ଭୁବନେଶ୍ବର, ଡିସେମ୍ବର ୨୬ (ଲୋକାଲ ୱାୟାର): ଏଇ ନିକଟରେ ବିବାହ କରିଥିବା କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଅଞ୍ଚଳର ଆଲ୍ଲାଦିନ୍ ଯେତେବେଳେ ଷୋହଳ ବର୍ଷର ଥିଲେ, ସେତେବେଳେ ସେ ଅଜିତଙ୍କ ପ୍ରେମରେ ପଡ଼ିଯାଇଥିଲେ।
ଘରଲୋକ ମନାକଲେ ସେମାନେ ଘରଛାଡ଼ି କୁଆଡ଼େ ଚାଲିଯିବେ ବୋଲି ମଧ୍ୟ ଭାବିନେଇଥିଲେ।
ତେବେ ବିବାହ ପାଇଁ ସେମାନଙ୍କ ପରିବାରଲୋକ ରାଜି ହୋଇଗଲେ, ହେଲେ କିଛି ବର୍ଷ ପରେ।
ଆଲ୍ଲାଦିନ୍ ଓ ଅଜିତ ପରିବାରଲୋକଙ୍କ କଥା ମାନିଲେ, ଯେତେବେଳେ ସେମାନେ ଛୋଟ ବୟସରେ ବାହାଘର ହେଲେ କଣ ସମସ୍ୟା ହୁଏ, ସେ ସଂପର୍କରେ ଜାଣିଗଲେ।
“ଘରଲୋକ କହିଥିଲେ ଆମକୁ ଅଠର ବର୍ଷ ହେଲେ ବାହାହେବାକୁ। ତାଛଡ଼ା କମ୍ ବୟସରେ ବାହାଘର ହେଲେ ଉଭଯ ମାଆ ଆଉ ତାର ଛୁଆଙ୍କର ସ୍ବାସ୍ଥ୍ୟ ଖରାପ ହୁଏ”, ବୋଲି କହନ୍ତି ଆଲ୍ଲାଦିନ୍।
ବାଲ୍ୟ ବିବାହ ନିରାକରଣ ଲାଗି ଚାଲିଥିବା ସଚେତନତା କାର୍ଯ୍ୟକ୍ରମ ଗଣ୍ଡ ସଂପ୍ରଦାୟର ଲୋକଙ୍କ ଉପରେ ବେଶ୍ ପ୍ରଭାବ ପକାଇଛି।
ଏପରିକି ଏହି ସଂପ୍ରଦାୟର ନେତାମାନେ ପୁଅ ବା ଝିଅଙ୍କର ଆଇନଗତ ବିବାହ ବୟସ ହେଲେ ଯାଇ ବାହାଘର କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଏହା ଫଳରେ ଗଣ୍ଡ ଝିଅମାନେ ଉଚ୍ଚଶିକ୍ଷା ଲାଭ କରିବାର ସୁଯୋଗ ପାଇପାରୁଛନ୍ତି।
କିଛିବର୍ଷ ତଳେ କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ୍ ଅନ୍ତର୍ଗତ ରାମପୁର, ନୁନପୁର, ମଦନପୁର, ଦମକଲାକୁଟ୍ଟା ଓ ବମକ ପଞ୍ଚାୟତରେ ରହୁଥିବା ଗଣ୍ଡ ଆଦିବାସୀ ଅଞ୍ଚଳର ଚିତ୍ର ଭିନ୍ନ ଥିଲା।
ଏସବୁ ପଞ୍ଚାୟତରେ ଛୋଟ ଛୋଟ ଝିଅଙ୍କୁ ବିବାହ କରିଦେବା ଏକପ୍ରକାର ପରମ୍ପରାରେ ପରିଣତ ହୋଇଯାଇଥିଲା।
ଏପରିକି ବାପାମାଆମାନେ ପ୍ରାଥମିକ ସ୍କୁଲ ପରେ ଝିଅପିଲାଙ୍କ ଉଚ୍ଚ ପ୍ରାଥମିକ ସ୍କୁଲକୁ ପଠାଉନଥିଲେ।
ଏହି ଝିଅମାନେ ଘରୋଇ କାମରେ ବାପାମାଆଙ୍କୁ ସହାୟତା କରୁଥିଲେ।
