ଭୁବନେଶ୍ୱର, ଜୁଲାଇ ୮ (ଲୋକାଲ ୱାୟାର) : କରୋନା ସଂକ୍ରମଣରୁ ନିଜକୁ ଓ ନିଜ ପରିବାରର ସୁରକ୍ଷା ପାଇଁ ଲୋକମାନେ ଘରୁ ବାହାରକୁ ପାଦ କାଢୁ ନ ଥିବା ବେଳେ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନବାଡି, ଆଶା କର୍ମୀ ଓ ପୁଲିସ ଆଦି କର୍ମଚାରୀ ଓ ସ୍ଵେଚ୍ଛାସେବୀ ଆଦି ଯୋଦ୍ଧା ମାନେ ନିଜ କର୍ମକୁ ପ୍ରାଥମିକତା ଦେଇ ଲୋକଙ୍କ ନିକଟରେ ସୁରକ୍ଷା କବଚ ଭାବେ ଛିଡା ହୋଇଛନ୍ତି ।
ଏହି ପ୍ରକ୍ରିୟାରେ କେହି କେହି ନିଜର ଆତ୍ମୀୟ ସ୍ଵଜନଙ୍କୁ ହରାଇ ଥିବା ବେଳେ କାହାର ପ୍ରାଣ ଯାଇଛି। ଜାଣନ୍ତୁ ଏପରି କିଛି ମହିଳା କରୋନ ଯୋଦ୍ଧାଙ୍କ ନିଜ କଥା ।
ଝିଅକୁ ହରାଇ ହାରିନାହାନ୍ତି ଗୌରୀ :
କରୋନା ସମୟରେ ଗୌରୀଙ୍କ ଉପରେ ଦୁନିଆର ସବୁଠାରୁ ବଡ ଦୁଃଖ ମାଡି ବସିଥିଲା । ପୁରୀ ଜିଲ୍ଲା ପିପିଲି ଥାନାରେ କାମ କରୁଥିବା ହୋମ ଗାର୍ଡ ଗୌରୀ ବେହେରା ।
ମହାମାରୀ ଡ୍ୟୁଟି କରୁଥିବା ବେଳେ ଅଷ୍ଟମ ଶ୍ରେଣୀରେ ପଢୁଥିବା ନିଜର ଏକମାତ୍ର ଝିଅ ଲୋପାମୁଦ୍ରା ହରାଇଥିଲେ ।
୨୦୨୦ ଅପ୍ରେଲ ୧୫ ତାରିଖ ଅପରାହ୍ନରେ ପିପିଲି ବଜାରରେ ଡ୍ୟୁଟିରେ ବ୍ୟସ୍ତଥାନ୍ତି ଗୌରୀ ।
ପନିପରିବା ମାର୍କେଟ୍ ଓ ମାଛହାଟରେ କିଭଳି ଲୋକେ ସାମାଜିକ ଦୂରତା ବଜାୟ ରଖିବେ, ତାହା ସୁନିଶ୍ଚିତ କରୁଥାନ୍ତି ।
ଏହି ସମୟରେ ଝିଅର ମୃତ୍ୟୁ ଖବର ପାଇ ସେ କିଛି ସମୟ ପାଇଁ ସ୍ଥାଣୁ ପାଲଟିଯାଇଥିଲେ ।
ଜଣେ ମା’ ହୋଇ ଝିଅର ମୃତ୍ୟୁ ଖବର କେମିତି ବା ସହିପାରିଥାନ୍ତେ ! ଏପଟେ ନିଜର କର୍ତ୍ତବ୍ୟ, ଆଉ ସେପଟେ ରୋଗିଣା ଝିଅ ।
ସେ କିନ୍ତୁ ନିଜ କାର୍ଯ୍ୟକୁ ପ୍ରାଥମିକତା ଦେଇ ୟୁନିଫର୍ମ ପିନ୍ଧି କରୋନା ମୁକାବିଲା ପାଇଁ ଠିଆ ହୋଇଥିଲେ ।
ସେ କହିଛନ୍ତି, “ବର୍ଦି ପିନ୍ଧି ମୁଁ ସବୁବେଳେ ଭଲ କାମ କରିଆସିଛି । ପରିବାରର ଅଭାବ ଅନଟନ ଓ ସମସ୍ୟା ମୋ ଡ୍ୟୁଟିକୁ ପ୍ରଭାବିତ କରିପାରିନାହିଁ ।
