ଭୁବନେଶ୍ୱର, ନଭେମ୍ବର ୨୬(ଲୋକାଲ ୱାୟାର): ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସପିଟାଲରେ ମାଗଣା ଏମଆରଆଇ ସେବାକୁ ଗୁରୁବାର ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଉଦଘାଟନ କରିଛନ୍ତି ।
କ୍ୟାପିଟାଲ ହସପିଟାଲରେ ୧୦ ବର୍ଷ ପାଇଁ ଏହି ସେବା ଉପଲବ୍ଧ କରାଇବାକୁ ରାଜ୍ୟ ସରକାର ଓ ବେଙ୍ଗାଲୁରୁର ମଣିପାଲ ହେଲଥ୍ ମ୍ୟାପ୍ ଡାଇଗ୍ନୋସିସ୍ ପ୍ରାଇଭେଟ୍ ଲିମିଟେଡ୍ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି ।
ଏବେ ଗୋଟିଏ ଏମଆରଆଇ ପାଇଁ ବେସରକାରୀ ସଂସ୍ଥାରେ ରୋଗୀଙ୍କୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡ଼ୁଥିବା ବେଳେ କ୍ୟାପିଟାଲ ହସପିଟାଲରେ ଏହି ସେବା ମାଗଣା ମିଳିପାରିବ ।
ତେବେ ମଣିପାଲ ସଂସ୍ଥାକୁ ପ୍ରତି ଏମଆରଆଇ ପାଇଁ ରାଜ୍ୟ ସରକାର ୧୮୮୫ ଟଙ୍କା ଦେବାକୁ ଚୁକ୍ତିବଦ୍ଧ ହୋଇଛନ୍ତି । ଏମଆରଆଇ ରିପୋର୍ଟ ଅତି ବେଶୀରେ ୫ ଘଣ୍ଟା ମଧ୍ୟରେ ରୋଗୀଙ୍କୁ ମିଳିଯିବ ।
ଆସନ୍ତାଦିନରେ କଟକର ଆଚାର୍ଯ୍ୟ ହରିହର କର୍କଟ ଗବେଷଣା କେନ୍ଦ୍ରରେ ମଧ୍ୟ ଏହି ସେବା ଉପଲବ୍ଧ ହେବ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ।
ଉଦଘାଟନୀ କାର୍ଯ୍ୟକ୍ରମରେ ବିଜ୍ଞାନ ଓ କାରିଗରି ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ସୁଶାନ୍ତ ରାଉତ, ଅନନ୍ତ ନାରାୟଣ ଜେନା, ଡିଏମଇଟି ପ୍ରଫେସର ସିବିକେ ମହାନ୍ତି, ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି, କ୍ୟାପିଟାଲ ହସ୍ପିଟାଲ ନିଦେ୍ର୍ଦଶକ ଲକ୍ଷ୍ମୀଧର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ଲୋକାଲ ୱାୟାର
Leave a Reply