ଭୁବନେଶ୍ୱର, ଡିସେମ୍ବର ୨୮(ଲୋକାଲ ୱାୟାର): କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦଠାରୁ ଅନତି ଦୂରରେ ଥିବା ‘ସୁତନ’ଗ୍ରାମ ସ୍ଥିତ ‘ସୁତନ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ’ର ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ଡାକ ବିଭାଗ ତରଫରୁ ଏକ ସ୍ୱତନ୍ତ୍ର ଡାକ ଲଫାପା ପ୍ରକାଶ ପାଇଛି ।
ସୂଚନା ଯୋଗ୍ୟ, ଏଠାରେ ପୂର୍ବରୁ ପ୍ରତିଷ୍ଠିତ ‘ସୁତନ ଧର୍ମପଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ’ ପରବର୍ତ୍ତୀ ସମୟରେ ଅଞ୍ଚଳର ବିଶିଷ୍ଟ ଶିକ୍ଷାବିତ୍ ଓ ଶିକ୍ଷାପ୍ରେମୀ ଗୌରାଙ୍ଗ ଚରଣ ବିଶ୍ୱାଳଙ୍କ ଉଦ୍ୟମରେ ୧୯୭୧ ମସିହାରେ ବେସରକାରୀ ଭାବେ ସୁତନ ମଧ୍ୟ ଇଂରାଜୀ ବିଦ୍ୟାଳୟ ନାମରେ ପ୍ରତିଷ୍ଠିତ ହୋଇଥିଲା ଓ ପରବର୍ତୀ ସମୟରେ ଏହା ସରକାରୀ ବିଦ୍ୟାଳୟ ଭାବେ ‘ସୁତନ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ’ (ସୁତନ ୟୁ.ଜି.ୟୁ.ପି ସ୍କୁଲ) ନାମରେ ପରିଚିତ ଲାଭ କରିଛି ।
ଏହି ୫୦ ବର୍ଷର ସ୍ମୃତିକୁ ପାଥେୟ କରି ବିଦ୍ୟାଳୟ ତରଫରୁ କୋଣାର୍କ ଏନ୍.ଏ.ସି ସ୍ଥିତ ଉପଡାକଘର ପରିସରରେ ଆୟୋଜିତ ଉତ୍ସବରେ ଓଡ଼ିଶା ଡାକ ପରିମଣ୍ଡଳ, ଭୁବନେଶ୍ୱରର ମହାଡାକପାଳ କର୍ଣ୍ଣେଲ ଜଳେଶ୍ୱର କଅଁର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱତନ୍ତ୍ର ଡାକ ଲଫାଫାକୁ ଉନ୍ମୋଚନ କରିଥିଲେ ।
ସୁତନ ୟୁଜିୟୁପି ସ୍କୁଲର ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଏଠାରେ ଆୟୋଜିତ ସାଧାରଣ ସଭାରେ ସମ୍ମାନିତ ଅତିଥି ଭାବେ ପୁରୀ ଡାକ ଡିଭିଜନର ବରିଷ୍ଠ ଡାକ ଅଧିକ୍ଷକ ବିପିନ ବିହାରୀ ମହାନ୍ତି ଉପସ୍ଥିତ ଥିବା ବେଳେ ସମ୍ମାନନୀୟ ଅତିଥି ଭାବେ ସୁତନ ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ, ଅଶୋକ କୁମାର ଖୁଣ୍ଟିଆ ପ୍ରମୁଖ ଯୋଗଦେଇ ଶିକ୍ଷାର ବିକାଶରେ ଓ ଗ୍ରାମରେ ଏକତା ଓ ସଂହତି ପ୍ରତିଷ୍ଠାରେ ତକ୍ରାଳୀନ ସୁତନ ଏମ୍.ଇ.ସ୍କୁଲର ପ୍ରତିଷ୍ଠାତା ସ୍ୱର୍ଗତ ଗୌରାଙ୍ଗ ଚରଣ ବିଶ୍ୱାଳଙ୍କ ଉଦ୍ୟମ ପ୍ରଶଂସନୀୟ ରହିଥିଲା ବୋଲି କହିଥିଲେ ।
ସୁତନ ହାଇସ୍କୁଲର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ନାଥ ପାଢ଼ୀ ଅତିଥି ପରିଚୟ ପ୍ରଦାନ କରିଥିଲେ ।
ଲୋକାଲ ୱାୟାର
Leave a Reply