ମୋର ବଡ ସମ୍ପଦ ଝିଅକୁ ହରାଇଲି । କିନ୍ତୁ ସେହି ଝିଅ ମୋତେ ସମସ୍ତଙ୍କ ପାଖରେ ପରିଚିତ କରାଇଦେଲା ।”
ଜଣେ ମହିଳା ଭାବେ ମଧ୍ୟ ତାଙ୍କୁ କମ୍ ସଂଘର୍ଷ କରିବାକୁ ପଡିନି । ଏହି ଘଟଣା ପରେ ତାଙ୍କର ସବୁ କାହାଣୀ ସାମ୍ନାକୁ ଆସିଥିଲା ।
ବିବାହର କିଛି ବର୍ଷ ପରେ ତାଙ୍କ ସ୍ୱାମୀ ତାଙ୍କୁ ଛାଡିଦେଇଥିଲେ । ଛୋଟ ଝିଅ ଓ ବୁଢା ବାପାମାଙ୍କୁ ନେଇ ତାଙ୍କର ସଂସାର ।
ହୋମଗାର୍ଡମାନଙ୍କର ଭୂମିକା ଓ କାର୍ଯ୍ଯ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ମଧ୍ୟ ସେମାନଙ୍କ ଦରମା ଅଧିକ ନୁହେଁ ।
ନିଜର କ୍ୟାନସର ପିଡୀତା ଝିଅର ଚିକିତ୍ସା ଓ ଘର ଖର୍ଚ୍ଚ ପରେ ତାଙ୍କ ପାଖରେ ଅର୍ଥ ଅଭାବ ଦେଖାଦିଏ । ଏବେ ବି ଚାଳ ଛପର ଓ ପଲିଥିନ୍ ବନ୍ଧା ଘରେ ରହୁଛନ୍ତି ।
ସରକାରଙ୍କ ଅଧିନରେ କାମ କରୁଥିବାରୁ କୌଣସି ସରକାରୀ ସାହାଯ୍ୟ ଓ ସୁବିଧା ମିଳିନାହିଁ ।
କରୋନା ସମୟରେ ମଧ୍ୟ ସେମାନଙ୍କୁ କିଛି ଅତିରିକ୍ତ ସହୟତା ମିଳିଲା ନାହିଁ ।
ଝିଅର ମୃତ୍ୟୁ ପରେ ତାଙ୍କ ପାଖକୁ କିଛି ସଂସ୍ଥା ଓ ପୁଲିସ୍ ବିଭାଗ ସହାୟତାର ହାତ ବଢାଇଥିଲେ ।
କିନ୍ତୁ ଝିଅର ଚିକିତ୍ସା ପାଇଁ ତାଙ୍କୁ କେବେ ବି ସହାୟତା ମିଳିନାହିଁ । ଝିଅକୁ ହରେଇବାର ପ୍ରାୟ ତିନିମାସ ହେଲାଣି ।
ଏବେ ବି ତାର ଫଟୋକୁ ଧରି ବାହୁନି ବାହୁନି କାନ୍ଧୁଛନ୍ତି ଗୌରୀ । କିନ୍ତୁ ଡ୍ୟୁଟିକୁ ଠିକ୍ ସମୟରେ ଯାଉଛନ୍ତି ଓ ପିପିଲି ବଜାରରେ କେତେବେଳେ ଟ୍ରାଫିକ ପୋଷ୍ଟ ସମ୍ଭାଳୁଛନ୍ତି ତ ଆଉ କେତେ ବେଳେ ଭିଡ ନିୟନ୍ତ୍ରଣ କରୁଛନ୍ତି ।
ସମସ୍ତଙ୍କ ଧାରଣା ମହିଳାମାନେ ଏଭଳି କଠିନ ପରିସ୍ଥିତିରେ ଶୀଘ୍ର ଭାଙ୍ଗି ପଡନ୍ତି । କିନ୍ତୁ ଏ ଧାରଣକୁ ସେ ଭୁଲ ପ୍ରମାଣିତ କରିଛନ୍ତି ।
ପ୍ରତିକୂଳ ପରିସ୍ଥିତି ଓ ପୁରୁଷର ସହାୟତା ବିନା ସେ ସବୁ ଆହ୍ୱାନକୁ ଗ୍ରହଣ କରିଛନ୍ତି ଓ ଆଗେଇ ଚାଲିଛନ୍ତି । କରୋନା ସମୟରେ ତାଙ୍କର ସାହସ ଓ ନିଷ୍ଠା ପାଇଁ ଖୋଦ୍ ପୁଲିସ୍ ଡିଜି ତାଙ୍କୁ ପ୍ରଶଂସା କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଅଭିନନ୍ଦନ ଜଣାଇଥିଲେ ।
