ସମ୍ବଲପୁର, ଅଗଷ୍ଟ ୩୦ (ଲୋକାଲ ୱାୟାର) : ହୀରାକୁଦ ଜଳଭଣ୍ଡାରରୁ ଆଜି ବି ୪୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ କରାଯାଉଥିବା ବେଳେ ବାମ ପାଖର ୩୧ଟି ଓ ଡାହାଣ ପାଖର ୧୫ଟି ଗେଟ୍ ଖୋଲା ଯାଇଛି ।
ଡ୍ୟାମର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ୍ ରହିଥିବା ବେଳେ ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ୬୨୭.୯୧ ଫୁଟ୍ ରହିଛି ।
ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୮ ଲକ୍ଷ ୨ ହଜାର ୯୨୦ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ପ୍ରତି ସେକେଣ୍ଡରେ ୭ ଲକ୍ଷ ୬୪ ହଜାର ୮୦୧ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି ।
ଆଜି ଭୋର୍ ୪ଟାରୁ ହୀରାକୁଦକୁ ଜଳପ୍ରବେଶ ହ୍ରାସ ହେଉଛି, ଆଗକୁ ଆହୁରି କମିବା ଆଶା କରାଯାଉଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।
ଏସ୍ଆରସି କହିଛନ୍ତି, ମୁଣ୍ଡଳିରେ ସର୍ବାଧିକ ୧୦ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ ।
ଆସନ୍ତାକାଲି ମଧ୍ୟାହ୍ନ ପର୍ଯ୍ୟନ୍ତ ମୁଣ୍ଡଳିରେ ସର୍ବାଧିକ ଜଳ ପ୍ରବାହିତ ହେବାର ସମ୍ଭାବନା ରହିଛି ।
କଟକ ମୁଣ୍ଡଳିରେ ହୀରାକୁଦରରୁ ଛଡାଯାଇଥିବା ବନ୍ୟାଜଳ ପହଞ୍ଚିବା ପରେ ଏବେ ମୁଣ୍ଡଳିରେ ୯ ଲକ୍ଷ ୭୯ ହଜାର ୭୧୫ କ୍ୟୁସେକ ଜଳ ପ୍ରବାହିତ ହେଉଛି ।
ଅନ୍ୟପଟେ ନରାଜରୁ ୪ ଲକ୍ଷ ୮୬ ହଜାର ୪୭୧ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ନରାଜର ଉପର ମୁଣ୍ଡରେ ଜଳପତ୍ତନ ୨୬ ମିଟର ରହିଥିବା ବେଳେ ତଳ ମୁଣ୍ଡରେ ଜଳପତ୍ତନ ୨୪.୨୦ ମିଟର ରହିଛି । ଏଠାରେ ବିପଦ ସଙ୍କେତ ୨୬.୪୧ ମି. ରହିଛି ।
କଟକ ଯୋବ୍ରାରେ ମହାନଦୀର ବନ୍ୟା ଜଳ ବିପଦ ସଙ୍କେତ ପାଖାପଖି ରହିଛି । ଯୋବ୍ରାରେ ବିପଦ ସଙ୍କେତ ୨୧.୯୪ମି. ଥିବାବେଳେ ଜଳସ୍ତର ୨୧.୯୦ ମି ରହିଛି ।
୨୧.୭୫ ମିଟର ଉଚ୍ଚତାରେ ନିଷ୍କାସିତ ହେଉଛି ବନ୍ୟା ଜଳ । ଯୋବ୍ରା ଦେଇ ମହାନଦୀ ପଶୁଛି ୪ ଲକ୍ଷ ୮୯ ହଜାର ୫୦୩ କ୍ୟୁସେକ ଜଳ ।
ମହାନଦୀରେ ବନ୍ୟା ଆଶଙ୍କା ଥିବାରୁ କଟକ ଜିଲ୍ଲାପ୍ରଶାସନ ସମସ୍ତ ବ୍ଲକସ୍ତରୀୟ ଅଧିକାରୀଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛି । ତଳିଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି ।
ଲୋକାଲ ୱାୟାର
Leave a Reply