ବ୍ରହ୍ମପୁର, ମାର୍ଚ୍ଚ ୩୦(ଲୋକାଲ ୱାୟାର): କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ହୋଇଥିବା ଲକ୍ ଡାଉନ ବେଳେ ଗଞ୍ଜାମ ଜିଲ୍ଲାର ସାଧାରଣ ରୋଗୀଙ୍କୁ ଆଉ ହସ୍ପିଟାଲ ଦୌଡ଼ିବାକୁ ପଡ଼ିବ ନାହିଁ ।
ସେମାନେ ଟେଲିଫୋନ କିମ୍ବା ହ୍ୱାଟସଆପ୍ ମାଧ୍ୟମରେ ଡାକ୍ତରୀ ପରାମର୍ଶ ପାଇପାରିବେ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି ।
ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱେଚ୍ଛାସେବୀ ଡାକ୍ତରଙ୍କୁ ନେଇ ଏକ ପ୍ୟାନେଲ ଗଠିତ ହୋଇଛି ।
ଏହି ଡାକ୍ତରଙ୍କ ମଧ୍ୟରୁ ଅଧିକାଂଶ ବେସରକାରୀ ଡାକ୍ତର । ଫୋନ କଲରେ ଡାକ୍ତରୀ ସେବା ଯୋଗାଇବାକୁ ସେମାନେ ରାଜି ହୋଇଛନ୍ତି ।
ସାଧାରଣ ରୋଗୀଙ୍କୁ ଏହା ବେଶ ସହାୟକ ହେବ । କାରଣ ସେମାନଙ୍କୁ ଆଉ ହସ୍ପିଟାଲ ଯିବାକୁ ପଡ଼ିବ ନାହିଁ ।
ଏହା ଲକ୍ ଡାଉନ୍ ବେଳେ ଘରେ ରହିବାକୁ ଲୋକଙ୍କୁ ସାହାଯ୍ୟ କରିବା ସହ ହସ୍ପିଟାଲରେ ସାମାଜିକ ଦୂରତା ବଜାୟରେ ସାହାଯ୍ୟ କରିବ ବୋଲି ସେ କହିଛନ୍ତି ।
ସ୍ୱେଚ୍ଛାସେବୀ ଡାକ୍ତରଙ୍କ ତାଲିକା, ସେମାନଙ୍କ ଟେଲିଫୋନ ନମ୍ବର, ପରାମର୍ଶ ସମୟ ସୋସିଆଲ ମିଡିଆରେ ବ୍ୟାପକ ଭାବେ ପ୍ରସାରିତ କରାଯିବ ଓ ବିଶେଷ କରି ଅଙ୍ଗନବାଡ଼ି କର୍ମୀମାନେ ଲୋକଙ୍କ ନିକଟରେ ପହଞ୍ଚିବେ ବୋଲି ଜିଲ୍ଲାପାଳ କହିଛନ୍ତି ।
ଯେଉଁ ରୋଗୀଙ୍କ କୋଭିଡ-୧୯ ଲକ୍ଷଣ ଥିବ କିମ୍ବା ଅନ୍ୟ କୌଣସି ଗୁରୁତର ଅସୁସ୍ଥତା ଥିବ ସେମାନେ ନିଶ୍ଚିତ ଭାବରେ ନିକଟସ୍ଥ ହସ୍ପିଟାଲକୁ ଯିବାକୁ ପଡ଼ିବ ।
ଡାଇବେଟିସ, ମେଡିସିନ, ଶିଶୁ ରୋଗ, ଦନ୍ତ ଓ ଇଏନଟି ଭଳି ବିଭିନ୍ନ କ୍ଷେତ୍ରର ୨୪ ସ୍ୱେଚ୍ଛାସେବୀ ଡାକ୍ତରଙ୍କୁ ନେଇ ଏହି ପ୍ୟାନେଲ ଗଠିତ ହୋଇଛି ।
ଦୁଇ ପୂର୍ବତନ ବିଧାୟକ ତଥା ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ (ବ୍ରହ୍ମପୁର) ଓ ପ୍ରିୟାଂଶୁ ପ୍ରଧାନ (ଛତ୍ରପୁର) ଏହି ପ୍ୟାନେଲରେ ସାମିଲ ହୋଇଛନ୍ତି ।
ଅତି କମରେ ୧୦ରୁ ଅଧିକ ସ୍ୱେଚ୍ଛାସେବୀ ଡାକ୍ତର ଟେଲି ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ଆଗଭର ଅଛନ୍ତି ବୋଲି ପ୍ୟାନେଲରେ ଥିବା ସୁନୀଲ କୁମାର କୋଟ୍ଟା କହିଛନ୍ତି ।
ଲୋକାଲ ୱାୟାର
Leave a Reply