ଗର୍ଭବତୀ ସମୟରେ ଡ୍ୟୁଟି :
କରୋନା ଲଢେଇରେ ଆଉ ଜଣ ଉଦାହରଣ ହେଉଛନ୍ତି ସମ୍ବଲପୁର ଟାଉନ୍ ଥାନାର ସବ ଇନସ୍ପେକ୍ଟର ଟେରେସା ଖେସ ।
ମାର୍ଚ୍ଚରେ ସେ ସାତ ମାସର ଗର୍ଭବତୀ ଥାଇ ମଧ୍ୟ ଛୁଟି ନନେଇ ଡ୍ୟୁଟି କରିଥିଲେ ।
ମଇ ମାସ ୫ ତାରିଖ ପର୍ଯ୍ୟନ୍ତ ସେ ଛୁଟି ନେଇ ନଥିଲେ । କାରଣ ଏହି ସମୟରେ ଥାନାରେ ତାଙ୍କର ଆବଶ୍ୟକତା ଥିଲା ।
ଥାନା ଅଧିକାରୀ ଓ ଅନ୍ୟ ଅଫିସରମାନେ ଲକଡାଉନ୍ ପାଇଁ ବାହାରେ ଡ୍ୟୁଟି କରୁଥିବାରୁ ଥାନାରେ ଜଣେ ଅଫିସର ରହିବା ଜରୁରୀ ଥିଲା । ଟେରେସାଙ୍କୁ ଏହି ଦାୟିତ୍ୱ ଦିଆଯାଇଥିଲା । ସେ ତାକୁ ସୂଚାରୁରୂପେ ତୁଲାଇଥିଲେ ।
ଘରେ ପାଂଚ ବର୍ଷର ଝିଅ ତନିସା ଓ ପେଟରେ ବଢୁଥିବା ସନ୍ତାନ ଉଭୟଙ୍କ ଯତ୍ନ ତାଙ୍କ ଉପରେ ଥିଲା ।
ସେ ଏହି ପ୍ରତିନିଧିଙ୍କୁ କହିଛନ୍ତି, “ଥାନାରେ କାମ କରିବାକୁ କେହି ବାଧ୍ୟ କରିନଥିଲେ ମଧ୍ୟ କରୋନା ପରିସ୍ଥିତିକୁ ଦେଖି ମୁଁ ଡ୍ୟୁଟି କରିବାକୁ ମନସ୍ଥ କରିଥିଲି । ସେତେବେଳେ ମୁଁ ଜଣେ ମା ଭାବେ ପିଲାଙ୍କ ଯତ୍ନ ନେଇପାରିଲି ନାହିଁ ।
କିନ୍ତୁ କରୋନା ସମୟରେ ସମସ୍ତେ ଘରେ ରହୁଥିଲା ବେଳେ ଆମେ କାମ କରିବା ହିଁ ମୋତେ ଖୁସୀ ଦେଉଥିଲା ।”
ତାଙ୍କର ଏହି କାମ ଯୋଗୁ ପୁଲିସ୍ ଡିଜି ସମ୍ବଲପୁର ଗସ୍ତ ସମୟରେ ତାଙ୍କୁ ଭେଟି ତାଙ୍କ କଥା ପଚାରି ବୁଝିବା ସହିତ ତାଙ୍କୁ ପ୍ରଶଂସା କରିଥିଲେ ।
ମେ ୨୮ ତାରିଖରେ ତାଙ୍କର ଦ୍ୱିତୀୟ ଝିଅ ଏ ଦୁନିଆକୁ ଆସିଛି । ଏବେ ପିଲାମାନଙ୍କୁ ଅଧିକ ସମୟ ଦେଉଛନ୍ତି । କିନ୍ତୁ ପୁଣି ଆଉ ପାଂଚ ମାସ ପରେ ନିଜ ଡ୍ୟୁଟିକୁ ଫେରିବାକୁ ପଡିବ ବୋଲି କୁହନ୍ତି ଟେରେସା ।
ସବୁ ସହିଛନ୍ତି ଗାଁର ଯୋଦ୍ଧା :
