ଭୁବନେଶ୍ୱର, ଏପ୍ରିଲ ୧୭(ଲୋକାଲ ୱାୟାର): ବିପଦର ବନ୍ଧୁ ଅଭିନେତା ସବ୍ୟସାଚୀ ମିଶ୍ର ।
ସବୁବେଳେ ନିଜର ଓ ନିଜ ଫିଲ୍ମର ପ୍ରଚାର ପ୍ରସାର ପାଇଁ ସୋସିଆଲ୍ ମିଡିଆରେ ୨୪ଘଣ୍ଟା ବ୍ୟସ୍ତ ରହୁଥିବା ସବ୍ୟସାଚୀ ଏବେ ସେହି ସମୟ ସର୍ବସାଧାରଣଙ୍କ ପାଇଁ ଦେଉଛନ୍ତି ।
ଲକ୍ ଡାଉନରେ ସମସ୍ୟା ଭୋଗୁଥିବା ଲୋକଙ୍କ ପାଇଁ ସବ୍ୟସାଚୀ ଘରେ ଏକ କଣ୍ଟ୍ରୋଲ ରୁମ୍ ଖୋଲିଛନ୍ତି । ଯାହାରି ମାଧ୍ୟମରେ କିଛି କିଛି ଲୋକଙ୍କୁ ସେ ସାହାଯ୍ୟ କରୁଛନ୍ତି ।
ସୂଚନାଯୋଗ୍ୟ, ଧରିତ୍ରୀ ପାତ୍ର କିଛି ଦିନ ତଳେ ଟ୍ୱିଟ୍ କରି ସବ୍ୟସାଚୀଙ୍କ ସହାୟତା ଲୋଡ଼ିଥିଲେ । ତାଙ୍କ ମା’ଙ୍କୁ କ୍ୟାନସର ହୋଇଛି । ସେ ପ୍ରଥମ ଷ୍ଟେଜରେ ଅଛନ୍ତି ।
ମାର୍ଚ୍ଚ ୨୯ରେ ତାଙ୍କର ଅପରେସନ୍ ହେବାର ଥିଲା । କରୋନା ଯୋଗୁ ଏମ୍ସ କର୍ତ୍ତୃପକ୍ଷ ଏହାକୁ ବାତିଲ କରିଦେଲେ । ଏହାପରେ ଧରିତ୍ରୀ ଟ୍ୱିଟ୍ କରି ସବ୍ୟସାଚୀଙ୍କ ସାହାଯ୍ୟ ମାଗିଥିଲେ ।
ସବ୍ୟସାଚୀ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିବା ସହିତ ପୁଲିସ୍ ସହାୟତାରେ ଧରିତ୍ରୀଙ୍କ ମା’ଙ୍କ ଲାଗି ପାସ୍ ବ୍ୟବସ୍ଥା କରିଥିଲେ ।
ଏହାପରେ ତାଙ୍କ ମା’ ଗଞ୍ଜାମର ପାଇକପଡ଼ା ଗାଁରୁ ଆସି ଭୁବନେଶ୍ୱରର ଉକ୍ତ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ।
ଏହି ମହିଳାଙ୍କ ଚିକିତ୍ସା ବେଳର ଫଟୋକୁ ସବ୍ୟସାଚୀ ଟ୍ୱିଟ୍ କରିବା ସହିତ ତାଙ୍କୁ ଗଞ୍ଜାମରୁ ଭୁବନେଶ୍ୱର ଆଣିବା କାର୍ଯ୍ୟରେ ସହାୟତା କରିଥିବା ସମସ୍ତଙ୍କୁ ଏବଂ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ସେହିପରି କେନ୍ଦ୍ରାପଡ଼ାର ରାଜନଗରର ଜଣେ ଯୁବକ ମଳୟ କୁମାର ସାହୁ ଟ୍ୱିଟ୍ କରି ସବ୍ୟସାଚୀଙ୍କ ସହାୟତା ଲୋଡ଼ିଥିଲେ । ସେ ଲେଖିଥିଲେ ଯେ ତାଙ୍କ ବାପା କ୍ୟାନ୍ସର ରୋଗୀ ।
୩ବର୍ଷ ହେଲା ସେ କ୍ୟାନ୍ସରରେ ପୀଡ଼ିତ ଥିବାବେଳେ ତାଙ୍କର ନିୟମିତ ଔଷଧ ଶେଷ ହୋଇଯାଇଛି । ଲକ୍ ଡାଉନ୍ ଯୋଗୁ ସେ ଔଷଧ କିଣିବା ପାଇଁ କଟକ ଯାଇପାରୁନାହାନ୍ତି ।
ଏ ବିଷୟରେ ଅବଗତ ହେବା ପରେ ସବ୍ୟସାଚୀ ସେହିଦିନ ଔଷଧ କିଣିଥିଲେ । ଏହା ସହିତ ସେଗୁଡ଼ିକୁ ପଠାଇବା ପାଇଁ ବ୍ୟବସ୍ଥା କରୁଛନ୍ତି ବୋଲି ଟ୍ୱିଟ୍ ଯୋଗେ କହିଥିଲେ ।
ଏହା ବ୍ୟତୀତ୍ ଆନ୍ଧ୍ରପ୍ରଦେଶର ନେଲୋର ଜିଲ୍ଲାରେ ଫସିଥିବା ତିନିଜଣ ଓଡ଼ିଆ ଯୁବକ ସୋସିଆଲ୍ ମିଡିଆରେ ସବ୍ୟସାଚୀଙ୍କ ସହ ଯୋଗାଯୋଗ କରି ନିଜ ଦୁଃଖ ଜଣାଇଥିଲେ ।
ସବ୍ୟସାଚୀ ସେମାନଙ୍କୁ ନିରାଶ ନକରି ସଙ୍ଗେ ସଙ୍ଗେ ସେଠାରେ ଥିବା ଚିହ୍ନା ପରିଚିତ ବ୍ୟକ୍ତିଙ୍କ ଦ୍ୱାରା ଉକ୍ତ ଯୁବକମାନଙ୍କୁ ସାହାଯ୍ୟ କରିଥିଲେ ।
ବର୍ତ୍ତମାନ ଯୁବକମାନେ ସେହି ପରିଚିତ ବ୍ୟକ୍ତିଙ୍କ ଘରେ ରହିଛନ୍ତି ଏବଂ ସାହାଯ୍ୟ ଲାଗି ସବ୍ୟସାଚୀଙ୍କୁ ପ୍ରଶଂସା କରିଛନ୍ତି ।
ଲୋକାଲ ୱାୟାର
Leave a Reply