କେନ୍ଦ୍ରାପଡ଼ା, ନଭେମ୍ବର ୨୭ (ଲୋକାଲ ୱାୟାର): ବୁଧବାର ଠାରୁ ପାଞ୍ଚ ଦିନ ଯାଏଁ ପାଳିତ ହେଉଥିବା ପଞ୍ଚୁକରେ ମହିଳାମାନେ ଘରେ ଓ ଗାଁଦାଣ୍ଡରେ ଚିତା କିମ୍ବା ଝୋଟି ଓ ମୁରୁଜ ପକାଇ ଘରେ ସୁଖସମୃଦ୍ଧି ପାଇଁ ମା ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରିଥାନ୍ତି ।
ତେବେ ଚଳିତ ବର୍ଷ କରୋନା ଯୋଗୁଁ ସାମାଜିକ ଦୂରତ୍ୱ ଓ ଅନ୍ୟ କଟକଣା ଯୋଗୁଁ ପଞ୍ଚୁକର ଉତ୍ସାହ ଫିକା ପଡ଼ିଯାଇଛି । ପଂଚୁକ ବେଳେ ରଙ୍ଗବେରଙ୍ଗର ମୁରୁଜ ବ୍ୟବସାୟ ବଢିଥାଏ ।
ହେଲେ ଚଳିତ ବର୍ଷ ଲୋକଙ୍କ ଆର୍ଥିକ ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିବାରୁ ମୁରୁଜ ଓ ଚାଉଳଗୁଣ୍ଡ ବିକ୍ରି କମ ହୋଇଛି । ଗତବର୍ଷ ତୁଳନାରେ ବ୍ୟବସାୟୀ ୫୦ରୁ ୭୦ ପ୍ରତିଶତ କମ୍ ରହିଛି ବୋଲି କେନ୍ଦ୍ରାପଡ଼ାର ମୁରୁଜ ବ୍ୟବସାୟୀ ଅଜିତ ବେହେରା କହିଛନ୍ତି ।
ପଂଚୁକରେ ଲୋକେ ପରିବାର ସହ ମନ୍ଦିର ଯାଆନ୍ତି ଓ ଘରେ ରଙ୍ଗବେରଙ୍ଗର ମୁରୁଜ ପକାନ୍ତି । ହେଲେ ଚଳିତ ବର୍ଷ ମନ୍ଦିର ବନ୍ଦ ଥିବାରୁ ଆମେ ଘରେ ପଞ୍ଚୁକ ପାଳୁଛୁ ବୋଲି କେନ୍ଦ୍ରାପଡାର ପାର୍ବତୀ ଦାସ କହିଛନ୍ତି ।
ପିଲାଦିନୁ ପଞ୍ଚୁକ ବେଳେ ମୁରୁଜ ପକାଇବା ଆମ ପାଇଁ ପ୍ରମୁଖ ଆକର୍ଷଣ ଥିଲା । ଘର ଓ ଗାଁଦାଣ୍ଡରେ ଆମେ ମୁରୁଜ ପକାଇ ଥାଉ ।
ହେଲେ ଏବର୍ଷ କରୋନା ଯୋଗୁଁ ଆମେ ଘରର ଗୋଟିଏ କୋଠରୀରେ ମୁରୁଜ ପକାଇଛୁ ବୋଲି ଭରତପୁର ଗାଁର ସନ୍ଧ୍ୟାରାଣୀ ଦାସ କହିଛନ୍ତି ।
ପଞ୍ଚୁକ ଅବସରରେ ଗାଁରେ ମୁରୁଜ ପ୍ରତିଯୋଗିତା ହୁଏ । ଚକ, ଚାଉଳ ଗୁଣ୍ଡ, ଚୁନପଥର ଗୁଣ୍ଡ ଓ ଅନ୍ୟ ହର୍ବାଲ ରଙ୍ଗରେ ସୁନ୍ଦର ସୁନ୍ଦର ଡିଜାଇନର ମୁରୁଜ ପଡିଥାଏ ।
ହେଲେ ଚଳିତ ବର୍ଷ କରୋନା ଯୋଗୁଁ ଏହି ପ୍ରତିଯୋଗିତା ହେବ ନାହିଁ ବୋଲି କଂସର ପଞ୍ଚାୟତର ସରପଞ୍ଚ ପ୍ରଦ୍ୟୁମ୍ନ ଜେନା କହିଛନ୍ତି ।
ପଞ୍ଚୁକରେ ମହିଳାମାନେ ଚଟାଣ, ଅଗଣା, ଘରର ଭିତର ଓ ବାହର କାନ୍ଥ, ପ୍ରବେଶ ଦ୍ୱାରରେ ଝୋଟି ପକାନ୍ତି । ଗ୍ରାମାଞ୍ଚଳରେ ଚାଉଳବଟାରୁ ପ୍ରସ୍ତୁତ ଝୋଟିଚିତାରେ ଆଙ୍ଗୁଠିରେ ଚିତା ପକାଇ ଘର ସଜାଯାଏ ।
ସହରାଞ୍ଚଳରେ ଘର ସଜାଇବା ପାଇଁ ବିଭିନ୍ନ ଇକୋ-ଫ୍ରେଣ୍ଡଲି ରଙ୍ଗ ବ୍ୟବହାର ହୁଏ ବୋଲି ଗବେଷକ ତଥା ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ଡଃ ବାସୁଦେବ ଦାସ କହିଛନ୍ତି ।
ଲୋକାଲ ୱାୟାର
Leave a Reply