କେନ୍ଦ୍ରାପଡା, ଡିସେମ୍ବର ୨୩ (ଲୋକାଲ ୱାୟାର): ଚଣ୍ଡିଖୋଲ ଠାରୁ ପାରାଦୀପ ବନ୍ଦର ପର୍ଯ୍ୟନ୍ତ ଜାତୀୟ ରାଜପଥ (୫ଏ)ର ୬ ଲେନ କାମ ଖୁବ ଶୀଘ୍ର ଆରମ୍ଭ ହେବ ।
ପ୍ରକଳ୍ପ ସାରିବାକୁ ତିନି ବର୍ଷ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ଏଥିରେ ୧୨ ଶହ କୋଟି ଟଙ୍କା ବିନିଯୋଗ ହେବ ।
ରାଜ୍ୟ ସରକାରଙ୍କ ଅଧିକାରୀ ଓ ଏନଏଚଏଆଇ ଅଧିକାରୀମାନଙ୍କ ବୈଠକରେ ଏହି ନିଷ୍ପତ୍ତି ନିଆ ଯାଇଥିଲା ।
ପ୍ରକଳ୍ପ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ଏନଏଚଏଆଇର ମୁଖ୍ୟ ମହାପ୍ରବନ୍ଧକ ରାମପ୍ରସାଦ ପଣ୍ଡା କହିଛନ୍ତି ।
ଚଣ୍ଡିଖୋଲ ଠାରୁ ପାରାଦୀପ ୭୭ କିଲୋମିଟର ରାସ୍ତା ଖାଲଖମାରେ ଭରି ରହିଥିବାରୁ ଲୋକଙ୍କ ପାଇଁ ବିପଦ ସୃଷ୍ଟି ହେଉଛି ।
ଏନଏଚଏଆଇର ନିଷ୍ପତ୍ତିରେ ଖୁସି ବ୍ୟକ୍ତ କରିଛନ୍ତି ଜିଲ୍ଲା ଟ୍ରକ ମାଲିକ ସଙ୍ଘର ଉପସଭାପତି ରବୀନ୍ଦ୍ର ଦାସ ।
୬-ଲେନ ରାସ୍ତା ନିର୍ମାଣ ପାଇଁ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିଲା ବୋଲି ସେ କହିଛନ୍ତି ।
ଚାରି ଲେନ ବିଶିଷ୍ଟ ଥିବା ଚଣ୍ଡିଖୋଲ- ପାରାଦୀପ ରାସ୍ତାର ଅନେକ ସ୍ଥାନରେ ରକ୍ଷଣାବେକ୍ଷଣ ଅଭାବରୁ ରାସ୍ତା ନଷ୍ଟ ହୋଇଗଲାଣି ।
ଟ୍ରାଫିକ ଜାମ ଏହି ରାସ୍ତାର ନିତିଦିନିଆ ସମସ୍ୟା ପାଲଟିଛି ।
୬ ଲେନ ରାସ୍ତା ନିର୍ମାଣ ହେଲେ ଏହି ସମସ୍ୟା ସମାଧାନ ହେବ ବୋଲି କେନ୍ଦ୍ରାପଡା ମ୍ୟୁନିସିପାଲିଟିର ପୂର୍ବତନ ଅଧ୍ୟକ୍ଷ ବିଜୟକୃଷ୍ଣ ସାହୁ କହିଛନ୍ତି ।
ଲୋକାଲ ୱାୟାର
Leave a Reply