କେନ୍ଦ୍ରାପଡ଼ା, ଜୁଲାଇ ୨ (ଲୋକାଲ ୱାୟାର): ଗାଈଗୋରୁଙ୍କ ସୁରକ୍ଷା ତଥା ଦୁଗ୍ଧ ଉତ୍ପାଦନ ବୃଦ୍ଧି ଉଦ୍ଦେଶ୍ଯରେ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରାୟ ୧,୪୪,୦୭୨ ଗାଈଗୋରୁଙ୍କ ଟ୍ୟାଗିଂ ହୋଇସାରିଛି ।
ଏହି କାର୍ଯ୍ୟକ୍ରମରେ ୧୨ ଅଙ୍କ ବିଶିଷ୍ଟ ଆଧାର ନମ୍ବର ଭଳି ସ୍ୱତନ୍ତ୍ର ପରିଚୟ ଟ୍ୟାଗିଂ କରାଯିବ ।
ପଶୁ ଉତ୍ପାଦକତା ଓ ସ୍ୱାସ୍ଥ୍ୟ ପାଇଁ ସୂଚନା ନେଟୱର୍କ (ଆଇଏନଏପିଏଚ) ପ୍ରକଳ୍ପ ଅନ୍ତର୍ଗତ ଜାତୀୟ ଦୁଗ୍ଧ ବିକାଶ ବୋର୍ଡ (ଏନଡିଡିବି)ର ଏହି ମହତ୍ୱାକାଂକ୍ଷୀ ଯୋଜନାରେ ପଶୁମାନଙ୍କ କାନରେ ୟୁଆଇଡି ନମ୍ବର ଟ୍ୟାଗ କରାଯାଇଛି ।
ପଶୁଙ୍କ ଡାହାଣ କାନରେ ଟ୍ୟାଗ ଲଗାଯାଇଛି ଓ ଏହା ଜାଲିଆତି ନିରୋଧୀ ବୋଲି କେନ୍ଦ୍ରାପଡା ସିଡିଭିଓ ପ୍ରସନ୍ନ କୁମାର ପଟ୍ଟନାୟକ କହିଛନ୍ତି । ମେଣ୍ଢା, ଛେଳି ଓ ଘୁଷୁରୀଙ୍କୁ ଟ୍ୟାଗ କରାଯିବ ନାହିଁ ।
ତେବେ ଏସବୁ ପଶୁଙ୍କ ବିସ୍ତୃତ ବିବରଣୀ ରଖାଯିବ ବୋଲି ସିଡିଭିଓ କହିଛନ୍ତି ।
ଏନଡିଡିବି ପକ୍ଷରୁ ଆଇଏନଏପିଏଚ (ଇନଫର୍ମେସନ ନେଟୱର୍କ ଫର ଆନିମଲ ପ୍ରଡକ୍ଟିଭିଟି ଆଣ୍ଡ ହେଲଥ) ନାମରେ ଏକ ସଫ୍ଟୱେର ଆପ୍ଲିକେସନ ବିକଶିତ ହୋଇଛି ।
ଏଥିରେ ଗାଈଗୋରୁ ଓ ମଇଁଷିଙ୍କ ପ୍ରଜାତି, ବୟସ, ଲିଙ୍ଗ, ରଙ୍ଗ, କେତେ ବାଛୁରୀ ଜନ୍ମ କରିଛି, ରୋଗର ଇତିହାସ, ଟୀକାକରଣ, ଉର୍ବରତା, ଡିୱର୍ମିଂ, ଚିକିତ୍ସା, ସ୍ଥାନ, ମାଲିକାନା ଓ ଅନ୍ୟାନ୍ୟ ତଥ୍ୟ ରହିବ ।
ଗାଈଗୋରୁ ଓ ମଇଁଷିଙ୍କ ୟୁଆଇଡି ମାଲିକଙ୍କ ଆଧାର ନମ୍ବର ସହିତ ସଂଯୁକ୍ତ କରାଯିବ ।
ଏହାଦ୍ୱାରା କର୍ତ୍ତୁପକ୍ଷ ଗାଈଗୋରୁ ଓ ମଇଁଷି ଚୋରାଚାଲାଣ ରୋକି ପାରିବେ । ବାତ୍ୟା, ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ବେଳେ ଗୋରୁଗାଈଙ୍କ ମାଲିକଙ୍କୁ ଉପଯୁକ୍ତ କ୍ଷତିପୂରଣ ମିଳିପାରିବ ।
ପ୍ରତି ପଶୁଙ୍କ ଟିକାକରଣ ଓ ଅନ୍ୟ ଚିକିତ୍ସାକୁ ଆଇଏନଏପିଏଚ ମାଧ୍ୟମରେ ପଶୁଙ୍କ କାନ ଟ୍ୟାଗ ନମ୍ବର ଓ ମାଲିକର ସଂପୂର୍ଣ୍ଣ ବିବରଣୀ ସଂଯୁକ୍ତ କରାଯିବ । ଏହାଦ୍ୱାରା ଫାଟୁଆ ଭଳି ରୋଗ ନିୟନ୍ତ୍ରଣ କରା ଯାଇପାରିବ ।
ଆଇଏନଏପିଏଚର ଡ୍ୟାସ ବୋର୍ଡରୁ ରାଜ୍ୟ ୱାରି, ଜିଲ୍ଲା ୱାରି, ତହସିଲ ୱାରି ଓ ଗାଁ ୱାରି ସମୟଯୋଗୀ ଟିକାକରଣ ତଥ୍ୟ ଅନଲାଇନରେ http://inaph.nddb.coop/ ରେ ଉପଲବ୍ଧ ହେବ ।
ସରକାରଙ୍କ ଏହି ପଦକ୍ଷେପକୁ ଗାଈଗୋରୁ ମାଲିକମାନେ ସ୍ୱାଗତ କରିଛନ୍ତି ।
ଲୋକାଲ ୱାୟାର
Leave a Reply