କେନ୍ଦ୍ରାପଡ଼ା, ଅଗଷ୍ଟ ୨୬(ଲୋକାଲ ୱାୟାର): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ତିନି ଦିନ ଧରି ବର୍ଷା ଲାଗି ରହିଥିବାରୁ ଯାଜପୁର ଓ କେନ୍ଦ୍ରାପଡା ଜିଲ୍ଲାର ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି । ପ୍ରମୁଖ ନଦୀଗୁଡିକର ଜଳପତ୍ତନ ବଢ଼ିବାରେ ଲାଗିଛି ।
ଲଗାଣ ବର୍ଷା ଯୋଗୁଁ ଯାଜପୁର ଜିଲ୍ଲାର ଦଶରଥପୁର, ବରୀ, ବିଞ୍ଝାରପୁର, ବଡ଼ଚଣା ଓ କୋରେଇ ବ୍ଲକର ନଦୀକୂଳିଆ ଗାଁଗୁଡିକରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ତଳିଆ ଅଞ୍ଚଳରେ ଲୋକଙ୍କ ଜୀବନଯାତ୍ରା ଠପ ହୋଇଯାଇଛି ।
ଯାଜପୁର ଜିଲ୍ଲାର ଆଖୁଆପଦା ଠାରେ ବୈତରଣୀ ନଦୀ ବୁଧବାର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ।
ପ୍ରବଳ ବର୍ଷା ଜନିତ କ୍ଷୟକ୍ଷତିର ଆକଳନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷକୁ ଜରୁରୀକାଳିନ ବୈଠକ ଡକା ଯାଇଥିଲା । ପାଣି ବଢୁଥିବାରୁ ଜିଲ୍ଲାର ଆହୁରି ଅନେକ ଗାଁ ପ୍ରଭାବିତ ହେବା ଆଶଙ୍କା କରାଯାଉଛି ।
ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଓ ବ୍ଲକ ମୁଖ୍ୟାଳୟରେ ଚାଉଳ, ଚୁଡ଼ା, ଗୁଡ଼, କିରୋସିନ ଓ ଅନ୍ୟ ସାମଗ୍ରୀ ମହଜୁଦ ରଖାଯାଇଛି ।
ଜିଲ୍ଲାର ସରକାରୀ କର୍ମଚାରୀଙ୍କୁ ହେଡକ୍ୱାର୍ଟର ନଛାଡିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଦେ୍ର୍ଦଶ ଦିଆଯାଇଛି । ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ୩୮ଟି ପାୱାର ବୋଟ ପ୍ରସ୍ତୁତ କରି ରଖାଯାଇଛି ବୋଲି ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ କହିଛନ୍ତି ।
ରାଜନଗରରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର କୋଭିଡ ସଙ୍ଗରୋଧ ୱାର୍ଡରେ ପାଣି ପଶିଛି । ଡାକ୍ତରଖାନା କର୍ମଚାରୀ ଆଣ୍ଠୁଏ ପାଣିରେ ପଶି କାମ କରୁଛନ୍ତି । ପ୍ରବଳ ବର୍ଷା ଯୋଗୁଁ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପାଣି ପଶି ଯାଇଛି ।
