୍ସ ଲଗାଇଥିଲି ।

ଗତ ମାସରେ ମୁଁ ପାଖାପାଖି ୩୦ କିଲୋ ମହୁ ସଂଗ୍ରହ କରିଛି । ମାତ୍ର ଏସବୁକୁ ବିକ୍ରି କରିବା ସମ୍ଭବ ହୋଇ ପାରୁନି ।

ଲକଡାଉନ୍ ଓ ସଟ୍ ଡାଉନ୍ ଯୋଗୁଁ ମୁଁ ଭୁବନେଶ୍ୱର, କଟକ ଓ ରାଜ୍ୟର ଅନ୍ୟ ଜିଲ୍ଲାକୁ ମହୁ ପଠାଇ ପାରୁନି ।

ସାଧାରଣତଃ ଏହି ସମୟ ମହୁ ଉତ୍ପାଦନର ପ୍ରକୃଷ୍ଟ ସମୟ ହୋଇଥିଲା ବେଳେ କରୋନା ଯୋଗୁଁ ଆମ ଗୋଡ଼ରେ ବେଡ଼ି ପଡ଼ିଛି ।

ଚାଷୀ ଶ୍ରୀ ଦାସ ଆହୁରି ମଧ୍ୟ କହନ୍ତି ଯେ ମହୁ ଚାଷ କରି ପ୍ରତିବର୍ଷ ମୁଁ ଏକ ଲକ୍ଷରୁ ଅଧିକ ଟଙ୍କା ଆୟ କରିଥାଏ ।

ମାତ୍ର କରୋନା ଯୋଗୁଁ ଏବେ ସବୁ ବନ୍ଦ ପଡିଛି । ରଜନୀକାନ୍ତଙ୍କ ଭଳି ଏବେ ଜିଲ୍ଲାର ୧୦୦୦ରୁ ଅଧିକ ମହୁଚାଷୀ ସମାନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ବାଲିସାହି ଅଞ୍ଚଳର ମହୁ ଚାଷୀ ହେମନ୍ତ କୁମାର ବେହେରା କହିଛନ୍ତି, ମୁମ୍ବାଇ ସ୍ଥିତ ରିଲାଏନ୍ସ କମ୍ପାନୀରେ ମୁଁ ଚାକିରି କରୁଥିଲି ।

୨୦୧୭ ମସିହାରେ ଚାକିରି ଛାଡ଼ି ଗାଁକୁ ପଳାଇ ଆସିଲି । ସେବେଠାରୁ ଗାଁକୁ ଆସି ମହୁଚାଷ କରୁଛି ।

ମହୁ ଚାଷରୁ ଭଲ ଦି ପଇସା ଆୟ ହେଉଥିଲା । ହେଲେ କରୋନା ଯୋଗୁଁ ଏବେ ସବୁ ବନ୍ଦ ପଡ଼ିଛି ।

ମହୁ ଚାଷ ପାଇଁ ଏହି ସମୟ ପ୍ରକୃଷ୍ଟ ସମୟ ହୋଇଥିବା ବେଳେ ଏହି ସମୟରେ ମହୁ ବ୍ୟବସାୟୀ ଓ ଟ୍ରେଡର୍ସମାନେ ଚାଷୀଙ୍କଠାରୁ ମହୁ କିଣିବା ଆରମ୍ଭ କରିଥାନ୍ତି ।

ମାତ୍ର ଏ ବର୍ଷ ଲକଡାଉନ୍ ଯୋଗୁଁ ମହୁ ବିକିବା ପାଇଁ ବ୍ୟବସାୟୀ ମିଳୁନାହାନ୍ତି । କେବଳ ସେତିକି ନୁହେଁ ଜିଲ୍ଲା ବାହାରକୁ ମହୁ ପଠାଇବା ମଧ୍ୟ ସମ୍ଭବପର ହୋଇପାରୁନି ।

