କେନ୍ଦ୍ରାପଡ଼ା, ମାର୍ଚ୍ଚ ୮ (ଲୋକାଲ ୱାୟାର): ଖରାଦିନେ ପଶୁଙ୍କୁ ସୁରକ୍ଷିତ ରଖିବା ପାଇଁ ଭିତରକନିକା କର୍ତୃପକ୍ଷ ବିଭିନ୍ନ ପଦକ୍ଷେପ ନେଇଛନ୍ତି ।
ଖରାଦିନେ ଭିତରକନିକାରେ ଜଳାଭାବ ଓ ଖାଦ୍ୟ ସଙ୍କଟ ସମସ୍ୟାର ମୁକାବିଲା ବନ ବିଭାଗ ପାଇଁ ବେଶ ଚ୍ୟାଲେଞ୍ଜିଂ ।
ଡାଙ୍ଗମାଳରେ ଥିବା ଥଂଟିଆ କୁମ୍ଭୀର, ଅଜଗର ଓ ଅନ୍ୟ ପ୍ରାଣୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି ।
ବଉଳା କୁମ୍ଭୀର ଗୋରି ଓ ଅନ୍ୟ କୁମ୍ଭୀରଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି ।
ଡାଙ୍ଗମାଳ ସ୍ଥିତ କୁମ୍ଭୀର ପ୍ରଜନନ ଓ ଗବେଷଣା କେନ୍ଦ୍ରର ପ୍ରାୟ ୧୦୦ କୁମ୍ଭୀର ଶାବକଙ୍କୁ ପ୍ରଚଣ୍ଡ ଖରାରୁ ରକ୍ଷା କରିବା ପାଇଁ ପଦକ୍ଷେପ ନିଆଯାଇଛି ।
ଭିତରକନିକା ହେନ୍ତାଳ ବଣରେ ରହୁଥିବା ଚିତ୍ରା ହରିଣ ଓ ବାରହା ଖରାଦିନେ ନିକଟସ୍ଥ ପୋଖରୀ ଓ ଜଳାଶୟକୁ ପାଣି ସନ୍ଧାନରେ ଚାଲି ଆସୁଥିବାରୁ ସେମାନଙ୍କ ପାଇଁ ୨୦ଟି ପୋଖରୀ ଓ ୪୦ଟି ଚୁଆ ଖୋଳା ଯାଇଛି ।
ଖରାଦିନେ ଜଙ୍ଗଲରେ ଲାଗୁଥିବା ନିଆଁ ରୋକିବା ପାଇଁ ବନ ବିଭାଗ ପକ୍ଷରୁ ଉଦ୍ୟାନର ବିଭିନ୍ନ ସ୍ଥାନରେ ଗାତ ଖୋଳା ଯାଇଛି ।
ଚଳିତ ବର୍ଷ ୪୦ ବନ କର୍ମଚାରୀଙ୍କ ସହ ଅତିରିକ୍ତ ୪୫ ଜଗୁଆଳୀଙ୍କୁ ଜଙ୍ଗଲ ନିଆଁ ଚିହ୍ନଟ ଓ ରୋକିବା କାମରେ ମୁତୟନ କରାଯାଇଛି ।
ବୋଟଗୁଡିକରେ ଅଗ୍ନି ନିର୍ବାପକ ଲଗାଯିବା ସହ ବନରକ୍ଷୀମାନଙ୍କୁ ଅଗ୍ନି ନିର୍ବାପକ ଯନ୍ତ୍ର ଦିଆଯାଇଛି ।
ପର୍ଯ୍ୟଟକମାନଙ୍କୁ ଜଙ୍ଗଲରେ ରୋଷେଇ କରିବାକୁ ବାରଣ କରାଯାଇଛି ବୋଲ ଭିତରକନିକା ଡିଏଫଓ ବିକାଶ ରଞ୍ଜନ ଦାଶ କହିଛନ୍ତି ।
ଲୋକାଲ ୱାୟାର
Leave a Reply