ଜଗତସିଂହପୁର, ମାର୍ଚ୍ଚ ୨୦ (ଲୋକାଲ ୱାୟାର): ଖରାଦିନ ଆରମ୍ଭ ନହେଉଣୁ ଜଳକଷ୍ଟରେ ହନ୍ତସନ୍ତ ହେଲେଣି ଏରସମା ଓ ବାଲିକୁଦା ବ୍ଲକର ସମୁଦ୍ରକୂଳିଆ ଗ୍ରାମବାସୀ ।
ଟ୍ୟାଙ୍କରରେ ପାଣି ଯୋଗାଇବା ସହ ଦେବୀ ଓ ଶାଖାନଦୀଗୁଡିକରେ ଛୋଟ ବ୍ୟାରେଜ ଏବଂ ଚେକ ଡ୍ୟାମ ନିର୍ମାଣ ପାଇଁ ଲୋକେ ଦାବି କରିଛନ୍ତି ।
ଏରସମା ବ୍ଲକର ଗୋଡା, ଗଡହରିଶପୁର, ଗଡବିଷ୍ଣୁପୁର, ଗରେଇ, ଶୁଆକୁଣ୍ଡ ସାଇଲୋ, ନଳଦିଆ, କୁଞ୍ଜକୋଠି ଆଦି ଗାଁ ଓ ବାଲିକୁଦା ବ୍ଲକର ବୋରିକିନା, ଅପାନ୍ଦରା, ଅମରପାଳ ଆଦି ଗାଁରେ ଜଳଭାବ ସମସ୍ୟା ଉକ୍ରଟ ରୂପ ଧାରଣ କଲାଣି ।
ଗାଁଗୁଡିକରେ ଥିବା ନଅକୂଅରୁ ଲୁଣି ପାଣି ବାହାରୁ ଥିବାରୁ ତାହା ପିଇବା ଓ ରୋଷେଇ କରିବା ଆଦି କାମରେ ଲାଗି ପାରୁନାହିଁ ।
ମହିଳାମାନେ ୨ରୁ ୩ କିଲୋମିଟର ଯାଇ ପାନୀୟ ଜଳ ଆଣୁଛନ୍ତି । ଦୁଃଖର କଥା ହେଲା ଗାଁଗୁଡିକରେ ପାଣି ସମସ୍ୟା ଥିବା ଶୁଣି ବାହାଘର ଓ ନିର୍ବନ୍ଧ ଭାଙ୍ଗି ଯାଉଛି ।
ଗୋଡା ପଂଚାୟତରେ ଥିବା ୧୪୬ଟି ନଅକୂଳରେ ଲୁଣି ପାଣି ବାହାରୁଛି । ଟ୍ୟାଙ୍କର ସହାୟତାରେ ମିଳୁଥିବା ପାଣି ପର୍ଯ୍ୟାପ୍ତ ନଥିବାରୁ ମହିଳାମାନେ ଦୂର ଜାଗାରୁ ପାଣି ଆଣୁଛନ୍ତି ବୋଲି ଗୋଡା ସରପଂଚ ସୁଷମା ସ୍ୱାଇଁ କହିଛନ୍ତି ।
ଭୂତଳ ଜଳ ସ୍ତର ହ୍ରାସ ପାଉଥିବାରୁ ଅନେକ ନଳକୂଅ ଶୁଖିଗଲାଣି । ଦେବୀଦୋଳ ଠାରେ ପ୍ରସ୍ତାବିତ ଜଳଭଣ୍ଡାର ପ୍ରକଳ୍ପ ଶେଷ ହେଲେ ଏରସମା ବ୍ଲକର ୧୨ଟି ପଂଚାୟତ ୫୭ ଗାଁ ଉପକୃତ ହେବେ । ସେହିପରି ବାଲିକୁଦା ବ୍ଲକର ୧୧ ପଂଚାୟତ ଓ ୬୪ ଗାଁ ଉପକୃତ ହେବେ ।
ଏରସମା ବ୍ଲକର ପ୍ରାୟ ୧୭ଟି ପଂଚାୟତର ଲୋକେ ଜଳକଷ୍ଟ ଭୋଗୁଥିବାରୁ ଜପ, ଗୋଡା, ଗଡବିଷ୍ଣୁପୁର, ଆମ୍ବିକି, ଢିଙ୍କିଆ, ଓ ଅନ୍ୟ ପଂଚାୟତରେ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦିଆଯାଇଛି ।
ପାନୀୟ ଜଳ ପାଇଁ ଦେବୀ ନଦୀରେ ପାଇପ ବିଛା କାମ ଶୀଘ୍ର ସରିବ ବୋଲି ଏରସମା ବିଡିଓ କୈଳାଶ ବେହେରା କହିଛନ୍ତି ।
ଲୋକାଲ ୱାୟାର
Leave a Reply