କେନ୍ଦ୍ରାପଡ଼ା, ଡିସେମ୍ବର ୨ (ଲୋକାଲ ୱାୟାର): ବର୍ଷା ଋତୁ ପରେ କେନ୍ଦ୍ରାପଡା ଜିଲ୍ଲାରେ ବେଆଇନ ବାଲି ଖନନ ବୃଦ୍ଧି ପାଇଛି । ଖୋଲାରେ ବାଲି ପରିବହନ ହେଉଥିବାରୁ ବାୟୁ ପ୍ରଦୂଷଣ ବଢିଯାଇଛି ।
ଟ୍ରକ, ଡମ୍ପର ଓ ଟ୍ରାକ୍ଟରରେ ବାଲି ପରିବହନ ବେଳେ ତାରପଲିନ ଘୋଡ଼ା ଯାଉନାହିଁ । ଫଳରେ ରାସ୍ତାରେ ପଡିଥିବା ବାଲିରେ ଖସି ଅନେକ ଦୁର୍ଘଟଣା ଘଟୁଛି ।
ବାଲି ପରିବହନ ବେଳେ ଢାଙ୍କିବା ବାଧ୍ୟତାମୂଳକ ହୋଇଥିଲେ ବି ଅଧିକାଂଶ ଗାଡ଼ି ଚାଳକ ଏହି ନିୟମ ମାନୁନାହାନ୍ତି ।
ଏହା ରୋକିବାକୁ ପଦକ୍ଷେପ ନିଆଯିବ ବୋଲି କେନ୍ଦ୍ରାପଡା ଆଞ୍ଚଳିକ ପରିବହନ ଅଧିକାରୀ ନିଖିଲ ପଟ୍ଟନାୟକ କହିଛନ୍ତି ।
ବାସପୁର, କରିଲୋପାଟଣା, ଆଇତପୁର, ଜଳାପୋକ, ବହଖଣ୍ଡିଆ, କରାଣ୍ଡିଆ, ରଙ୍କଲା, କୁଳସାହି, କୁସୁନପୁର ଓ ଅନ୍ୟ ନଦୀକୂଳିଆ ଗ୍ରାମବାସୀଙ୍କ ପାଇଁ ବେଆଇନ ବାଲି ଖନନ ଲୋଭନୀୟ କୁଟୀର ଶିଳ୍ପ ପାଲଟିଛି ।
ବର୍ଷା ଋତୁ ସରିବା ପରେ ବିଭିନ୍ନ ନିର୍ମାଣ କାମ ପାଇଁ ବାଲିର ଆବଶ୍ୟକତା ବଢିଥିବାରୁ ବାଲି ଚାଲାଣ ବଢ଼ିଛି ।
ଲୁଣା ନଦୀରୁ ବାଲି ନେବାପାଇଁ ଦୈନିକ ଶହ ଶହ ଟ୍ରକ, ଟ୍ରାକ୍ଟର ଗାଁ ରାସ୍ତାରେ ଯାତାୟାତ କରିଥାଏ । ଗାଡିଗୁଡିକର ଅତ୍ୟଧିକ ଓଜନ ଯୋଗୁଁ ଗାଁ ରାସ୍ତା ଦବି ଯିବା ସହ ରାସ୍ତାରେ ବାଲି ପଡିରହୁଛି ।
ସେପଟେ ବାଲି ମାଫିଆମାନଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଯୋଗୁଁ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡ଼ିଲାଣି । ବାଲିର ଚାହିଦା ବଢ଼ିଥିବାରୁ ଖନନ ପାଇଁ ଠିକାଦାରମାନେ ମେସିନ ବ୍ୟବହାର କରୁଛନ୍ତି ।
ନିର୍ଦ୍ଦିଷ୍ଟ ଅଞ୍ଚଳରୁ ବାଲି ଖନନ ପାଇଁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ସତ୍ତ୍ୱେ ବ୍ୟାପକ ଅଞ୍ଚଳରୁ ବାଲି ଉଠାଣ ଓ ଚାଲାଣ ହେଉଛି ବୋଲି ସିଲିପୁର ଗାଁର ନିତ୍ୟାନନ୍ଦ ବେହେରା କହିଛନ୍ତି ।
ବାଲି ବୋଝେଇ ଗାଡିଗୁଡିକ ଯୋଗୁଁ ବାୟୁ ଓ ପରିବେଶ ପ୍ରଦୂଷଣ ହେଉଥିବାରୁ ଅଧିକାଂଶ ନଦୀକୂଳିଆ ଗ୍ରାମବାସୀ ଶ୍ୱାସଜନିତ ରୋଗରେ ପୀଡିତ ହେଲେଣି ।
ବେଆଇନ ବାଲି ଖନନ ଯୋଗୁଁ ନଦୀ ଶଯ୍ୟା ନଷ୍ଟ ହେବାରେ ଲାଗିଛି । ଏଥିପ୍ରତି ସରକାର, ପ୍ରଶାସନ, ଗଣମାଧ୍ୟମ ଓ ପରିବେଶବିତ୍ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ବୋଲି ସମାଜସେବୀ ଅମର ବିଶ୍ୱାଳ କହିଛନ୍ତି ।
ଲୋକାଲ ୱାୟାର
Leave a Reply