“ଝିଅଙ୍କୁ ମାଆବାପା ବୋଝ ମନେକରୁଥିଲେ ଓ ଶୀଘ୍ର ସେମାନଙ୍କ ବିବାହ ସାରିଦେଉଥିଲେ। ଦାରିଦ୍ର୍ୟ, ଅସୁରକ୍ଷା ଓ କୁସଂସ୍କାର ଯୋଗୁଁ ବାଲ୍ୟ ବିବାହ ପ୍ରଥାମ ଏହି ଅଞ୍ଚଳରେ ଚାଲୁରହିଥିଲା,” ବୋଲି କହନ୍ତି ଗଣ୍ଡ ଆଦିବାସୀ ସମାଜର ସଂପାଦକ ମେନୁ ପାତ୍ର।
ମଦନପୁର ରାମପୁର ବ୍ଲକ୍ ଅଞ୍ଚଳରେ ମହିଳା ଓ ଝିଅମାନଙ୍କ ହେଉଥିବା ଅତ୍ୟାଚାର ଉପରେ କାମ କରୁଥିବା ନ୍ୟାସନାଲ୍ ଆଲାୟନ୍ସ ଅଫ୍ ଓମେନ୍ ଇନ୍ ଓଡ଼ିଶା (ନାଓ)ର ପ୍ରତିଷ୍ଠାତା ସଦସ୍ୟା ଆରାଧନା ନନ୍ଦ କହିଛନ୍ତି, “ଯେତେବେଳେ ଆମେ କାମ ଆରମ୍ଭ କଲୁ, ସେତେବେଳେ ଆମେ ଦେଖିବାକୁ ପାଇଲୁ ଯେ, ଛୋଟବେଳୁ ବିବାହ ଯୋଗୁଁ ଏହି ଅଞ୍ଚଳରେ ପାରିବାରିକ ହିଂସାର ସଂଖ୍ୟା ଅଧିକା। ଏଥିରେ ଆମେ ହସ୍ତକ୍ଷେପ କରି ଗଣ୍ଡ ଆଦିବାସୀ ସମାଜ ସହ ଏନେଇ ଆଲୋଚନା କଲୁ।”
“ଏହି ଅଞ୍ଚଳରେ ସବୁ ସଂପ୍ରଦାୟର ନିଜ ନିଜ ସମାଜ ରହିଛି ଏବଂ ସମସ୍ତଙ୍କର ନୀତି ନିୟମ ଭିନ୍ନ ଭିନ୍ନ। ଏହାକୁ ନିର୍ଦ୍ଦିଷ୍ଟ ସଂପ୍ରଦାୟର ଗାଁଲୋକ ମାନିବାକୁ ବାଧ୍ୟ। ଏହା ଲିଙ୍ଗଗତ ବୈଷମ୍ୟ ବଢ଼ାଉଥିବା ଆମେ ଦେଖିବାକୁ ପାଇଲୁ,” ବୋଲି ଆରାଧନା କହିଛନ୍ତି।
ଏସବୁ ସମସ୍ୟା ସଂପର୍କରେ ଆଲୋଚନା ଲାଗି ଏହି ସଂପ୍ରଦାୟର ମହିଳା, ପୁରୁଷ, ଯୁବକ ଯୁବତୀଙ୍କ ସମେତ ଗଣ୍ଡ ଆଦିବାସୀ ସମାଜର ସଭାପତି ଉପେନ୍ଦ୍ର ପାତ୍ର ଏକ ମହାସଭାର ଆୟୋଜନ କରି ନାଓକୁ ଡାକିଥିଲେ।
“ସେହି ମହାସଭାରେ ଆମେ ସେମାନଙ୍କୁ କହିଥିଲୁ ଯେ, ବାଲ୍ୟ ବିବାହ ଉଭୟ ପୁଅ ଓ ଝିଅର ଜୀବନ ଉପରେ କୁପ୍ରଭାବ ପକାଉଛି। ଏପରିକି ସେଠାରେ ଆମେ କିଛି ଯୁବକ ଯୁବତୀଙ୍କ ମତ ବି ନେଇଥିଲୁ। ଏପରିକି ଆମେ ଏନେଇ ରହିଥିବା ଆଇନକାନୁନ ବାବଦରେ ମଧ୍ୟ ସେମାନଙ୍କୁ ଅବଗତ କରିଥିଲୁ,” ବୋଲି ଆରାଧନା କହିଛନ୍ତି।
ଆକ୍ସନ୍ ଇଣ୍ଡିଆର ସହଯୋଗରେ ନାଓର ହସ୍ତକ୍ଷେପ ପରେ ବର୍ଷକ ତଲେ ଗଣ୍ଡ ସମାଜ ବିଧିବଦ୍ଧ ଭାବେ ବାଲ୍ୟବିବାହ ବନ୍ଦ କରିବାକୁ ନିଷ୍ପତ୍ତି ନେଇ ଝିଅଙ୍କୁ ସ୍କୁଲ ପଠାଉଛି।
