କେନ୍ଦ୍ରାପଡା, ଜାନୁଆରୀ ୨ (ଲୋକାଲ ୱାୟାର): ୧୮ ମାସର କାର୍ଯ୍ୟକାଳ ପରେ ଶୁକ୍ରବାର କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ବଦଳି ହୋଇଛି
ଜିଲ୍ଲା ଗଠନର ୨୭ ବର୍ଷ ମଧ୍ୟରେ ୪୫ ଜିଲ୍ଲାପାଳ କେନ୍ଦ୍ରାପଡାରେ ଅବସ୍ଥାପିତ ହେଲେଣି ।
ବାରମ୍ବାର ଜିଲ୍ଲାପାଳ ବଦଳି ପଛରେ ରାଜନୈତିକ ଉଦେ୍ଦଶ୍ୟ ଥିବା ଚର୍ଚ୍ଚା ହେଉଛି । ଶୁକ୍ରବାର କେନ୍ଦ୍ରାପଡାର ୪୫ତମ ଜିଲ୍ଲାପାଳ ଭାବେ ଅମ୍ରିତ ଋତୁରାଜଙ୍କୁ ନିଯୁକ୍ତି ମିଳିଛି ।
ବାରମ୍ବାର ଜିଲ୍ଲାପାଳ ବଦଳି ଯୋଗୁଁ ଜିଲ୍ଲାର ବିକାଶ ବାଧାପ୍ରାପ୍ତ ହେଉଥିବା କେନ୍ଦ୍ରାପଡା ମ୍ୟୁନିିପାଲିଟିର ପୂର୍ବତନ ଅଧ୍ୟକ୍ଷ ବିଜୟକୃଷ୍ଣ ସାହୁ ଅଭିଯୋଗ କରିଛନ୍ତି ।
ସମର୍ଥଙ୍କ ପୂର୍ବରୁ ପ୍ରେମଚନ୍ଦ୍ର ଚୌଧୁରୀ ମେ ୬ ୨୦୧୯ରୁ ଜୁନ ୨୧, ୨୦୧୯, ଦାଶରଥି ଶତପଥି ଅଗଷ୍ଟ ୪, ୨୦୧୮ରୁ ମେ ୫, ୨୦୧୯, ରେଘୁ. ଜି ୨୬ ଏପ୍ରିଲ, ୨୦୧୭ରୁ ୩ ଅଗଷ୍ଟ, ୨୦୧୮, ମୁରଲୀଧର ମଲ୍ଲିକ ନଭେମ୍ବର ୨୭, ୨୦୧୬ରୁ ଏପ୍ରିଲ ୨୧, ୨୦୧୭ ଓ ଦେବରାଜ ସେନାପତି ଏପ୍ରିଲ ୨୦୧୫ରୁ ସେପ୍ଟେମ୍ବର ୨୦୧୬ କେନ୍ଦ୍ରାପଡା ଜିଲ୍ଲାପାଳ ଭାବେ ନିଯୁକ୍ତ ହୋଇଥିଲେ ।
ବାରମ୍ବାର ଜିଲ୍ଲାପାଳ ବଦଳୁଥିବାରୁ ଲୋକଙ୍କ ସମସ୍ୟା ସମାଧାନ ହୋଇ ପାରୁନାହିଁ । ବରିଷ୍ଠ ଅଧିକାରୀମାନେ ଶାସକ ଦଳ ବିଧାୟକ ଓ ନେତାମାନଙ୍କ ଇସାରାରେ ପରିଚାଳିତ ହେଉଛନ୍ତି ବୋଲି ବରିଷ୍ଠ ଆଇନଜୀବି ତଥା ଜିଲ୍ଲା ଓକିଲ ସଙ୍ଘ ସଭାପତି ସରୋଜକାନ୍ତ ସିଂହ କହିଛନ୍ତି ।
ଶାସକ ଦଳ ଇଙ୍ଗିତରେ ପରିଚାଳିତ ନହେବାରୁ ଜିଲ୍ଲାପାଳମାନଙ୍କୁ ବଦଳି କରାଯାଉଛି ।
ଲୋକଙ୍କ ସମସ୍ୟା ସମାଧାନ ଓ ଜିଲ୍ଲାର ବିକାଶ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟକାଳ ଅତିକମରେ ୨ ବର୍ଷ ରହିବା ଉଚିତ ବୋଲି ବରିଷ୍ଠ ଆଇନଜୀବି ଓ ଜିଲ୍ଲା ଓକିଲ ସଙ୍ଘର ପୂର୍ବତନ ସଭାପତି ଉମେଶ ଚନ୍ଦ୍ର ସିଂହ କହିଛନ୍ତି ।
ଲୋକାଲ ୱାୟାର
Leave a Reply