ଭୂବନେଶ୍ୱର, ଅଗଷ୍ଟ ୩(ଲୋକାଲ ୱାୟାର): କୋଭିଡ୍-୧୯ ଭଳି ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ସମୟରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ନିମ୍ନ ମାନର ଔଷଧ, ପିପିଇ କିଟ୍ ଦିଆଯାଉଥିବା ସୋମବାର ଅଭିଯୋଗ କରିଛନ୍ତି ବିଜେପି ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର ।
ସେ କହିଛନ୍ତି, ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ କାହିଁକି ଔଷଧ ଓ ପିପିଇ କିଟ୍ ପାଇଁ ବିଡିଓଙ୍କୁ ଅନୁରୋଧ କରିବେ?
ଏଭଳି ଜରୁରୀକାଳିନ ସ୍ୱାସ୍ଥ୍ୟ ସେବା ସମୟରେ ଆବଶ୍ୟକ ଔଷଧ, ପିପିଇ କିଟ୍ କାହିଁକି ଅଳ୍ପ ମାତ୍ରାରେ ଯୋଗାଇ ଦିଆଯାଉଛି? ଏଥି ପାଇଁ କଣ ପ୍ରଶାସନ ଓ ରାଜ୍ୟ ସରକାର ଦାୟୀ ନୁହନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି ।
ଶ୍ରୀ ବକ୍ସିପାତ୍ର ଅଭିଯୋଗ କରିଛନ୍ତି, ଗତ କିଛି ଦିନ ହେଲାଣି ଗଞ୍ଜାମ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।
ଅକ୍ସିଜେନ ଅଭାବ କାରଣରୁ ଆକ୍ରାନ୍ତଙ୍କ ମୃତ୍ୟୁ ହେଉଛି ବୋଲି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପ୍ରଚାର ହେଉଛି ।
ଗୋଟିଏ ଅକ୍ସିଜେନ ସିଲିଣ୍ଡରର ମୂଲ୍ୟ ପାଖାପାଖି ୧୦ ହଜାର ଟଙ୍କା ଏବଂ ୨-୩ ଚାଲିବା କଥା, ମାତ୍ର ୨-୩ ଘଣ୍ଟାରେ ଅକ୍ସିଜେନ ସିଲିଣ୍ଡର ସରିଯିବା ଅତ୍ୟନ୍ତ ଆଶ୍ଚର୍ଯ୍ୟ ଓ ଦୁର୍ଭାଗ୍ୟଜନକ ।
ଆବଶ୍ୟକ ସମୟରେ ଅକ୍ସିଜେନ ସିଲିଣ୍ଡରର ଅଭାବ କାରଣରୁ ମୃତ୍ୟୁ ଘଟୁଛି ବୋଲି ମୃତକଙ୍କ ସଂପର୍କୀୟ ଅଭିଯୋଗ କରୁଛନ୍ତି । ପରିଚାଳନା ତୃଟି କାରଣରୁ ଡାକ୍ତରଖାନାରେ ୨୪ ଘଣ୍ଟା ଡାକ୍ତରୀ ସେବାର ଅଭାବ ପରିଲକ୍ଷିତ ହେଉଛି ।
ଜିଲ୍ଲାରେ କୋଭିଡ୍ ଚିକିତ୍ସା ପାଇଁ ମାତ୍ର ୩୦୦ଟି ବେଡ୍ ରହିଥିବାବେଳେ ଅକ୍ସିଜେନ ଅଭାବ ପରିଲକ୍ଷିତ ହେବା ଅତ୍ୟନ୍ତ ଚିନ୍ତାଜନକ ବୋଲି ସେ ଅଭିଯୋଗ କରିଛନ୍ତି ।
ଅକ୍ସିଜେନ ସିଲିଣ୍ଡର ଯୋଗାଉଥିବା ସଂସ୍ଥା କିମ୍ବା ଭେଣ୍ଡରକୁ କାହିଁକି ରାଜ୍ୟ ସରକାର ଏବଂ ପ୍ରଶାସନ ପ୍ରଶ୍ନ କରୁନାହାନ୍ତି?
ସେହିପରି କୋଭିଡ୍ ଚିକିତ୍ସା ପାଇଁ ଯୋଗାଇ ଦିଆଯାଉଥିବା ପାରାସିଟାମୋଲ ଓ ଆଜିଥ୍ରୋମାଇସିନ ଟାବଲେଟ୍, ପିପିଇ କିଟ୍ ଅତ୍ୟନ୍ତ ନିମ୍ନ ମାନର ହୋଇଥିବା କାରଣରୁ ରୋଗୀଟି ପ୍ରକୃତ ଚିକିତ୍ସା ପାଇବାରୁ ବଂଚିତ ହେଉଛି ଏବଂ କ୍ରମଶଃ ଆକ୍ରାନ୍ତର ସ୍ଥିତି ଜଟିଳ ହେବାରେ ଲାଗିଛି ।
ଏଭଳି ସମୟରେ ଅକ୍ସିଜେନ ମଧ୍ୟ ମିଳୁ ନାହିଁ । ଆବଶ୍ୟକ ମୁତାବକ
ଔଷଧ, ଟେଷ୍ଟିଂ ସାମଗ୍ରୀ, ପିପିଇ କିଟ୍ ଆଦି ବିଡିଓ ଯୋଗାଉ ନାହାନ୍ତି । ଆଜିକାର ଏଭଳି ସଂକଟ ସମୟରେ ବିଡିଓଙ୍କୁ କାହିଁକି ଦାୟିତ୍ୱ ଦିଆଯାଇଛି ବୋଲି ଶ୍ରୀ ବକ୍ସିପାତ୍ର ପ୍ରଶ୍ନ କରିଛନ୍ତି ।
ରୋଗୀଟି ଥରେ ଆଇସୋଲେସନ କେନ୍ଦ୍ରକୁ ଗଲା ପରେ ତାଙ୍କର ସ୍ଥିତି ସଂପର୍କରେ କେହି ହେଲେ ଜାଣି ପାରୁ ନାହାନ୍ତି ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି ।
ଲୋକାଲ ୱାୟାର
Leave a Reply