ଡାକ୍ତରଖାନାର ପ୍ରଶାସନିକ ବ୍ଲକ ଓ କୋଭିଡ୍ ସଙ୍ଗରୋଧ କେନ୍ଦ୍ରରେ ପାଣି ପଶିଯାଇଛି । ଡାକ୍ତରଖାନା ପରିସରରେ ପାଣି ଜମି ରହିଛି । ଡାକ୍ତରଖାନା କର୍ମଚାରୀମାନେ ଜମି ରହିଥିବା ପାଣି ନିଷ୍କାସନ କରିବାକୁ ଚେଷ୍ଟା କରୁଛନ୍ତି ।
ଆମେ ପ୍ରଶାସନିକ ବ୍ଲକ ଓ କୋଭିଡ ସଙ୍ଗରୋଧ ୱାର୍ଡରୁ ରୋଗୀମାନଙ୍କୁ ଡାକ୍ତରଖାନାର ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛୁ ବୋଲି ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଧିକାରୀ ଡା ରଶ୍ମି ରଞ୍ଜନ ମହାନ୍ତି କହିଛନ୍ତି ।
ନଦୀବନ୍ଧ ଦୁର୍ବଳ ହୋଇ ପଡ଼ିଥିବାରୁ ଦଶରଥପୁର, କୋରେଇ, ବିଞ୍ଝାରପୁର, ବଡଚଣା ଓ ଯାଜପୁର ବ୍ଲକର ନଦୀକୂଳିଆ ଗାଁଲୋକେ ରାତି ଅନିଦ୍ରା ରହୁଛନ୍ତି ।
ନଦୀ ବନ୍ଧ ମରାମତି ପାଇଁ ପୂର୍ବରୁ ଗ୍ରାମବାସୀମାନେ ବାରମ୍ବାର ଦାବି କରିଥିଲେ ମଧ୍ୟ କର୍ତୃପକ୍ଷ କେବଳ ପ୍ରତିଶ୍ରୁତ ଦେବା ବ୍ୟତୀତ କୌଣସି ପଦକ୍ଷେପ ନେଇ ନଥିଲେ ।
ବୈତରଣୀ ନଦୀ ଜଳସ୍ତର ବଢୁଥିବାରୁ ୪୦ଟି ଗାଁକୁ ଅଚାନକ ବନ୍ୟା ଭୟ ଗ୍ରାସିଛି ବୋଲି ଦଶରଥପୁରର ଅକ୍ଷୟ ଜେନା କହିଛନ୍ତି ।
ବୈତରଣୀ ନଦୀ କୂଳରେ ଥିବା ଗୁଆଳିଗାଁ, ବୁରୋଡିଆ, ମହୁରି, ପାଙ୍କିଗୋପାଳପୁର, ଦରବା, ମାଣପୁର, ଗହମପାଳ, ବଜରପୁର, ଉପାଲେଇ, ମହୁରିଗାଁ ଓ ରାଜକନିକା ବ୍ଲକର ଅନ୍ୟ ଅଂଚଳର ଲୋକ ନଦୀବନ୍ଧ ଭାଙ୍ଗିଯିବ ବୋଲି ଆଶଙ୍କା କରୁଛନ୍ତି ।
ସମୟ ଥାଉ ଥାଉ କର୍ତୃପକ୍ଷ ପଦକ୍ଷେପ ନେଇ ନଥିବାରୁ ଏବେ ୨୨ଟି ଗାଁର ଲୋକେ ଅଚାନକ ବନ୍ୟାର ସମ୍ମୁଖୀନ ହୋଇଛନ୍ତି ବୋଲି ମାଣପୁରର ଅବସରପ୍ରାପ୍ତ ସ୍କୁଲ ଶିକ୍ଷକ ଭାଗବତ ଦାସ କହିଛନ୍ତି ।
ବୈତରଣୀ ନଦୀ ବଢୁଥିବାରୁ ଆଳି, ରାଜକନିକା, ପଟ୍ଟାମୁଣ୍ଡାଇ ବ୍ଲକରେ ବୁଧବାର ବନ୍ୟା ସତର୍କତା ଜାରି ହୋଇଥିଲା । ପ୍ରବଳ ବର୍ଷା ଲାଗି ରହିଲେ ନଦୀର ଜଳ ସ୍ତର ବଢିବା ନେଇ ଜିଲ୍ଲା ପ୍ରଶାସନ ସତର୍କ କରାଇ ଦେଇଥିଲା ।
ପ୍ରତିଷେଧକ ପଦକ୍ଷେପ ଭାବେ ଜିଲ୍ଲାରେ ଏନଡିଆରଏଫର ଏକ ଟିମ୍ ମୁତୟନ ହୋଇଛି । ନଦୀକୁ ଗାଧୋଇବା, ମାଛ ଧରିବାକୁ ନଯିବା ପାଇଁ ଆମେ ଲୋକଙ୍କୁ ସତର୍କ କରାଇ ଦେଇଛୁ ବୋଲି ଜିଲ୍ଲା ଜରୁରୀକାଳିନ ଅଧିକାରୀ ସମ୍ବିତ ଶତପଥି କହିଛନ୍ତି ।
ଲୋକାଲ ୱାୟାର
Leave a Reply