କେନ୍ଦ୍ରାପଡ଼ା, ଡିସେମ୍ବର ୧୨ (ଲୋକାଲ ୱାୟାର): କେନ୍ଦ୍ରାପଡ଼ା ଜିଲ୍ଲାରେ ପରିବା ଦର କମିବାରେ ଲାଗିଛି ।
ସେପଟେ ପରିବା ବିକି ଲାଭ ଦୂରର କଥା ଅମଳ ଖର୍ଚ୍ଚ ଉଠିବ କି ନାହିଁ ଚାଷୀମାନେ ଚିନ୍ତିତ ଅଛନ୍ତି ।
କିଛିଦିନ ପୂର୍ବେ ବନ୍ଧାକୋବି କିଲୋ ୪୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ ୨୦ ଟଙ୍କାରେ ବିକ୍ରି ହେଉଛି ।
କେବଳ ବନ୍ଧାକୋବି ନୁହେଁ କଲରା, ଗାଜର, ବନ୍ଧାକୋବି, ଫୁଲକୋବି, ବାଇଗଣ, ଭେଣ୍ଡି, କଖାରୁ, ମୂଳା, ଟମୋଟା ଭଳି ପରିବା ଅଧିକ ଅମଳ ହୋଇଥିବାରୁ ବଜାର ଦର କମିଛି ।
ନଈକୂଳିଆ ଗାଁଗୁଡ଼ିକର ଚାଷୀମାନେ ଅଧିକ ପରିବା ଅମଳ କରିଥିବାରୁ ଦର କମିଛି ବୋଲି ପଟ୍ଟାମୁଣ୍ଡାଇର ପରିବା ଚାଷୀ ଫକୀର ବେହେରା କହିଛନ୍ତି ।
ପରିବା ଦର ଅତ୍ୟଧିକ କମିବାରୁ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲି ଗଲାଣି ।
ବିହନ, ସାର, ଜଳସେଚନ ଆଦିରେ ଚାଷୀମାନେ କରିଥିବା ଖର୍ଚ୍ଚ ପରିବା ବିକି ଫେରି ପାଉନାହାନ୍ତି ବୋଲି କହିଛନ୍ତି କେନ୍ଦ୍ରାପଡାର କୃଷକ ନେତା ଭାଗବତ ଜେନା ।
ଅପର ପକ୍ଷରେ ପରିବା ଦର କମିଥିବାରୁ ଗ୍ରାହକମାନେ ଖୁସି ଅଛନ୍ତି । ଗତ ମାସ ତୁଳନାରେ ପରିବା ଦର ପ୍ରାୟ ୫୦ ପ୍ରତିଶତ କମିଛି ।
ଶୀତଦିନିଆ ପରିବା ବଜାରକୁ ଆସିଗଲାଣି । ଆଗାମୀ ଦୁଇ ସପ୍ତାହ ମଧ୍ୟରେ ଆଳୁ, ପିଆଜର ଦାମ କମିବ ବୋଲି କେନ୍ଦ୍ରାପଡାର ଶିକ୍ଷକ ସନ୍ତୋଷ କର କୁହନ୍ତି ।
କଟକ, ଭୁବନେଶ୍ୱରର ପରିବା ବ୍ୟବସାୟୀମାନେ ଆମ ଠାରୁ କମ୍ ଦାମରେ ପରିବା କିଣୁଛନ୍ତି । ହେଲେ ସହର ଓ ବଡ ବଡ ମଲରେ ଚଢା ଦାମରେ ବିକ୍ରି କରୁଛନ୍ତି ।
ପରିବା ବ୍ୟବସାୟରେ ଦଲାଲଙ୍କ ଶୋଷଣ ବଢୁଛି । ଅମଳ ପରେ ତୁରନ୍ତ ବିକ୍ରିର ଆବଶ୍ୟକତା ଥିବାରୁ ଶାଗମାଛ ଦରରେ ପରିବା ବିକିବାକୁ ପଡୁଛି ବୋଲି କହନ୍ତି ରାଜକନିକାର ପରିବା ଚାଷୀ ମହାଦେବ ସୂତାର ।
ଜିଲ୍ଲାରେ ଶୀତଳ ଭଣ୍ଡାର ଓ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ ନଥିବାରୁ ଚାଷୀମାନେ କମ୍ ଦାମରେ ପରିବା ବିକ୍ରି କରୁଛନ୍ତି ବୋଲି ଜିଲ୍ଲା କୃଷକ ସଭା ସଭାପତି ଉମେଶ ଚନ୍ଦ୍ର ସିଂହ କହିଛନ୍ତି ।
ଲୋକାଲ ୱାୟାର
Leave a Reply