ଚନ୍ଦ୍ରଶେଖରପୁର, ଜୁନ ୮ (ଲୋକାଲ ୱାୟାର) କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ନେଇ ସାରା ବିଶ୍ବ ବାସୀ ସାବଧାନତା ଅବଲମ୍ବନ କରୁଥିବା ବେଳେ ସମସ୍ତ ପ୍ରତିଷେଧକ ବ୍ୟବସ୍ଥା ସତ୍ବେ ଜାଣତରେ ହେଉ ବା ଅଜାଣତରେ ହେଉ ଜଣେ କର୍ମଚାରୀଙ୍କ ଅସାବଧାନତା କିପରି ଏକ କମ୍ପାନୀକୁ ଅସୁବିଧାରେ ପକାଇପାରେ ଗୋଟିଏ କମ୍ପାନୀର ଜଣେ ପ୍ରମୁଖ ଅଧିକାରୀ ଲୋକାଲ ୱାୟାର ସହ ଆଲୋଚନା ବେଳେ ବର୍ଣନା କରିଛନ୍ତି ।
ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଂଚଳର ନୀଳାଦ୍ରି ବିହାର ଠାରେ ଥିବା ଏକ ସୂଚନା ପ୍ରଯୁକ୍ତି ସେବା ପ୍ରଦାନ କରୁଥିବା କମ୍ପାନୀରେ ଜଣେ କର୍ମଚାରୀ ପଜିଟିଭ ଚିହ୍ନଟ ହେବା ପରେ ସ୍ଥାନୀୟ ପ୍ରଶାସନ କମ୍ପାନୀର ସମ୍ପୃକ୍ତ ଅଫିସକୁ ସିଲ କରିଛନ୍ତି।
୦୪.୦୬.୨୦୨୦ଠାରୁ ୧୭.୦୬.୨୦୨୦ ପର୍ଯ୍ୟନ୍ତ ପ୍ରଶାସନ ନିରୀକ୍ଷଣରେ ରଖିଥିବା ସଂସ୍ଥାର କୋଠା ସାମ୍ନାରେ ପୋଷ୍ଟର ମାରିଛି ।
ଏହି ସଂସ୍ଥା ମୁଖ୍ୟତଃ କଲ ସେଣ୍ଟର କାର୍ଯ୍ୟ ମାଧ୍ୟମରେ ବହୁ ସରକାରୀ ଓ ବେସରକାରୀ ସଂସ୍ଥାକୁ ବର୍ଷ ବର୍ଷ ହେଲା ସେବା ଯୋଗାଇ ଆସୁଛି ଏହା ଛଡା ରାଜଧାନୀର ଅନ୍ୟତ୍ର ମଧ୍ୟ ଏହାର ଏକ କେନ୍ଦ୍ର ରହିଛି।
ସରକାରଙ୍କ ସବୁ ନିୟମକୁ ମାନି ଲକଡ଼ାଉନ ସମୟରେ ସଂସ୍ଥା କାର୍ଯ୍ୟକରି ଆସୁଥିଲା।
ପ୍ରତ୍ଯେକ ଦିନ ଅଫିସ ସାନିଟାଇଜ କରିବା ସହ, ମାସ୍କ, ଗ୍ଲୋଭ, ସାମାଜିକ ଦୂରତା ଏପରିକି କେବଳ ୨୫ପ୍ରତିଶତ କର୍ମଚାରୀ ଙ୍କୁ ନେଇ କାମ କରି ଆସୁଥିଲା।
କିନ୍ତୁ ଜଣେ କର୍ମଚାରୀଙ୍କ ମଧ୍ୟରେ ଅଚାନକ ଲକ୍ଷଣ ଦେଖାଦେବା ପରେ ସଂସ୍ଥା ପକ୍ଷରୁ ପ୍ରଶାସନକୁ ସୂଚନା ଦିଆଯାଇଥିଲା ।
ପ୍ରଶାସନ ନମୂନା ପରୀକ୍ଷା ପରେ ସମ୍ପୃକ୍ତ କର୍ମଚାରୀଙ୍କୁ ପଜିଟିଭ ପାଇଥିଲେ ଓ ଅଫିସକୁ ସିଲ କରିଥିଲେ।
ନିଜ କର୍ମଚାରୀ ଓ ରାଜ୍ୟକୁ ମହାମାରୀ ଦାଉରୁ ରକ୍ଷା ପାଇଁ ସଂସ୍ଥା ସବୁ ପ୍ରକାର ଚେଷ୍ଟା ଏବଂ ସହଯୋଗ କରୁଥିଲେ ମଧ୍ୟ ଜଣକ ଅସାବଧାନତା ସମସ୍ଯା ସୃଷ୍ଟିକରିପାରେ ବୋଲି ସେ କହିଛନ୍ତି।
ଲକଡାଉନ ପୂର୍ବରୁ ସମ୍ପୃକ୍ତ ସଂସ୍ଥାର ଉକ୍ତ ଅଫିସରେ ୫ଶହରୁ ଉର୍ଦ୍ଧ କର୍ମଚାରୀ ଅଫିସ ଆସି ବିଭିନ୍ନ ପ୍ରୋଜେକ୍ଟ ରେ କାମକରୁଥିବାବେଳେ ଲକଡାଉନ ପାଇଁ ସୀମିତ ସଂଖ୍ୟକ କର୍ମଚାରୀ ଆସୁଥିଲେ ।
ତେବେ ଅଫିସ ସିଲ ହେବାରୁ ଘରେ ରହି ସମସ୍ତ କର୍ମଚାରୀ କାମ କରିବେ।
ତେବେ ଅଫିସ ବନ୍ଦ ହେବା ଦ୍ଵାରା ନିଶ୍ଚିତ ଭାବେ କାମ ଠିକ ସମୟରେ ଶେଷ ହୋଇପାରିବ ନାହିଁ ।
ଏଥିଯୋଗୁଁ କମ୍ପାନୀକୁ ଆର୍ଥିକ କ୍ଷତିର ସାମ୍ନା କରିବାକୁ ପଡିବ ।
ଅନେକ କର୍ମଚାରୀ ନିଜ ଘରକୁ ଚାଲି ଯାଇଥିବାରୁ ସେମାନଙ୍କ ଫେରିବାକୁ ନେଇ ମଧ୍ୟ ସଂଶୟ ରହିଛି।
ଉପଯୁକ୍ତ ସମୟରେ ପ୍ରୋଜେକ୍ଟ କାମ ଆରମ୍ଭ ନ ହେଲେ କର୍ମଚାରୀ ଅଭାବରୁ ହାତରୁ କାମ ଚାଲି ଯିବାର ଆଶଙ୍କା ରହିଛି ।
ଅଫିସ ଖୋଲିଲେ ଆଗକୁ କମ୍ପାନୀପାଇଁ ଏହିସବୁ ଚ୍ୟାଲେଞ୍ଜ ରହିଥିବା ସେ ଲୋକାଲ ୱାୟାରକୁ କହିଛନ୍ତି।
ଲୋକାଲ ୱାୟାର
Leave a Reply