ଭୁବନେଶ୍ୱର, ଜାନୁଆରୀ ୮(ଲୋକାଲ ୱାୟାର): ପ୍ରତି ବର୍ଷ ଛତର ଯାତ୍ରା ସମୟରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ମାଣିକେଶ୍ୱରୀ ମନ୍ଦିରରେ ପଡ଼ୁଥିବା ବଳି ଏ ବର୍ଷ ବନ୍ଦ କରିବାକୁ ଏବଂ ଏଥିରେ ଉଲ୍ଲଂଘନ ହେଲେ ଜିଲ୍ଲାପାଳ ଓ ଏସପି ଦାୟୀ ରହିବେ ବୋଲି ବୁଧବାର ହାଇକୋର୍ଟ ଏ ସମ୍ପର୍କିତ ଏକ ମାମଲାର ଶୁଣାଣି କରି କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।
ପଶୁପକ୍ଷୀଙ୍କ ଠାରୁ ବଂଚିବାର ଅଧିକାର ଛଡ଼ାଇ ନେଉଥିବା ତଥା ବଳି ଦେଉଥିବା ଲୋକମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରାର୍ଥନା କରି ସମାଜସେବୀ ଜୟନ୍ତୀ ଦାସଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି କୁମାରୀ ଜଷ୍ଟିସ୍ ସଞ୍ଜୁ ପଣ୍ଡା ଏବଂ ବିଚାରପତି ଜଷ୍ଟିସ୍ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି ।
ବଳି ପ୍ରଥା ବିରୋଧରେ ସ୍ଥାନୀୟ ଲୋକଙ୍କୁ ସଚେତନ କରିବା ପାଇଁ ମାଣିକେଶ୍ୱରୀ ମନ୍ଦିର ଏବଂ ଆଖପାଖ ଅଞ୍ଚଳରେ ସଚେତନତା ଶିବିର କରିବା, ଉକ୍ତ ଅଞ୍ଚଳରେ ସିସିଟିଭି ଲଗାଯିବା ସହ ଶୋଭାଯାତ୍ରାର ରେକର୍ଡିଂ କରିବାରୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ବଳି ପକାଇବା ଲାଗି ରାସ୍ତା ପାଶ୍ୱର୍ କିମ୍ବା ମନ୍ଦିରର ଆଖପାଖ ଅଞ୍ଚଳରେ କାହାରିକୁ ଅନୁମତି ଦିଆଯିବ ନାହିଁ । ଜିଲ୍ଲାପାଳ କିମ୍ବା ଏସପି କେହି ଏହି ଆଦେଶର ଅମାନ୍ୟ କଲେ ସେମାନେ ଏଥିପାଇଁ ବ୍ୟକ୍ତିଗତ ଭାବେ ଦାୟୀ ରହିବେ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ।
ଆବେଦନକାରୀ ଶ୍ରୀମତୀ ଦାସ ୨୦୧୬ ମସିହାରେ ଛତର ଯାତ୍ରାରେ ବଳି ବନ୍ଦପାଇଁ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ । ତାଙ୍କ ପକ୍ଷରୁ ଆଇନଜୀବୀ ବିଜୟ କୁମାର ରଗଡ଼ ଯୁକ୍ତି ଉପସ୍ଥାପନ କରିଥିଲେ ।
ଲୋକାଲ ୱାୟାର
Leave a Reply