ଭୁବନେଶ୍ୱର, ଡିସେମ୍ବର ୯(ଲୋକାଲ ୱାୟାର): ପ୍ରଥିତଯଶା ସାରସ୍ୱତ ସାଧକ ଏବଂ ଉକ୍ରଳର ବରପୁତ୍ର କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପୁଣ୍ୟ ଜୟନ୍ତୀରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଭର୍ଚୁଆଲ୍ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ।
ଏହି ଅବସରରେ ୧୯ମିନିଟ୍ ୬ସେକେଣ୍ଡର ଏକ ବୃତ୍ତଚିତ୍ରକୁ ସଂସ୍କୃତି ବିଭାଗ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ପ୍ରସାରଣ କରାଯାଇଛି ।
ଉକ୍ତ ବୃତ୍ତଚିତ୍ରର ପ୍ରାରମ୍ଭରେ କାନ୍ତକବିଙ୍କ ‘ଜୀବନ ସଙ୍ଗୀତ’ରୁ ଆନୀତ ‘ସବୁଥିରୁ ବଞ୍ଚିତ କରି’ କାଳଜୟୀ ଗୀତ, ଯାହାକୁ ସ୍ୱର୍ଗତ ରଘୁନାଥ ପାଣିଗ୍ରାହୀ ଗାଇଥିଲେ ତାକୁ ସ୍ଥାନିତ କରାଯାଇଛି ।
ଏଥିସହିତ କାନ୍ତକବିଙ୍କ ଜାତୀୟ ସଙ୍ଗୀତରୁ ଆନୀତ ଗୀତ ଓ ଗୀତିକାକୁ ଗାୟନ କରିଛନ୍ତି ସୁନନ୍ଦା ପଟ୍ଟନାୟକ । ତାକୁ ବି ସ୍ଥାନିତ କରାଯାଇଛି ।
‘ଜୀବନ ସଙ୍ଗୀତ’ର ଗୀତକୁ ଗୋକୁଳ ମହାନ୍ତି ଓ ଅକ୍ଷୟ ମହାନ୍ତି ବି ଗାଇଛନ୍ତି, ଯାହାର ରେକର୍ଡକୁ ଏଥିରେ ସାମିଲ କରାଯାଇଛି ।
କାନ୍ତକବିଙ୍କ ‘ଜାତୀୟ ସଙ୍ଗୀତ’ର ଏକ ଗୀତକୁ ସମବେତ କଣ୍ଠରେ ଶୁଣିବାକୁ ମିଳିଛି । ଏଥିସହ ଏକାଡେମୀ ସଭାପତି ହରିହର ମିଶ୍ର, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ବିଭାଗୀୟ ନିଦେ୍ର୍ଦଶକ ରଞ୍ଜନ କୁମାର ଦାସ, ବିଶିଷ୍ଟ ସାହିତି୍ୟକ ରବି ନାରାୟଣ ସେନାପତି, ବିଶିଷ୍ଟ ସାହିତି୍ୟକ ପବିତ୍ର ପାଣିଗ୍ରାହୀ ଓ ଏକାଡେମୀ ସଚିବ ଶୁଚିସ୍ମିତା ମନ୍ତ୍ରୀ କାନ୍ତକବିଙ୍କୁ ସ୍ମରଣ କରି ନିଜ ବକ୍ତବ୍ୟ ରଖିଥିଲେ ।
ସମସ୍ତେ କହିଥିଲେ, କାନ୍ତକବି ଥିଲେ ଏକାଧାରରେ କବି, ସଙ୍ଗୀତକାର, ଗାଳ୍ପିକ, ଔପନ୍ୟାସିକ, ନାଟ୍ୟକାର, ପ୍ରାବନ୍ଧିକ ଓ ଶିଶୁ ସାହିତି୍ୟକ ।
ବିପୁଳ ସମାରୋହରେ ସୁଶୋଭିତ ଥିଲା ତାଙ୍କର ଜୀବନ କେଦାର । ସେ ଥିଲେ ଭାଷା ଶିଳ୍ପୀ ଓ ସୁରଶିଳ୍ପୀ ।
ରଙ୍ଗରସ ଓ ଆମୋଦପ୍ରିୟ ଲକ୍ଷ୍ମୀକାନ୍ତ ଲଳିତ ମଧୁର କଣ୍ଠରେ ସଙ୍ଗୀତ ଗାନ କରି ସମସ୍ତଙ୍କୁ ମୁଗ୍ଧ କରିପାରୁଥିଲେ ।
ନିକଟରେ କବିଙ୍କ କବିତା ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତର ମାନ୍ୟତା ପ୍ରଦାନ କରାଯାଇଛି ।
ଲୋକାଲ ୱାୟାର
Leave a Reply