କଟକ,ଜାନୁୟାରୀ ୨୯(ଲୋକାଲ ୱାୟାର): ରାଜ୍ୟର ସର୍ବ ପୁରାତନ ତଥା ପୁରୁଣା ରାଜଧାନୀ କଟକ ଇତିହାସ ସହ ଜଡିତ ଗଡଖାଇର ପଚନରୁଦ୍ଧାର ପାଇଁ ଆସିଥିବା ସରକାରୀ ଅର୍ଥ କାମରେ ଲାଗୁନଥିବାରୁ ଓଡିଶା ହାଇକୋର୍ଟରେ ଏ ନେଇ ଆଇନଜୀବୀ ଶିବ ପ୍ରସାଦ ମହାନ୍ତି ଏକ ମାମଲା ରୁଜୁ କରିଥିବା ନେଇ ବୁଧବାର ଦିନ ସୂଚନା ଦେଇଛନ୍ତି ।
ତାଙ୍କ ପିଟିସନରେ ସେ ଦର୍ଶାଇଛନ୍ତି ଯେ ବାରବାଟୀ ଦୁର୍ଗକୁ ୧୯୧୫ ମସିହାରେ ଐତିହାସିକ କୀର୍ତ୍ତିରାଜି ଭାବେ ସଂରକ୍ଷଣ କରାଯାଇଥିଲା ।
ଏହି କୀର୍ତ୍ତିରାଜିର ସୁରକ୍ଷା ଲାଗି କେନ୍ଦ୍ର ସରକାର ଅର୍ବାନ ଇନ୍ଫ୍ରାଷ୍ଟକଚର୍ ସ୍କିମ୍ ଫର ସ୍ମଲ ଆଣ୍ଡ ମିଡିୟମ୍ ଟାଉନ୍ରେ ୧୭ କୋଟି ଟଙ୍କା ପ୍ରଦାନ କରିଥିଲେ ।
ଏହି ଅର୍ଥରେ ଗଡ଼ଖାଇର ପୁନରୁଦ୍ଧାର ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୦ ଅଗଷ୍ଟ ୩୧ ତାରିଖରେ ଶିଳାନ୍ୟାସ କରିଥିଲେ ।
ଏହି କାର୍ଯ୍ୟ ୨୦୧୨ ଡିସେମ୍ବର ୩୧ ସୁଦ୍ଧା ଶେଷ ହେବାକୁ ସମୟ ଧାର୍ଯ୍ୟ ହୋଇଥିଲା ।
ଶିଳାନ୍ୟାସର ଦୀର୍ଘ ୮ବର୍ଷ ପରେ ବି ଗଡ଼ଖାଇର ପୁନରୁଦ୍ଧାର କାର୍ଯ୍ୟ ସମ୍ଭବ ହୋଇନାହିଁ ।
ବରଂ ଗଡ଼ଖାଇ ଏବେ ପଙ୍କ ଓ ଦଳରେ ଭର୍ତ୍ତି ହୋଇ ରହିଛି ।
ଗଡ଼ଖାଇର ପାଣିକୁ ଅବରୋଧ କରାଯାଇ ଏହା ଉପରେ ଯାତାୟତ ଲାଗି ରାସ୍ତା ନିର୍ମାଣ କରାଯାଇଛି ।
ସମ୍ପୂର୍ଣ୍ଣ ଦୁର୍ଗ ଓ ଗଡଖାଇ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ(ଏଏସ୍ଆଇ)ଅଧିନରେ ଥିବାରୁ ଏ ନେଇ ଆବେଦନକାରୀ ମହାନ୍ତି ସମ୍ପୃକ୍ତ ସଂସ୍ଥା,କଟକ ମହାନଗର ନିଗମର ଆୟୁକ୍ତ ଓ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟକୁ ଅବଗତ କରିଥିଲେ ମଧ୍ୟ କିଛି ଫଳ ନମିଳିବାରୁ ହାଇକୋର୍ଟର ଦ୍ୱାରସ୍ତ ହୋଇଛନ୍ତି ।
ଆବେଦନକାରୀ ଏଥିରେ କେନ୍ଦ୍ର ଗୃହ ଏବଂ ସହରାଞ୍ଚଳ ମନ୍ତ୍ରଣାଳୟ, କେନ୍ଦ୍ର ସଂସ୍କୃତି ସଚିବ, ଏଏସଆଇ ଡିଜି, ଏଏସଆଇ ଅଧିୀକ୍ଷକ, ରାଜ୍ୟ ଗୃହ ଏବଂ ନଗର ଉନ୍ନୟନ ବିଭାଗ ସଚିବ, ସିଏମ୍ସି କମିଶନର ଏବଂ କଟକ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଆଦିଙ୍କୁ ପକ୍ଷଭୁକ୍ତ କରିଛନ୍ତି ।
ଲୋକାଲ ୱାୟାର
Leave a Reply