ଜଗତସିଂପୁର, ମାର୍ଚ୍ଚ ୩୦(ଲୋକାଲ ୱାୟାର):ଏଇ କିଛି ବର୍ଷ ହେବ ଦେଶକୁ କବଳିତ କରିଛି ମୋବାଇଲ୍ ଓ ଇଣ୍ଟରନେଟ୍ ।
ଯାହାକୁ ଦେଖ ହାତରେ ସ୍ମାର୍ଟଫୋନ୍ ଖଣ୍ଡେ ଧରି ସ୍ମାଟ୍ ହେବାର ବାହାବା ନେଉଥିଲେ ।
ଗ୍ରାମାଞ୍ଚଳର ଜନସାଧାରଣ ବେଶୀ ମାତ୍ରାରେ ଏହା ମାୟାରେ ପଡ଼ି କଲବଲ ହେଉଥିଲେ ।
ପରିସ୍ଥିତି ଏପରି ହୋଇଥିଲା ଯେ ପାରମ୍ପରିକ ଖେଳକୁ ଲୋକେ ସମ୍ପୂର୍ଣ୍ଣ ଭାବେ ଭୁଲି ଯାଇଥିଲେ ।
ହେଲେ କରୋନା ଭୟାବହତା ପୁଣି ଥରେ ସବୁ ଫେରାଇ ଦେଇଛି । ଟିଭି, ସିନେମା, ନାଚ, ଅପେରା ଆଦିକୁ ଭୁଲି ଏବେ ଲୋକେ ଘରେ ବସି ତାସ, ଲୁଡ଼ୁ, କ୍ୟାରମ ଖେଳି ସମୟ ଅତିବାହିତ କରୁଥିବାର ଦେଖିବାକୁ ମିଳୁଛି ।
କରୋନା ପାଇଁ ଦେଶ ସାରା ଲକ୍ ଡାଉନ୍ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଏହା କେବଳ ସହରବାସୀଙ୍କୁ ନୁହେଁ ବରଂ ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କୁ ମଧ୍ୟ ପ୍ରଭାବିତ କରିଛି ।
ଲକ୍ ଡାଉନ ପାଇଁ ଚାରିଆଡ଼େ ଦୋକାନ ବଜାର ବନ୍ଦ ରହିଛି । ତେଣୁ ଲୋକେ ଘର ଭିତରେ ରହିବାକୁ ବାଧ୍ୟ ହେଉଛନ୍ତି ।
ଅପରପକ୍ଷେ ଗ୍ରାମାଞ୍ଚଳର ପୁରୁଷ, ମହିଳା ସମସ୍ତେ ନିଜକୁ ସୁରକ୍ଷିତ ରଖିବା ପାଇଁ ଘରେ ରହିବାକୁ ପସନ୍ଦ କରୁଛନ୍ତି ।
ଘରେ ରହି ବୋର୍ ହେବା ପାଇଁ ସେମାନେ ବିକଳ୍ପ ଭାବେ କେବଳ ଟିଭିକୁ ବାଛି ନାହାଁନ୍ତି ।
ବରଂ ବିଭିନ୍ନ ପ୍ରକାର କାର୍ଯ୍ୟକଳାପ ଓ ପାରମ୍ପରିକ କ୍ରୀଡ଼ାର ସାହାଯ୍ୟ ନେଇଛନ୍ତି । ବିଶେଷ କରି ମହିଳାମାନେ ଲୁଡ଼ୁ, କଉଡ଼ି, ତାସ ଆଦି ଖେଳିବାରେ ବେଶୀ ଆଗ୍ରହ ଦେଖାଉଛନ୍ତି ।
ସେହିପରି ପୁରୁଷମାନେ ତାସ, ମୋବାଇଲ ଗେମ୍ ଓ କ୍ୟାରମ୍, ଚେସ୍ ଆଦିରେ ମନ ବଳାଉଛନ୍ତି ।
କିଛି ସ୍ଥାନରେ ମହିଳାମାନେ ଘରେ ରାମାୟାଣ, ମହାଭାରତ, ଭଗବତ ଗୀତା ଆଦି ପାଠ କରି କରୋନାରୁ ବର୍ତ୍ତିବା ପାଇଁ ଈଶ୍ୱରଙ୍କୁ ପ୍ରାର୍ଥନା କରୁଥିବାର ଦେଖିବାକୁ ମିଳୁଛି ।
ପାଟନାରୁ ଆସିଥିବା ୬୦ ବର୍ଷୀୟ ମହିଳା ପୁଷ୍ପାମଞ୍ଜରୀ ବେହେରା କହନ୍ତି ଲକ୍ ଡାଉନର ପ୍ରଭାବ ଖାଲି ରାସ୍ତାରୁ ଜଣାଯାଉଛି ।
ଜଣେ ହେଲେ ମହିଳା ବା ଶିଶୁଙ୍କୁ ଏବେ ରାସ୍ତାରେ ଦେଖିବାକୁ ମିଳୁନି । ଆମ ସମ୍ପ୍ରଦାୟର ଲୋକମାନେ ଘରେ ରହି ରୋଷେଇ ଓ ପୂଜା ପାଠରେ ସମୟ ଅତିବାହିତ କରୁଛନ୍ତି ।
ବେଳେ ବେଳେ ଫାଙ୍କା ସମୟରେ ଲୁଡୁ, ତାସ, ଚେସ୍ ବି ଖେଳୁଛୁ । ଅନେକ ମହିଳା କହିଛନ୍ତି ଯେ ଲକ୍ ଡାଉନରେ ଆମେ କେବଳ ଘରେ ରହି ଲୁଡ଼ୁ ଓ ତାସରେ ସମୟ ବିତାଉନୁ ବରଂ ଭଗବତ ଗୀତା ପଢ଼ି ଏଭଳି ବିପଦରୁ ଇଶ୍ୱର ଆମଙ୍କୁ ବଞ୍ଚାନ୍ତୁ ବୋଲି ପ୍ରାର୍ଥନା ମଧ୍ୟ କରୁଛୁ ।
ସବୁଠାରୁ ଆଶ୍ଚର୍ଯ୍ୟର କଥା ଏବେ ମଧ୍ୟ ଜଗତସିଂହପୁର ଜିଲ୍ଲାର ଅନେକ ଗାଁରେ ଲୋକେ କରୋନା ଭାଇରସ୍ ବାବଦରେ ଜାଣି ନାହାଁନ୍ତି ।
ତେଣୁ ଏହାର ପ୍ରଭାବ ସେମାନଙ୍କ ସାଧାରଣ ଜୀବନଯାତ୍ରାକୁ ପ୍ରଭାବିତ କରିପାରିନି । କେବଳ ଯୁବପିଢ଼ି ଯେଉଁମାନେ କି ଘରୁ ବାହାରେ ରହୁଛନ୍ତି ସେମାନେ ହିଁ କେବଳ ଏ ବାବଦରେ ବୁଝି ପାରୁଛନ୍ତି ।
ଲୋକାଲ ୱାୟାର
Leave a Reply