ଓଡିଶାର ଗାଁ ଗହଳିରେ କରୋନା ସମ୍ପର୍କରେ ସଚେତନତା ଓ ଏହାକୁ ରୋକିବା ଲାଗି ବିଭିନ୍ନ ସରକାରୀ ଯୋଜନାର କାର୍ଯ୍ୟକାରିତା କରିବା ଦିଗରେ ଅଙ୍ଗନବାଡି ଓ ଆଶା କର୍ମୀମାନେ ଆଗଧାଡିର ଯୋଦ୍ଧା ଭାବେ କାମ କରୁଛନ୍ତି ।
କିନ୍ତୁ ଏଥିପାଇଁ ସେମାନଙ୍କୁ ଅନେକ କିଛି ସହିବାକୁ ପଡିଛି । ଅନେକ ଏହି ଲଢେଇରେ ସେମାନଙ୍କର ଜୀବନ ମଧ୍ୟ ହରାଇଛନ୍ତି ।
ନୟାଗଡ ଜିଲ୍ଲା ବାଣିଗୋଛା ଥାନା ଅନ୍ତର୍ଗତ ଗେଲିଗେଣ୍ଡାର ଆଶା କର୍ମୀ ମାଧୁରୀ ନାୟକଙ୍କ ଉପରକୁ କିଛି ଲୋକ ପେଜ ଫୋପାଡି ବିରୋଧ କରିଥିଲେ ।
ସେ କରୋନା ନ ହେବାକୁ କଣ ସବୁ ପଦକ୍ଷେପ ନେବାକୁ ହେବ ତାହା ଘର ଘର ବୁଲି ବୁଝାଉଥିଲେ ।
ସେହିପରି ରଣପୁର ଥାନା ଅନ୍ତର୍ଗତ ବିନୋଦପଡାର ଆଶାକର୍ମୀ ନଳିନୀ ପ୍ରଧାନଙ୍କ ଉପରେ ଗତ ମଇ ୧୦ ତାରିଖରେ ଆକ୍ରମଣ ହୋଇଥିଲା ।
ଜଣେ ଭୁବନେଶ୍ୱର ଫେରନ୍ତାଙ୍କୁ ହୋମ୍ ଆଇସୋଲେସନ୍ ରେ ରହିବା ପାଇଁ ସେ ବୁଝାଉଥିଲେ ।
ଏହା ପରେ ତାଙ୍କୁ ସଂପୃକ୍ତ ପରିବାର ଲୋକେ ଆକ୍ରମଣ କରିଥିଲେ । ଆଗଧାଡିର ଏହି କର୍ମୀମାନେ ଗାଁର ସବୁ ସ୍ୱାସ୍ଥ୍ୟ ସମସ୍ୟା ସମାଧାନ କରିଛନ୍ତି ।
କିନ୍ତୁ କୋଭିଡ୍ ସମୟରେ ଏମାନଙ୍କ ପରାମର୍ଶ ଶୁଣିବାକୁ ଅନେକ ବ୍ୟକ୍ତି ମାନସିକ ପ୍ରସ୍ତୁତ ନୁହନ୍ତି ।
କାରଣ ଏବେ ବି ମହିଳାମାନଙ୍କ ପରାମର୍ଶ ଗ୍ରହଣ କରିବାକୁ ବହୁ ପୁରୁଷ ଓ ସାଂପ୍ରତିକ ସମାଜ କୁଣ୍ଠାବୋଧ କରୁଛନ୍ତି ।
ସେମାନଙ୍କ ମନରେ ଧାରଣା ଯେ ଜଣେ ମହିଳା ଆମକୁ କଣ ବୁଝାଇବ ? ଏହି ଧାରଣ ହିଁ ସେମାନଙ୍କ ମନରେ ଏହି ମହିଳା କର୍ମୀଙ୍କ ପ୍ରତି ଆକ୍ରୋଶ ସୃଷ୍ଟି କରୁଛି ।
ଗଂଜାମ ଜିଲ୍ଲାର ବୁଗୁଡା ବ୍ଲକର ଖୋଳଖାଳି ଗାଁର ଅଙ୍ଗନବାଡି କର୍ମୀ ଭାରତୀ ସ୍ୱାଇଁ କ୍ୱାରେଣ୍ଟାଇନ୍ କେନ୍ଦ୍ରରେ କାମ କରୁଥିଲେ ।
ଏହି ସମୟରେ ସେ ଅସୁସ୍ଥ ହୋଇ ପ୍ରାଣ ହରାଇଲେ । ଅନ୍ୟମାନଙ୍କ କଥା ବୁଝୁ ବୁଝୁ ସେ ନିଜ କଥା ଭୁଲିଯାଇଥିଲେ ।
ପୁରୀ ଜିଲ୍ଲା କଣାସ ବ୍ଲକର କାଙ୍କପୁର ଗାଁର ଅଙ୍ଗନବାଡି କର୍ମୀ ବାସନ୍ତୀ ସାମଲ(୩୫) ମଧ୍ୟ ଏହି କରୋନା ଡ୍ୟୁଟି କରି ପ୍ରାଣ ହରାଇଛନ୍ତି ।
