ଭୁବନେଶ୍ୱର, ଫେବ୍ରୁଆରୀ ୧୧(ଲୋକାଲ ୱାୟାର): ରାଜ୍ୟର ବରିଷ୍ଠ କଳାକାରମାନେ ପାଉଥିବା ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ପାଇଁ ସ୍ୱତନ୍ତ୍ର ନିୟମାବଳୀ ପ୍ରଣୟନ ହେବ ବୋଲି ରାଜ୍ୟସ୍ତରୀୟ ଜିଲ୍ଲା ସଂସ୍କୃତି ଅଧିକାରୀମାନଙ୍କ ସମୀକ୍ଷା ବୈଠକରେ ଏହା ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି ।
ସରକାର ଧାର୍ଯ୍ୟ କରିଥିବା ୫୦ହଜାର କଳାକାରଙ୍କୁ ଭତ୍ତା ପ୍ରଦାନ ଲକ୍ଷ୍ୟ ପୂରଣ ହୋଇନାହିଁ ।
ବାକିଥିବା ଲକ୍ଷ୍ୟ ପୂରଣ ସକାଶେ ନୂତନଭାବେ ବିଜ୍ଞାପନ ପ୍ରକାଶ ପାଇବ କି ନାହିଁ, ମୃତ୍ୟୁ ଘଟିଥିବା କଳାକାରଙ୍କ ସ୍ଥାନରେ କେଉଁ ପ୍ରକ୍ରିୟାରେ ନୂତନ ହିତାଧିକାରୀ ଚୟନ କରାଯିବ ସେନେଇ ଏକ ସ୍ୱତନ୍ତ୍ର ନିୟମାବଳୀ ପ୍ରଣୟନ କରି ସମସ୍ତ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ଜଣାଇ ଦିଆଯିବ ବୋଲି କୁହାଯାଇଛି ।
ଏହି ଦିନିକିଆ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ସମସ୍ତ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ଅଧିକ ସକ୍ରିୟଭାବେ କାର୍ଯ୍ୟ ସମ୍ପାଦନ କରିବାକୁ ପ୍ରବର୍ତ୍ତାଇ ଥିଲେ ।
ବିଭାଗ ଦ୍ୱାରା ସଂସ୍କୃତିର ସୁରକ୍ଷା ପାଇଁ ଭାଗବତ ଟୁଙ୍ଗୀ, ଲୋକକଳା ସଂଘ, ସଂସ୍କୃତି ଭବନ, ସଂଗ୍ରହାଳୟ, ପାଠାଗାର ଇତ୍ୟାଦି କାର୍ଯ୍ୟକ୍ରମମାନ ରହିଛି ।
ଏଗୁଡିକୁ ପରିଚାଳନା ସହ ଆଗକୁ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ୧୦୦ବର୍ଷ ପୂର୍ତ୍ତି ଏବଂ ନେତାଜୀଙ୍କ ୧୨୫ତମ ଜୟନ୍ତୀ ବର୍ଷବ୍ୟାପୀ ପାଳନ କରାଯିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ସ୍ଥିର କରିବାକୁ କୁହାଯାଇଥିଲା ।
ପରେ ଲୋକକଳା ସଂଘର ଆବର୍ତ୍ତନ ପାଣ୍ଠି ବୃଦ୍ଧି, ଲୋକକଳା ଗ୍ରମା ସୁଦୃଢୀକରଣ, ଲୋକକଳା ଡାଟାବେସ୍ ପ୍ରସ୍ତୁତି ଉପରେ ସମୀକ୍ଷା କରାଯାଇଥିଲା ।
ଦେଶବିଦେଶର ଗଣମାଧ୍ୟମ ଜରିଆରେ ଆମ ଲୋକକଳାଗୁଡିକର ପ୍ରଚାରପ୍ରସାର ପାଇଁ ପ୍ରତ୍ୟେକ ଜିଲ୍ଲାର ଏକ ନିଆରା କଳାଶୈଳୀ ଚୟନ କରି ସେଗୁଡିକର ସଂଗ୍ରହଣ କାର୍ଯ୍ୟ କରିବାକୁ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି ।
ଏହି ସମୀକ୍ଷା ବୈଠକରେ ସ୍ୱତନ୍ତ୍ର ସଚିବ ଡ. ରାମକୃଷ୍ଣ ସାହୁ, ଯୁଗ୍ମ ସଚିବ ମନସ୍ୱିନୀ ସାହୁ, ଉପନିଦେ୍ର୍ଦଶକ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ, ଦେବାନନ୍ଦ ବରିହା ଏବହ ଭାଷା ପ୍ରତିଷ୍ଠାନର ନିଦେ୍ର୍ଦଶିକା ଡ. ଭାଗ୍ୟଲିପି ମଲ୍ଲ, ରାଜ୍ୟ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଲବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ ।
ଲୋକାଲ ୱାୟାର
Leave a Reply