କେନ୍ଦ୍ରାପଡ଼ା, ଫେବ୍ରୁଆରୀ ୧୭ (ଲୋକାଲ ୱାୟାର): କେନ୍ଦ୍ରାପଡ଼ା ଜିଲ୍ଲାରେ ଆଖୁ ଚାଷ ହ୍ରାସ ପାଇବାରେ ଲାଗିଛି ।
ଚିନି କାରଖାନା ବନ୍ଦ ହେବା ଓ ବଜାର ସୁବିଧା ନମିଳିବା ଆଖୁଚାଷ କମିବାର ଅନ୍ୟତମ କାରଣ ।
ପୂର୍ବରୁ ଅମଳ ବେଳେ ଚିନି କାରଖାନା ଏଜେଂଟମାନେ ଜମିରୁ ଆଖୁ କିଣି ନେଉଥିଲେ ।
କୃଷ୍ଣଦାସପୁର ଗାଁରେ ଥିବା ଚିନି କାରଖାନା ବନ୍ଦ ହେବା ପରେ ଆଖୁ ଚାଷୀଙ୍କ ମୁଣ୍ଡରେ ଚଡକ ପଡିଛି ।
ବାରମ୍ବାର କ୍ଷତି ହେବାରୁ ଚାଷୀମାନେ ଆଖୁ ବଦଳରେ ଅନ୍ୟ ଚାଷ ପ୍ରତି ମନ ବଳାଇଲେଣି ବୋଲି ପଟ୍ଟାମୁଣ୍ଡାଇର ଆଖୁ ଚାଷୀ ଅକ୍ଷୟ ବେହେରା କହିଛନ୍ତି ।
କେନ୍ଦ୍ରାପଡା ଜିଲ୍ଲାର ଗରଦପୁର, ମାର୍ଶାଘାଇ, ପଟ୍ଟାମୁଣ୍ଡାଇ, ଆଳି, ରାଜକନିକା ଓ ମହାକାଳପଡା ବ୍ଲକରେ ମୁଖ୍ୟତଃ ଆଖୁଚାଷ ହୋଇଥାଏ ।
ଏକ ଦଶନ୍ଧି ପୂର୍ବେ ଏସବୁ ଅଂଚଳରେ ୧୫ ହଜାର ହେକ୍ଟର ଜମିରେ ଆଖୁଚାଷ ହେଉଥିବା ବେଳେ ଏବେ ମାତ୍ର ୫ଶହ ହେକ୍ଟର ଜମିରେ ଆଖୁଚାଷ ହେଉଛି ।
ଗତ ନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ନେତାମାନେ ଜିଲ୍ଲାରେ ଚିନି କାରଖାନା ସ୍ଥାପନ ପାଇଁ ପ୍ରତିଶ୍ରୁତି ଦେଇଥିଲେ ।
ହେଲେ ନିର୍ବାଚନ ପରେ ସେସବୁ ପାଶୋରି ଯାଇଛନ୍ତି ବୋଲି କହନ୍ତି କୃଷକ ସଭା ଜିଲ୍ଲା ୟୁନିଟ ସଭାପତି ଉମେଶ ଚନ୍ଦ୍ର ସିଂହ ।
ବଜାର ଅଭାବ ଓ ଚିନି କାରଖାନାଗୁଡିକ ବନ୍ଦ ହୋଇ ଯାଉଥିବାରୁ ଜିଲ୍ଲାରେ ଆଖୁ ଚାଷ ହ୍ରାସ ପାଇଛି ବୋଲି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, କେନ୍ଦ୍ରାପଡା ଅଶୋକ ମହାସୁଆର କହିଛନ୍ତି ।
ଲୋକାଲ ୱାୟାର
Leave a Reply