ଭୁବନେଶ୍ୱର, ଅଗଷ୍ଟ ୯(ଲୋକାଲ ୱାୟାର): କ୍ରାନ୍ତି ଦିବସ ହେଉଛି ଆଧୁନିକ ଭାରତ ପାଇଁ ଏକ ମୂଲ୍ୟବାନ ସନ୍ତକ ।
ଜାତିର ପିତା ମହାତ୍ମାଗାନ୍ଧୀଙ୍କ ନେତୃତ୍ୱରେ ତାଙ୍କ ସହଯୋଗୀମାନଙ୍କ ଦ୍ୱାରା ସାରା ଦେଶରେ ସଙ୍ଗଠିତ କ୍ରାନ୍ତି ଆନ୍ଦୋଳନରେ ଓଡ଼ିଶାର ସଂଗ୍ରାମୀମାନଙ୍କ ଭୂମିକା ଅନସ୍ୱୀକାର୍ଯ୍ୟ ବୋଲି ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କହିଛନ୍ତି ।
ରାଜ୍ୟ ଅଭିଲେଖାଗାର ଆନୁକୁଲ୍ୟରେ ରବିବାର କ୍ରାନ୍ତି ଦିବସ ଉପଲକ୍ଷେ କୋଭିଡ ୧୯ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆୟୋଜିତ ୱେବିନାରରେ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ରାଜ୍ୟର କ୍ରାନ୍ତୀବୀରମାନଙ୍କ ଉଦ୍ଦେଶ୍ଯରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।
ଏନେଇ ଆୟୋଜିତ ସ୍ୱତନ୍ତ୍ର ୱେବିନାରରେ ବିଶିଷ୍ଟ ଶିକ୍ଷାବିତ୍ ତଥା ଐତିହାସିକ ପ୍ରଫେସର ଡ ପ୍ରୀତିଶ ଆଚାର୍ଯ୍ୟ ଯୋଗଦେଇ କହିଥିଲେ ଅଗଷ୍ଟ କ୍ରାନ୍ତି ଆନେ୍ଦାଳନ ସ୍ୱାଧୀନତା ସଂଗ୍ରାମର ଅନ୍ତିମ ପର୍ଯ୍ୟାୟ ଥିଲା ।
ଏହି ଦିନଠାରୁ ଇଂରେଜମାନେ ଉପନିବେଶ ଶକ୍ତିର ଭାରତ ପରିତ୍ୟାଗ ନିର୍ଦ୍ଧାରିତ ହୋଇଥିଲା । କାର୍ଯ୍ୟକ୍ରମରେ ସଂସ୍କୃତି ବିଭାଗର ଅତିରିକ୍ତ ଶାସନ ସଚିବ ତଥା ନିର୍ଦ୍ଦେଶକ ବିଜୟ କୁମାର ନାୟକ ମଧ୍ୟ ବକ୍ତବ୍ୟ ରଖିଥିଲେ ।
ଅଭିଲେଖାଗାର ଅଧୀକ୍ଷକ ଡ ଶେଖ୍ ସୁଲେମାନ୍ ଅଲ୍ଲୀ ସ୍ୱାଗତ ସୂଚନା ଦେବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ୱେବିନାରରେ ସ୍ୱାଧୀନତା ସଂଗ୍ରାମୀମାନଙ୍କ ସ୍ମୃତିଚାରଣ ମଧ୍ୟ ସ୍ଥାନିତ ହୋଇଥିଲା ।
ଲୋକାଲ ୱାୟାର
Leave a Reply