ବ୍ରହ୍ମପୁର, ଅକ୍ଟୋବର ୧(ଲୋକାଲ ୱାୟାର): କରୋନା ମହାମାରୀ ଉପରେ ସଚେତନତା ସୃଷ୍ଟି କରିବା ପାଇଁ ଗଞ୍ଜାମ ଜିଲ୍ଲା ହିଞ୍ଜିଳିର ଜଣେ କାରିଗର କାଠ ତିଆରି କଳାକୃତି ପ୍ରସ୍ତୁତ କରିଛନ୍ତି ।
କାରିଗର ଜଣକ ହେଲେ ୩୨ ବର୍ଷୀୟ ଅରୁଣ କୁମାର ସାହୁ । ଅରୁଣ ଏହି କଳାକୃତିକୁ ଗୋଟିଏ ଦିନ ପାଇଁ ନିଜ ଘର ହିଞ୍ଜିଳି ସ୍ଥିତ କଣ୍ଟେଇକୋଲୋରେ ପ୍ରଦର୍ଶନ କରିବା ପରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେକୁ ଏହାକୁ ଦାନ କରିଛନ୍ତି ।
ଜିଲ୍ଲାପାଳ ବିଜୟ ଅମୃତା ହିଞ୍ଜିଳି ଆସିଥିବା ବେଳେ ଅରୁଣ ତାଙ୍କୁ ଏହା ଦାନ କରିଥିଲେ ।
୧୩୦ ବର୍ଗ ଫୁଟର ଏହି କାଠ କଳାକୃତି ବୋର୍ଡରେ ଅରୁଣ ମାସ୍କ ପରିଧାନଠାରୁ ଆରମ୍ଭ କରି ସାମାଜିକ ଦୂରତା ରକ୍ଷା କରିବାର ଆବଶ୍ୟକତା, ହାତ ଧୋଇବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ।
ଏହାଛଡ଼ା ସେ ନିଜର କଳାକୃତିରେ ଓଡ଼ିଶାର ମାନଚିତ୍ର ଖୋଦେଇ କରି ତିଆରି କରିଛନ୍ତି । ଯେଉଁଥରେ ସେ ଲେଖିଛନ୍ତି ଓଡ଼ିଶା ଜିତିବ ଓ କରୋନା ହାରିବ ।
ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ନିଜର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ଏହା ପୋଷ୍ଟ କରିବା ସହ ଲେଖିଛନ୍ତି ଯେ ଅରୁଣ ନିଜର କାଠ କଳାକୃତିରେ କରୋନାକୁ ନେଇ ସଚେତନତା ବାର୍ତ୍ତା ବାଣ୍ଟିଛନ୍ତି ।
ଏହି କଳାକୃତି ଖୁବ୍ ସୁନ୍ଦର ହୋଇଛି । ଏହି କଳାକୃତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସ୍ଥାନିତ କରାଯାଇଛି ।
ଏ ବାବଦରେ କରିଗର ଅରୁଣ କହିଛନ୍ତି ଏହି କାରିଗରୀ ପ୍ରସ୍ତୁତ କରିବାକୁ ମୋତେ ମାତ୍ର ଦିନେ ସମୟ ଲାଗିଛି ।
ଓଡ଼ିଆ ଅକ୍ଷରର ସଚେତନତା ବାର୍ତ୍ତା ସମେତ ଓଡ଼ିଶା ମ୍ୟାପ୍, କରୋନା ଭାଇରସ୍ ସହ ଜଡ଼ିତ ବିଭିନ୍ନ ଡିଜାଇନ୍ ପ୍ରସ୍ତୁତ କରି ସାରିବା ପରେ ଏହାକୁ ଗୋଟିଏ କାଠ ବୋର୍ଡ ଉପରେ ଯୋଡ଼ି ଦିଆଯାଇଛି ।
ଏହି କଳାକୃତି ତିଆରି କରିବା ପଛର ମୂଳ ଲକ୍ଷ୍ୟ ହେଉଛି କରୋନା ନେଇ ସଚେତନତା ସୃଷ୍ଟି କରିବେ ।
ମିଳିଥିବା ସୂଚନା ଅନୁସାରେ ୨୦୦୮ରୁ ୨୦୧୯ ମଧ୍ୟରେ ଏହା ପୂର୍ବରୁ ଶ୍ରୀ ସାହୁ ଆଇଫିଲ୍ ଟାୱାର,ପ୍ୟାରିସ୍, ତାଜମହଲ, ଆଗ୍ରା, ପିରାମିଡ, ଇଜିପ୍ଟ, ଇଣ୍ଡିଆ ଗେଟ୍, ନୂଆଦିଲ୍ଲୀ, ଗେଟୱେ ଅଫ୍ ଇଣ୍ଡିଆ, ମୁମ୍ବାଇ, ଶାନ୍ତିସ୍ତୂପ, ଧଉଳି, ଏବଂ ଓଡ଼ଶା ବିଧାନସଭା ଆଦିର କାଠ ମଡେଲ ତିଆରି କରିଛନ୍ତି ।
ଏଥିପାଇଁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ଅରୁଣ ଜଣେ କାଠଶିଳ୍ପୀ ଭାବେ ପ୍ରଶଂସିତ ହୋଇଛନ୍ତି ।
ଲୋକାଲ ୱାୟାର
Leave a Reply