ଈଶ୍ୱରପୁର ଅଞ୍ଚଳର ମହୁ ଚାଷୀ ନାରାୟଣ ସାହୁ କହିଛନ୍ତି, ଚଳିତ ବର୍ଷ ଆମ ପାଇଁ ଏକ କଷ୍ଟକର ସମୟ ।

ଗତମାସ ଆମେ ବ୍ୟବସାୟୀଙ୍କ ମହୁ ବିକ୍ରି କରିବା ପାଇଁ ମହୁ ବାକ୍ସରୁ ମହୁ ସଂଗ୍ରହ କରିଥିଲୁ ।

ହେଲେ ବ୍ୟବସାୟୀ ମିଳିଲେନି । ଏହି ସମୟରେ ସରକାର ମଧ୍ୟ ବ୍ୟବସାୟୀଙ୍କୁ ଚାଷୀଙ୍କ ପାଖକୁ ଯାଇ ମହୁ ସଂଗ୍ରହ କରିବାକୁ ଅନୁମତି ଦେଉନାହାନ୍ତି । ତାଛଡ଼ା ଏହ ସମ୍ଭବ ବି ନୁହେଁ ।

ଈଶ୍ୱରପୁର ଅଞ୍ଚଳର ମନ୍ଦିରା ମଣ୍ଡଳ ମଧ୍ୟ ସମାନ କଥା ଦୋହରାଇଛନ୍ତି । ସେ କହନ୍ତି ସବୁଠିକ୍ ଥିଲା ।

ହେଲେ କରୋନା ସବୁ ସାରିଦେଲା । ଏବେ ଲକଡାଉନ୍ ଯୋଗୁଁ ସବୁ ବନ୍ଦ । ତେଣୁ ଆମ ପାଇଁ କିଛି କରିବା ସମ୍ଭବ ପର ନୁହେଁ ।

ରାମାନଗର ଗାଁର ଜନାର୍ଦ୍ଦନ ହାଲଦାର କହନ୍ତି ପ୍ରତିବର୍ଷ ମେ’ ରୁ ଜୁଲାଇ ମାସ ମଧ୍ୟରେ ବ୍ୟବସାୟୀ ଓ ଟ୍ରେଡର୍ସମାନେ ଆମଠାରୁ ମହୁ କ୍ରୟ କରିଥାନ୍ତି ।

ଜଣେ ମହୁଚାଷୀ ବର୍ଷକୁ ନିଜ ମହୁ ବାକ୍ସରୁ ୮ ତଣ ମହୁ ସଂଗ୍ରହ କରିଥାନ୍ତି । ଏବେ କରୋନା କଟକଣା ଯୋଗୁଁ ଟ୍ରେଡର୍ସମାନେ ଗାଁକୁ ଆସିବା ବନ୍ଦ କରି ଦେଇଛନ୍ତି ।

ତେଣୁ ମହୁ ବିକ୍ରି ହୋଇପାରୁନି । ତେଣୁ ଚିନ୍ତାରେ ଚାଷୀ । କେବଳ ସେତିକି ନୁହେଁ ସ୍ଥାନୀୟ ବଜାରରେ ମହୁର ଚାହିଦା କମିଯାଇଥିବାରୁ ଏହାର ଦାମ୍ ବି କମିଯାଇଛି ।

ପୂର୍ବରୁ ମହୁ କିଲୋପ୍ରତି ୬୦୦ ଟଙ୍କାଥିବା ବେଳେ ଏବେ ୨୫୦ରୁ ୩୦୦ ଟଙ୍କାକୁ ଖସି ଆସିଛି ।

ମହୁ ଚାଷ ଗାଁରେ ଅଧିକାଂଶ ଲୋକଙ୍କ ଜୀବନ ଜୀବିକାକୁ ପରିବର୍ତ୍ତନ କରିଦେଇଥିବା ବେଳେ ଏବେ କରୋନା ସେମାନଙ୍କୁ ପୁଣିଥରେ ରାଜରାସ୍ତାକୁ ନେଇ ଆସିଛି ।

ଏ ବାବଦରେ ଓୟୁଏଟିର ପ୍ରଫେସର ଚିତ୍ତରଞ୍ଜନ ଶତପଥୀ କହନ୍ତି ରାଜ୍ୟରେ ପାଖାପାଖି ୧୬ ହଜାର ଚାଷୀ ମହୁ ଚାଷ କରିଥାନ୍ତି ।

ଏହା ଏକ ଲାଭକରୀ ଫସଲ । ମାତ୍ର କରୋନା ଯୋଗୁଁ ଏବେ ପରିସ୍ଥିତି ଭଲ ନାହିଁ । ଆଶା କରୁଛୁ ଶୀଘ୍ର ସମସ୍ତଙ୍କୁ ଲାଭ ମିଳୁ ।

ଲୋକାଲ ୱାୟାର