ଭୁବନେଶ୍ୱର, ଡିସେମ୍ବର ୨ (ଲୋକାଲ ୱାୟାର): ସ୍ୱଚ୍ଛ ଓ ସବୁଜ ପରିବେଶ ପାଇଁ ରାଜ୍ୟ ସରକାରଙ୍କ ଆକାଂକ୍ଷିତ ଇ-ମୋବିଲିଟି ଯୋଜନା ଘୋଷଣାର ତିନି ବର୍ଷ ପରେ ମଧ୍ୟ ଆରମ୍ଭ ହୋଇ ପାରିନାହିଁ ।
୨୦୧୭ରେ ସ୍ମାର୍ଟ ସିଟି ମିଶନ ଅନୁଯାୟୀ ସହରରେ ପର୍ଯ୍ୟାୟ କ୍ରମେ ୫ ଶହ ଇ-ରିକ୍ସା ଚଳାଇବା ପାଇଁ ଯୋଜନା ହୋଇଥିଲା ।
ଜୁଲାଇ,୨୦୨୧ ସୁଦ୍ଧା ପ୍ରକଳ୍ପ ସାରିବାକୁ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ (ବିଏସସିଏଲ) ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ । ହେଲେ ଏଯାଏଁ ପ୍ରକଳ୍ପର ଟେଣ୍ଡର ମଧ୍ୟ ହୋଇନାହିଁ ।
ଗତବର୍ଷ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ (ସିଆରୟୁଟି) ପକ୍ଷରୁ ଇଲେକ୍ଟ୍ରିକ ବସର ଟ୍ରାଏଲ ରନ ହୋଇଥିଲା ।
କ୍ରୁଟ ପକ୍ଷରୁ ରାଜଧାନୀର ୩୮.୭ କିଲୋମିଟର ରାସ୍ତା ଚିହ୍ନଟ କରାଯାଇ ୧୪୮ଟି ଇ-ବସ ଚଳାଇବାକୁ ଯୋଜନା ହୋଇଥିଲା ।
ପ୍ରାରମ୍ଭିକ ପର୍ଯ୍ୟାୟରେ ୫୦ଟି ଇ-ବସ ଫେମ୍ (ଫାଷ୍ଟର ଆଡପ୍ସନ ଆଣ୍ଡ ମାନୁଫାକଚରିଂ ଅଫ ଇଲେକ୍ଟ୍ରିକ ଭେହିକିଲ) ଯୋଜନାରେ ମିଳିଥାନ୍ତା ।
ଜୁଲାଇରେ ବସଗୁଡ଼ିକ କିଣା ଯାଇଥାନ୍ତା । କରୋନା ଯୋଗୁଁ ଆଗାମୀ ବର୍ଷରୁ ଇ-ବସ ଚଳାଇବାକୁ କ୍ରୁଟ କର୍ତ୍ତୃପକ୍ଷ ଯୋଜନା କରୁଛନ୍ତି ।
ଘରୋଇ ଭେଣ୍ଡରଙ୍କ ସହାୟତାରେ ଇ-ରିକ୍ସା ପ୍ରକଳ୍ପ ଆରମ୍ଭ ହେବ । କରୋନା ଯୋଗୁଁ ପ୍ରକ୍ରିୟା ବିଳମ୍ବିତ ହୋଇଛି ।
ଟେଣ୍ଡର ପ୍ରକ୍ରିୟାକୁ ସରକାରୀ ଅନୁମୋଦନ ମିଳିବା ମାତ୍ରେ ପ୍ରକଳ୍ପ ଆଗେଇବ ବୋଲି ବିଏସସିଏଲ ସିଇଓ ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ।
ଫେବ୍ରୁଆରୀ ୨୦୨୧ରେ ଇ-ବସ ଆରମ୍ଭ କରିବାକୁ ଯୋଜନା ରହିଛି । କୋଭିଡ ଲକଡାଉନ ଯୋଗୁଁ ବସଗୁଡ଼ିକ ଆସି ପାରିନଥିଲା ।
ପ୍ରଥମ ପର୍ଯ୍ୟାୟରେ ଅତିକମରେ ୨୫ଟି ବସ ଚଳାଇବାକୁ ଯୋଜନ ରହିଛି ବୋଲି କ୍ରୁଟ ମହାପ୍ରବନ୍ଧକ ଦୀପ୍ତି ମହାପାତ୍ର କହିଛନ୍ତି ।
ଲୋକାଲ ୱାୟାର
Leave a Reply