ଭୁବନେଶ୍ୱର, ଡିସେମ୍ବର ୭(ଲୋକାଲ ୱାୟାର): ଓଡ଼ିଶାର କୁନା ଦାଶଙ୍କୁ ଜାପାନ ବୈଦେଶିକ ମନ୍ତ୍ରାଳୟ ପୁରସ୍କାର ପ୍ରଦାନ କରିଛି ।
ଏଥିପାଇଁ ସେ ଜାପାନର ନାଗରିକ ଓ ସରକାରଙ୍କୁ ପ୍ରଶଂସା ଓ କୃତଜ୍ଞତା ଜ୍ଞାପନ କରିଛନ୍ତି ।
ଜାପାନ ସହ ଅନ୍ୟ ଦେଶମାନଙ୍କ ମଧ୍ୟରେ ବନ୍ଧୁତ୍ୱ ଓ ସୁସମ୍ପର୍କ ସ୍ଥାପନର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଥିବା ବ୍ୟକ୍ତି ଏବଂ ଗୋଷ୍ଠୀମାନଙ୍କୁ ଜାପାନ ସରକାରଙ୍କ ତରଫରୁ ଏହି ପ୍ରଶଂସା ଓ ପୁରସ୍କାର ପ୍ରଦାନ କରାଯାଇଥାଏ ।
ଜାପାନ-ଭାରତ, ଏହି ଦୁଇ ଦେଶ ମଧ୍ୟରେ ଶିକ୍ଷା, ସଂସ୍କୃତି, କଳା, ବାଣିଜ୍ୟ ଏବଂ ବନ୍ଧୁତାକୁ ପ୍ରଚାର, ପ୍ରସାରକୁ ପ୍ରୋତ୍ସାହିତ କରିବାରେ କୁନା ଦାଶଙ୍କ ଦୀର୍ଘ ୩୦ବର୍ଷର ଅବଦାନ ପାଇଁ ଜାପାନ ସରକାରଙ୍କ ତରଫରୁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।
ଓଡ଼ିଶାରୁ ଏହି ସମ୍ମାନଜନକ ପୁରସ୍କାର ପାଇଁ ସେ ହେଉଛନ୍ତି ଏକମାତ୍ର ମନୋନୀତ ବ୍ୟକ୍ତି । ଯାହାକି ଭାରତ, ବିଶେଷକରି ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ ।
୨୦୦୨ରୁ ଭାରତ ଜାପାନ ଫ୍ରେଣ୍ଡସିପ୍ ସେଣ୍ଟରର ସଭାପତି ଓ ଜାପାନ କ୍ୟୋଟାର ଆନ୍ତର୍ଜାତିକ ପର୍ଯ୍ୟଟକ ରାଷ୍ଟ୍ରଦୂତ ଏବଂ ଚନ୍ଦ୍ରଶେଖର ଏକାଡେମୀର ସଭାପତି ଭାବରେ ଶ୍ରୀ ଦାଶ କାର୍ଯ୍ୟ କରିଚାଲିଛନ୍ତି ।
ଜାପାନ ଏବଂ ଭାରତ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ପାରସ୍ପରିକ ବୁଝାମଣା ପ୍ରୋତ୍ସାହନ ପାଇଁ ନିରନ୍ତର ଅବଦାନ ରଖିଛନ୍ତି ।
ଶ୍ରୀ ଦାଶ ୨୦୦୪ରେ ନିଜ ଜନ୍ମସ୍ଥାନ ପୁରୀରେ ଚନ୍ଦ୍ରଶେଖର ଏକାଡେମୀ ପ୍ରତିଷ୍ଠା କରିଥିଲେ ।
ଯେଉଁଠାରେ ନର୍ସରୀ ଠାରୁ ଦ୍ୱାଦଶ ପର୍ଯ୍ୟନ୍ତ ସିବିଏସଇ ପାଠ୍ୟକ୍ରମ ସହ ଜାପାନୀ ଭାଷା ଏବଂ ସଂସ୍କୃତି ଶିକ୍ଷା ଦିଆଯାଉଛି ।
୨୦୧୯ରେ ଆଇଟି ଏବଂ ଜାପାନିଜ୍ ଭାଷା ତାଲିମ୍ କେନ୍ଦ୍ର ଖୋଲାଯାଇଛି । ସେହିପରି ଜାପାନ କ୍ୟୋଟାରେ ବିଭିନ୍ନ ଅନୁଷ୍ଠାନ ପ୍ରତିଷ୍ଠା କରିଛନ୍ତି ।
ଯାହାଫଳରେ ସେଠାରେ ରହୁଥିବା ଭାରତୀୟ ଓ ଅନ୍ୟ ଦେଶର ପିଲାମାନେ ଭାରତୀୟ କଳା, ସଂସ୍କୃତି ବିଷୟରେ ଜାଣିବାର ସୁଯୋଗ ପାଉଛନ୍ତି ।
ଲୋକାଲ ୱାୟାର
Leave a Reply