ବ୍ରହ୍ମପୁର, ଡିସେମ୍ବର ୩ (ଲୋକାଲ ୱାୟାର): ଗୋପାଳପୁର ଓ ସୋନପୁରକୁ ବ୍ଲୁ ଫ୍ଲାଗ ବିଚ୍ ମାନ୍ୟତା ଦେବା ପାଇଁ ଉଦ୍ୟମ ଆରମ୍ଭ କରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ ।
ଏ ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଗୁରୁବାର ଆୟୋଜିତ ହୋଇଥିଲା ।
ଶୀଘ୍ର ବିସ୍ତୃତ ପ୍ରକଳ୍ପ ରିପୋର୍ଟ ସରକାରଙ୍କୁ ଦିଆଯିବ । ପରିବେଶ ପରିଚାଳନା, ଜଳର ଗୁଣବତ୍ତା, ସଂରକ୍ଷଣ, ସୁରକ୍ଷା ଆଦି ମାନଦଣ୍ଡକୁ ଭିତି କରି ଡେନମାର୍କର ଏକ ସଂସ୍ଥା ବ୍ଲୁ ଫ୍ଲାଗ ମାନ୍ୟତା ଦେଇଥାଏ ।
ଏବେ କେବଳ ପୁରୀ ବେଳାଭୂମିକୁ ବ୍ଲୁ ଫ୍ଲାଗ ମାନ୍ୟତା ମିଳିଛି । ଉଭୟ ବେଳାଭୂମିର ଭିତ୍ତିଭୂମି ବିକାଶ ପାଇଁ ପଦକ୍ଷେପ ନିଆଯାଇଛି ।
ବେଳାଭୂମିଗୁଡ଼ିକୁ ପ୍ରଦୂଷଣମୁକ୍ତ କରିବା ପାଇଁ ଉଦ୍ୟମ ଜାରି ରହିଛି । ଗୋପାଳପୁରରେ ଦିନ ୩ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଯାନବାହନ ପ୍ରବେଶ ନିଷିଦ୍ଧ କରିବାକୁ ଯୋଜନା ହୋଇଛି ।
ପର୍ଯ୍ୟଟକମାନେ ବ୍ରହ୍ମପୁର ମହାନଗର ନିଗମ ଦ୍ୱାରା ନିର୍ଦ୍ଧାରିତ ପାର୍କିଂ ଜୋନରେ ଗାଡ଼ି ରଖିବେ । ଯାନବାହାନ ପ୍ରବେଶ ନିୟନ୍ତ୍ରିତ କରିବାକୁ ଅତି କମରେ ପାଂଚଟି ଗେଟ ସ୍ଥାପନ ହେବ ।
ବେଳାଭୂମିରୁ ଡଙ୍ଗା ହଟାଇବା ପାଇଁ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ସହ ଆଲୋଚନା ହେବ । ସେମାନଙ୍କ ପାଇଁ ହରିପୁର-ଗୋପାଳପୁର ମୁହାଣ ଖୋଳାଯିବ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି ।
ବେଳାଭୂମି ନିକଟରେ ୬୬ ଲକ୍ଷ ଟଙ୍କା ବିନିଯୋଗରେ ଶିଶୁ ଉଦ୍ୟାନ ନିର୍ମାଣ କରାଯିବା ସହ ଶୌଚାଳୟ କମ୍ପ୍ଲେକ୍ସ ଓ ଚେଞ୍ଜିଂ ରୁମ ସ୍ଥାପନ କରାଯିବ ।
ଉଦ୍ୟାନରେ ସିସିଟିଭି କ୍ୟାମେରା ଲାଗିବ । ପର୍ଯ୍ୟଟକଙ୍କ ସୁବିଧା ପାଇଁ ମୋବାଇଲ ଟଏଲେଟ ସୁବିଧା ଯୋଗାଇ ଦିଆଯିବ ବୋଲି ଗୋପାଳପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଉମାଶଙ୍କର ସେଠି କହିଛନ୍ତି ।
ଲୋକାଲ ୱାୟାର
Leave a Reply