ସମସ୍ତ ଗ୍ରାମବାସୀ ଏହି ନିୟମ ପାଳନ କରୁଛନ୍ତି।
ମେନୁ ପାତ୍ରଙ୍କ କହିବା ଅନୁସାରେ, ଏବେ ସମସ୍ତଙ୍କର ମାନସିକତା ବଦଳିବା ସହ ଗଣ୍ଡ ସମାଜ ବାଲ୍ୟ ବିବାହ ବିରୋଧରେ ଏକ୍ ହୋଇଛି।
ଉପେନ୍ଦ୍ର ପାତ୍ର କହିଛନ୍ତି, “ଯେତେବେଳେ ବାପାମାଆ ସେମାନଙ୍କ ପୁଅଝିଅଙ୍କର ବାହାଘର ଠିକ୍ କରୁଛନ୍ତି, ସେତେବେଳେ ସମାଜ ପାଖରେ ପିଲାଙ୍କ ବୟସ ପ୍ରମାଣପତ୍ର, ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଓ ଅନ୍ୟ ଦରକାରୀ କାଗଜପତ୍ର ଦାଖଲ କରିବାକୁ କୁହାଯାଉଛି। ସବୁ ପ୍ରମାଣପତ୍ରର ଯାଞ୍ଚ ପରେ ଗଣ୍ଡସମାଜ ବିବାହକୁ ମଂଜୁରୀ ପ୍ରଦାନ କଲା ପରେ ଯାଇ ବାହାଘର ହୋଇପାରୁଛି।”
ପୂର୍ବରୁ ଗଣ୍ଡ ସମାଜର ମହିଳାମାନଙ୍କ ସ୍ବର ଘର ଭିତରେ ସୀମାବଦ୍ଧ ଥିଲା।
ହେଲେ ଏବେ ସେମାନେ ଗଣ୍ଡ ସମାଜ ବୈଠକଗୁଡ଼ିକରେ ମଧ୍ୟ ସାମିଲ ହୋଇ ନିଜ ନିଜ ପକ୍ଷ ରଖୁଛନ୍ତି।
“ଆଗକୁ ବୈଠକକୁ ଯିବା ଲାଗି ଆମକୁ ଅନୁମତି ମିଳୁନଥିଲା। ଏବେ ଆମେ ବୈଠକରେ ସାମିଲ ହୋଇ ନିଷ୍ପତ୍ତି ବି ନେଉଛୁ। ଅନ୍ୟମାନେ ଆମକୁ ଶୁଣୁଛନ୍ତି ମଧ୍ୟ,” ବୋଲି କହନ୍ତି ସ୍ଥାନୀୟ ମହିଳା ଶିବରାତ୍ରି ପାତ୍ର।
ସ୍ତ୍ରୀଲୋକମାନେ ସମାଜର ବୈଠକରେ ସାମିଲ ହେବା ପରେ ସଂପ୍ରଦାୟ ଭିତରେ ଏହାର ଅନେକ ସୁପ୍ରଭାବ ପଡ଼ିବାର ଦେଖାଯାଉଛି।
ବିଶେଷକରି ଏହି ଅଂଚଳରେ ପାରିବାରିକ ହିଂସା ବେଶ୍ କମିୟାଇଛି।
“ଘରୋଇ ହିଂସାର ପ୍ରମୁଖ କାରଣ ଥିଲା ନିଶା। ଏହାକୁ ଦୃଷ୍ଟିରେ ରଖି ଆମେ ପୂରା ଅ଼୍ଚଳରେ ମଦ କାରବାର ବନ୍ଦ କରିଦେଇଛୁ। ଯିଏ ମଦ ବିକିବେ, ତାଙ୍କୁ ୧୦ ହଜାର ଟଙ୍କା ଜରିମାନା ଦେବାକୁ ହେବ,” ବୋଲି କହିଛନ୍ତି ମେନୁ ପାତ୍ର।
ଆଗରୁ ଯେତେବେଳେ ଘରୋଇ ହିଂସା ମାମଲା ଗଣ୍ଡ ସମାଜ ନିକଟକୁ ଆସୁଥିଲା, ସେତେବେଳେ ସମାଜର ନିଷ୍ପତ୍ତି ପ୍ରାୟତଃ ପୁରୁଷ ସପକ୍ଷରେ ଯାଉଥିଲା, ହେଲେ ଏବେ ମହିଳାମାନେ ବି ସେମାନଙ୍କ ପକ୍ଷ ରଖୁଛନ୍ତି ଓ ସେମାନେ ନିଷ୍ପତ୍ତି ବି ଶୁଣାଉଛନ୍ତି।
