ଜଗତସିଂହପୁର, ଅଗଷ୍ଟ ୪ (ଲୋକାଲ ୱାୟାର): ବର୍ଷା ପାଇଁ ଇନ୍ଦ୍ର ଦେବତାଙ୍କୁ ପ୍ରସନ୍ନ କରିବାକୁ ଜଗତସିଂହପୁର ଜିଲ୍ଲାର ଏକ ଆଭ୍ୟନ୍ତରୀଣ ଗାଁର ଚାଷୀମାନେ ବେଙ୍ଗ ନାଚ କରାଇଛନ୍ତି ।
କରୋନା ଭୂତାଣୁ ଭୟ ସାଙ୍ଗକୁ ସ୍ୱଳ୍ପ ବୃଷ୍ଟି ଯୋଗୁଁ ଚାଷୀମାନେ ବିବ୍ରତ ହୋଇ ପଡ଼ିଲେଣି ।
କରୋନା ଯୋଗୁଁ ବିଭିନ୍ନ ରାଜ୍ୟରୁ ପ୍ରାୟ ୨୦ ହଜାର ପ୍ରବାସୀ ଫେରିଥିବା ବେଳେ କାମ ମିଳୁ ନଥିବାରୁ ସେମାନଙ୍କ ସ୍ଥିତି ଦୟନୀୟ ହୋଇ ପଡ଼ିଲାଣି ।
ଜୁନରୁ ସେପ୍ଟେମ୍ବର ମଧ୍ୟରେ ତଳି ରୁଆ, ବେଉଷଣ ତଥା ଅନ୍ୟ କାମ କରି ଶ୍ରମିକମାନେ ଦୁଇ ପଇସା ରୋଜଗାର କରିଥାନ୍ତି ।
ସ୍ୱଳ୍ପ ବୃଷ୍ଟି ଯୋଗୁଁ ଚାଷକାମ ପ୍ରଭାବିତ ହୋଇଥିବାରୁ ବାହାର ରାଜ୍ୟରୁ କର୍ମସଂସ୍ଥାନ ହରାଇ ଫେରିଥିବା ପ୍ରବାସୀମାନେ ନିରାଶ ହେଉଛନ୍ତି ।
ଉପଯୁକ୍ତ ପରିମାଣରେ ବର୍ଷା ହେଉନଥିବାରୁ ଚାଷୀମାନେ ଖରିଫ ଚାଷ କରି ପାରୁନାହାନ୍ତି । ସ୍ୱଳ୍ପ ବୃଷ୍ଟି ଓ ଜଳ ଉତ୍ସଗୁଡିକ ଶୁଖି ଯାଉଥିବାରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜମି ଫାଟି ଗଲାଣି ।
କୁଜଙ୍ଗ, ନାଉଗାଁ, ବାଲିକୁଦା, ତିର୍ତ୍ତେର୍ାଲ, ବିରିଡ଼ି, ଏରସମାରେ ସ୍ଥିତି ସଙ୍ଗୀନ ହେଲାଣି ।
ତେଣୁ ଚାଷୀ ଓ ଶ୍ରମିକମାନେ ବାଧ୍ୟ ହୋଇ ବର୍ଷା ପାଇଁ ପାରମ୍ପରିକ ବେଙ୍ଗ ନାଚକୁ ଭରସା କରିଛନ୍ତି । ବେଙ୍ଗ ରଡ଼ିରେ ଭଗବାନ ଇନ୍ଦ୍ର ପ୍ରସନ୍ନ ହୋଇ ବର୍ଷା କରାନ୍ତି ବୋଲି ବିଶ୍ୱାସ ରହିଛି ।
ଚାଷୀ ଓ ପ୍ରବାସୀ ଶ୍ରମିକମାନେ ଏକାଠି ହୋଇ ବେଙ୍ଗ ନାଚ କରାଇଛନ୍ତି । କରୋନା ଭୟ ସତ୍ତ୍ୱେ ହାତ ଉଧାରି ନେଇ ଚାଷ କରିଥିବା ଏକର ଏକର ଜମି ଫାଟି ଆଁ କରିବାରୁ ଚାଷୀମାନେ ଅନ୍ୟ ଉପାୟ ନପାଇ ବର୍ଷା ପାଇଁ ଇନ୍ଦ୍ର ଦେବତାଙ୍କୁ ପ୍ରସନ୍ନ କରିବାକୁ ବେଙ୍ଗ ନାଚ କରାଇଛନ୍ତି ।
ବେଙ୍ଗ ନାଚ ବେଳେ ଆମେ କୋଭିଡ-୧୯ ନିଦେ୍ର୍ଦଶାବଳୀ ପାଳନ କରିଥିଲୁ । ସ୍ଥାନୀୟ ଅଞ୍ଚଳରୁ ବେଙ୍ଗ ଧରି ସେମାନଙ୍କୁ ହଳଦି ପାଣିରେ ଗାଧୋଇ ସିନ୍ଦୁର ଲଗାଇ ଦିଆ ଯାଇଥିଲା । ସେମାନଙ୍କୁ ବାନ୍ଧି ଡେଇଁବା ପାଇଁ ଛାଡ଼ି ଦିଆଯାଏ । ଗାଁରେ ଶହ ଶହ ବର୍ଷ ଧରି ଏହି ପ୍ରଥା ଚାଲି ଆସୁଛି ବୋଲି ନାଉଗାଁ ବ୍ଲକ ତିରୁଣା ଗାଁର ବାବାଜୀ ସ୍ୱାଇଁ, ପ୍ରସନ୍ନ ବେଉରା ପ୍ରମୁଖ କହିଛନ୍ତି ।
ଜଗତସିଂହପୁର ଜିଲ୍ଲାରେ ୮୬,୨୨୦ ହେକ୍ଟର ଜମିରେ ଚାଷ ହୋଇଛି । ତେବେ ସ୍ୱଳ୍ପ ବୃଷ୍ଟି ଯୋଗୁଁ ତଳି ରୁଆ, ବେଉଷଣ ହୋଇ ପାରୁନାହିଁ ।
ଲୋକାଲ ୱାୟାର
Leave a Reply