ବ୍ରହ୍ମପୁର, ଡିସେମ୍ବର ୮ (ଲୋକାଲ ୱାୟାର): ଗଞ୍ଜାମ ଜିଲ୍ଲା ପ୍ରଶାସନ ସହଯୋଗରେ ଗତ ୨ ଦିନ ମଧ୍ୟରେ ୬ଟି ବାଲ୍ୟବିବାହ ରୋକା ଯାଇପାରିଛି ।
ବିବାହ ବନ୍ଦ ରଖିବା ସହ ଝିଅ ବା ପୁଅ ବିବାହଯୋଗ୍ୟ ବୟସ (୧୮ ବର୍ଷ)ରେ ପହଞ୍ଚିବା ଯାଏଁ ଅପେକ୍ଷା କରିବେ ବୋଲି ଅଭିଭାବକମାନେ ଲିଖିତ ଭାବେ ଜଣାଇବା ପରେ କୌଣସି ମାମଲା ରୁଜୁ କରା ଯାଇନାହିଁ ।
ବ୍ରହ୍ମପୁର ସହରରେ ଗୋଟିଏ, ଆସ୍କା ବ୍ଲକରେ ୨ଟି, ପତ୍ରପୁର, ପୁରୁଷୋତ୍ତମପୁର ଓ ସାନଖେମୁଣ୍ଡି ବ୍ଲକରେ ଗୋଟିଏ ଲେଖାଏଁ ବାଲ୍ୟବିବାହ ଉଦ୍ୟମ ପଣ୍ଡ କରାଯାଇଛି ।
ବାଲ୍ୟ ବିବାହ ହେଉଥିବା ସ୍ଥାନରେ ପହଞ୍ଚି ନାବାଳିକାଙ୍କୁ ବାହା ଦେବା ବେଆଇନ ବୋଲି ଅଭିଭାବକଙ୍କୁ ବୁଝାଉଛୁ ବୋଲି ଆସ୍କା ବ୍ଲକ ସିଡିପିଓ ତଥା ସିଏମପିଓ ଭାରତୀ ମିଶ୍ର କହିଛନ୍ତି ।
ପ୍ରଶାସନର ଧରପଗଡ ସତ୍ତ୍ୱେ ଜିଲ୍ଲାରେ ବାଲ୍ୟ ବିବାହ ବେଧଡକ ଚାଲିଛି । ୨୦୧୯-୨୦ରେ ଜିଲ୍ଲା ପ୍ରଶାସନ ସହଯୋଗରେ ପ୍ରାୟ ୯୮ଟି ବାଲ୍ୟ ବିବାହ ରୋକିଥିଲୁ ।
୨୦୨୦-୨୧ରେ ଏ ପର୍ଯ୍ୟନ୍ତ ୫୫ଟି ବାଲ୍ୟ ବିବାହ ରୋକିଲୁଣି ବୋଲି କହିଛନ୍ତି ଚାଇଲଡ ଲାଇନର ଜିଲ୍ଲା ସଂଯୋଜକ ସାଇପ୍ରସାଦ ସାମଲ ।
ଅଙ୍ଗନବାଡ଼ି କର୍ମୀମାନଙ୍କୁ ବାଲ୍ୟ ବିବାହ ଭଳି ଘଟଣା ପ୍ରତି ସତର୍କ ଦୃଷ୍ଟି ରଖିବାକୁ କୁହାଯାଇଛି ।
ଆଇନ ଅମାନ୍ୟ କଲେ ଅଭିଭାବକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବ୍ରହ୍ମପୁର ସିଡିପିଓ ପୁଷ୍ପାଞ୍ଜଳି ମିଶ୍ର କହିଛନ୍ତି ।
ବାଲ୍ୟ ବିବାହ ସମ୍ପର୍କରେ ଖବର ଦେଲେ ଖବରଦାତାଙ୍କୁ ୫ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା କରଯାଇଛି ।
ଲୋକାଲ ୱାୟାର
Leave a Reply