ଦେଇପୁର ପଂଚାୟତ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସେ ନିୟୋଜିତ ଥିଲେ । ଘର ଘର ବୁଲି କରୋନା ସଚେତନତା ସହିତ ଗାଁ ପରିମଳ କାମ ମଧ୍ୟ ତୁଲାଉଥିଲେ ।
ଅସୁସ୍ଥ ହେବା ପରେ ତାଙ୍କୁ କୋଭିଡ୍ ପରୀକ୍ଷା ପାଇଁ ନିଆଯିବା ସମୟରେ ଜୁଲାଇ ୭ରେ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କର ୧୨ ବର୍ଷର ଗୋଟିଏ ଝିଅ ୧୧ ବର୍ଷର ଗୋଟିଏ ପୁଅ ଅଛି ।
ଏ ସବୁ କର୍ମୀମାନେ ଯେଉଁମାନେ ଅନ୍ୟମାନଙ୍କ ପାଇଁ ନିଜ ପରିବାର ଛାଡି ଦିନ ରାତି କରୋନା ମୁକାବିଲା ପାଇଁ ଲାଗିଛନ୍ତି, ତାଙ୍କ ପାଇଁ ସରକାର କୌଣସି ଅତିରିକ୍ତ ସହାୟତା ଦେଉନାହାନ୍ତି ।
ଏଭଳିକି ମୃତ କର୍ମଚାରୀଙ୍କ ପାଇଁ ସରକାର ଆର୍ଥିକ ସହାୟତା ଘୋଷଣା କରିଥିଲେ ମଧ୍ୟ ବିଭିନ୍ନ ଆଳ ଦେଖାଇ ଏମାନଙ୍କୁ ସାହାଯ୍ୟ ଦିଆଯାଉନାହି ।
ଆଉ ଏହା ଦ୍ୱାରା ବିଶେଷ ପ୍ରଭାବିତ ହେଉଛନ୍ତି ଆଶା ଓ ଅଙ୍ଗନବାଡି କର୍ମୀ ।
ସରକାର ଏ ଦିଗରେ ନିଶ୍ଚିତ ଧ୍ୟାନ ଦେବା ଦରକାର । ସେହିଭଳି କରୋନା ଡ୍ୟୁଟି କରି କିଛି ଶିକ୍ଷକ ମଧ୍ୟ କରୋନା ଲଢେଇରେ ପ୍ରାଣ ହରାଇଛନ୍ତି ।
କିନ୍ତୁ ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ଶିକ୍ଷକମାନଙ୍କୁ କରୋନା ଯୋଦ୍ଧା ବୋଲି ବିଧିବଦ୍ଧ ଭାବେ ଘୋଷଣା କରାଯାଇନାହିଁ ।
ଏହି କରୋନା ଯୋଦ୍ଧାମାନଙ୍କର କାହାଣୀ ସମସ୍ତଙ୍କୁ ପ୍ରେରଣା ଯୋଗାଉଛି ଓ ଆଗାମୀ ଦିନରେ ମଧ୍ୟ ଯୋଗାଇବ ।
(ଶ୍ରୀ ଅଖଣ୍ଡ ହେଉଛନ୍ତି ଜଣେ ଜଣାଶୁଣା ସାମ୍ବାଦିକ ଓ ସାମାଜିକ କର୍ମୀ । ।ଲୋକାଲ ୱାୟାର ପାଇଁ ଏହି ରିପୋର୍ଟ ପ୍ରସ୍ତୁତ କରିବା ପାଇଁ ସେ ଲାଡଲି ମେଡିଆ ଫେଲୋସିପ ପାଇଛନ୍ତି । ତେବେ ଏହା ଲେଖକଙ୍କ ସମ୍ପୂର୍ଣ ନିଜସ୍ଵ ଲେଖା ଓ ଏହି ମତ ସହ ଲାଡଲି ଓ ୟୁଏନଏପିର କୌଣସି ସମ୍ପର୍କ ନାହିଁ ।
ଲୋକାଲ ୱାୟାର
Leave a Reply