ଦ୍ବାଦଶ ଶ୍ରେଣୀ ପାଠପଢ଼ା ପୂର୍ବରୁ ପୁଅ କିମ୍ବା ଝିଅ ବିବାହ କରିପାରିବେ ନାହିଁ, ଗଣ୍ଡ ସମାଜ ଏହି ନିଷ୍ପତ୍ତି ମଧ୍ୟ ନେଇଛି।
ସ୍ଥାନୀୟ ଗାଁରେ ରହୁଥିବା ସନ୍ତୋଷିନୀ ପାତ୍ର କେତେ ବର୍ଷ ବୟସରେ ବିବାହ କରିଥିଲେ, ତାହା ବି ତାଙ୍କୁ ଜଣାନାହିଁ।
ଏବେ ସେ ଖୁସି, କାରଣ ତାଙ୍କ ଛଅ ବର୍ଷର ଝିଅ ସ୍କୁଲ୍ ଯାଇ ମନଇଚ୍ଛା ପାଠ ପଢ଼ିପାରିବ।
ପୂର୍ବରୁ ଏହି ସଂପ୍ରଦାୟର ପିଲାମାନେ ଉଚ୍ଚଶିକ୍ଷା ପାଇଁ ଇଚ୍ଛା ପ୍ରକାଶ କଲେ ବି ଅର୍ଥ ବାଧକ ସାଜୁଥିଲା।
ଫଳରେ ସେମାନେ ଅଧାରୁ ପାଠ ଛାଡ଼ିବାକୁ ବାଧ୍ୟ ହେଉଥିଲେ ଏବଂ କମ୍ ବୟସରେ ବିବାହ ବି କରୁଥିଲେ।
ଏବେ ସେମାନେ ଅନ୍ୟ ସ୍ଥାନକୁ ଯାଇ ରୋଜଗାର ବି କଲେଣି।
“ଆମେ ଅନ୍ୟ ସହରକୁ ଯାଇ ରୋଜଗାର କରି ଆସି ପୁଣି ପାଠ ପଢ଼ିପାରୁଛୁ,” ବୋଲି କହନ୍ତି ସ୍ଥାନୀୟ କଲେଜ ଛାତ୍ର ମନୁ ପାତ୍ର।
ମନୁ ଗୁଜରାଟର ରାଜକୋଟ ଯାଇ ନିର୍ମାଣ ଶ୍ରମିକ ଭାବେ କାମ କରି ପୁଣି ଗାଁକୁ ଫେରିଆସି କଲେଜରେ ପଢୁଛନ୍ତି।
ଆଉ କେତେକ ପରିବାର ସେମାନଙ୍କୁ ଝିଅକୁ ପାଠ ପଢ଼ାଇବା ଲାଗି ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି।
ଯେମିତି ଝିଅକୁ ପଢ଼ାଇବା ଇଚ୍ଛାରେ ଶିବରାତ୍ରି ମୂଲ ଲାଗିବା ସହ କେନ୍ଦୁପତ୍ର ସଂଗ୍ରହ କରୁଛନ୍ତି।
ପିଲାଙ୍କୁ ପାଠପଢ଼ ଯେତ୍ରରେ ପ୍ରୋତ୍ସାହିତ କରିବା ତଥା ସ୍ବାବଲମ୍ବୀ ହେବା ଲାଗି ପୁଅ ଓ ଝିଅମାନେ ବାଳିକା ଓ ବାଳକ ମଣ୍ଡଳ ମଧ୍ୟ ଗଠନ କରିଛନ୍ତି।
“ଆମେ ଏହି ମଣ୍ଡଳରେ ଆମ ପାଠପଢ଼ା ସଂପର୍କରେ ଆଲୋଚନା କରିବା ସାଙ୍ଗକୁ କ୍ୟାରିୟର୍ ବାବଦରେ ବି ଅନେକ କଥା ଆଦାନପ୍ରଦାନ କରିପାରୁଛୁ,” ବୋଲି କହନ୍ତି ଦ୍ବାଦଶ ଶ୍ରେଣୀରେ ପଢୁଥିବା ଏକ ବାଳିକା ମଣ୍ଡଳର ମୁଖ୍ୟ ଯାଜ୍ଞସେନୀ ପାତ୍ର।
(ରାକ୍ଷୀ ଘୋଷଙ୍କ ଏହି ଲେଖା “ଭିଲେଜ୍ ସ୍କୋୟାର୍”ରେ ପୂର୍ବରୁ ପ୍ରକାଶ ପାଇଛି।)
Leave a Reply