ଭୁବନେଶ୍ୱର, ନଭେମ୍ବର ୯ (ଲୋକାଲ ୱାୟାର) : ମଙ୍ଗଳବାର ସକାଳ ୮ଟାରୁ ବାଲେଶ୍ଵର ସଦର ଓ ତିର୍ତ୍ତୋଲ ଉପନିର୍ବାଚନର ମତ ଗଣନା ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ସୋମବାର କହିଛନ୍ତି ।

ଶ୍ରୀ ଲୋହାନୀଙ୍କ ସୂଚନା ଅନୁସାରେ, ବାଲେଶ୍ୱର ସଦର ପାଇଁ ବାଲେଶ୍ୱର କଲେକ୍ଟରେଟ୍ ଓ ତିର୍ତ୍ତୋଲ ପାଇଁ ଜଗତସିଂହପୁରରେ ଏସଭଏମ୍ କଲେଜରେ ଭୋଟ ଗଣନା ହେବ।

ପୂର୍ବରୁ ଗଣତି ସମୟରେ ଗୋଟିଏ ରୁମରେ ୧୪ ଟେବୁଲ ରଖାଯାଉଥିବା ବେଳେ ଏଥିର ଗହଳି କାମଇବା ପାଇଁ ୭ ଟେବୁଲର ବ୍ୟବସ୍ଥା କରାଯାଇଛି ।

ସେହିଭଳି ୩ଟି କାଉଣ୍ଟିଂ ହଲ୍ ରହିଥିବା ବେଳେ ୬୭ ଆରଓ ଏବଂ ଏଆରଓଙ୍କୁ ଦାୟିତ୍ୱ ଦିଆଯାଇଛି। ବାଲେଶ୍ଵର ପାଇଁ ୩ଟି ଏଆରଓ ଓ ତିର୍ତ୍ତୋଲ ପାଇଁ ୨ଟି ଏଆରଓ ରହିଛି ।

ସକାଳ ୮ଟାରେ ପ୍ରଥମେ ପୋଷ୍ଟାଲ ବାଲାଟରେ ଗଣତି ହେବ ଏବଂ ପରେ ସାଢେ ୮ଟାରୁ ଇଭିଏମ ଗଣନା ଆରମ୍ଭ ହେବ । ଏସବୁ ସରିବା ପରେ ୫ଟି ବୁଥର ଭିଭିପାଟ୍ ସ୍ଲିପ୍ ଗଣତି କରାଯିବ ।

ଫଳାଫଳ ବାହାରିବା ପାଇଁ କ୍ୟାମେରା ଓ ଟିଭି ରଖାଯାଇଛି। ଇସିଆଇ ୱେବସାଇଟରେ ଫଳାଫଳ ପ୍ରତି ରାଉଣ୍ଡରେ ଆସିବ। ଗଣମାଧ୍ୟମକୁ ଛୋଟ ଛୋଟ ଗ୍ରୁପରେ ସୁଟିଂ ପାଇଁ ଅନୁମତି ଦିଆଯିବ ।

ଏହାସହ ଭୋଟ ଗଣତି ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବାହାରେ ପୁଲିସ ଜଗିବାକୁ ଥିବାବେଳେ ଭିତରେ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବଳ ରହିବେ ।

କୋଭିଡ ନିୟମ ମାନି ଭୋଟ ଗଣତି ହେବ । ସାମାଜିକ ଦୂରତା, ମାସ୍କ, ଫେସସିଲ୍ଡ, ସାନିଟାଇଜର, ୱେୟାରଲେସ ବାରିକେଡ ଓ ଟ୍ରାନ୍ସପରେଂଟ ପଲିଥିନ ସିଟ ରହିବ ।

ଲୋକାଲ ୱାୟାର