ଭୁବନେଶ୍ୱର, ମାର୍ଚ୍ଚ ୨୭(ଲୋକାଲ ୱାୟାର): ଲକ୍ ଡାଉନ୍ ପରିସ୍ଥିତିରେ ଲୋକଙ୍କୁ ସହାୟତାର ହାତ ବଢ଼ାଇଛନ୍ତି କିଟ୍ ଓ କିସ୍ କର୍ତ୍ତୃପକ୍ଷ ।
ରାଜଧାନୀରେ ରହୁଥିବା ୪୦ ହଜାର ଗରିବ ପରିବାରକୁ ଶୁଖିଲା ଖାଦ୍ୟ ଯୋଗାଇ ଦେବା ସହ ପଶୁପକ୍ଷୀଙ୍କୁ ଖାଦ୍ୟ ସାମଗ୍ରୀ ଦେବା ପାଇଁ କିଟ୍ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି ।
କିଟ୍ ଏବଂ କଳିଙ୍ଗ ଇନଷ୍ଟିଚୁ୍ୟଟ୍ ଅଫ୍ ସୋସିଆଲ୍ ସାଇନ୍ସ (କିସ୍) ପକ୍ଷରୁ ଆଜି ପଶୁପକ୍ଷୀଙ୍କ ପାଇଁ ଖାଦ୍ୟ ବଣ୍ଟନ କରାଯାଇଛି ।
ଚାରିଆଡେ ଲକ୍ ଡାଉନ ଥିବା ବେଳେ ଜନସାଧାରଣ ଘରୁ ବାହାରିବା ଏକପ୍ରକାର ବନ୍ଦ ହୋଇଯାଇଛି । ପଶୁପକ୍ଷୀ ଖାଦ୍ୟ ପାଇପାରୁନାହାନ୍ତି ।
ଏଥିପାଇଁ କିଟ୍ ଓ କିସ୍ ପକ୍ଷରୁ ଖାଦ୍ୟ ସାମଗ୍ରୀ, ସବୁଜ ପନିପରିବା ଆଦି ନେଇ ସ୍ୱେଚ୍ଛାସେବୀମାନେ ଭୁବନେଶ୍ୱର ସ୍ଥିତ ଖଣ୍ଡଗିରି, ଉଦୟଗିରି, ଧଉଳିଗିରି, ନନ୍ଦନକାନନ ଓ ଶିଖରଚଣ୍ଡୀ ପାହାଡ଼ ଅଞ୍ଚଳରେ ଥିବା ମାଙ୍କଡ଼ ଓ ଅନ୍ୟ ପଶୁପକ୍ଷୀଙ୍କୁ ଖାଦ୍ୟ ବାଣ୍ଟିଛନ୍ତି ।
ଏହାଛଡା କିଟ୍ ଓ କିସ୍ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ବୁଲୁଥିବା କୁକୁର, ଷଣ୍ଢ ଓ ଗାଈଗୋରୁଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରିବା ଭଳି ସେବା ଆରମ୍ଭ କରାଯାଇଛି ।
ବିଶେଷକରି ନାଲକୋ ଛକରୁ କିଟ୍ ଓ କିସ୍ କ୍ୟାମ୍ପସ୍ ଭିତରେ ଥିବା ବୁଲା ପଶୁପକ୍ଷୀଙ୍କୁ ଏହି ଖାଦ୍ୟ ଦିଆଯାଇଥିବା କିଟ୍ ଓ କିସ୍ର ପ୍ରତିଷ୍ଠାତା ଅଚୁ୍ୟତ ସାମନ୍ତ ସୂଚନା ଦେଇଛନ୍ତି ।
ଅପରପକ୍ଷେ ରାଜଧାନୀରେ ରହୁଥିବା ନିରୀହ ଗରିବ ଓ ଅସହାୟ ପରିବାରକୁ ଖାଦ୍ୟ ସାମଗ୍ରୀ ବଣ୍ଟନ କରିବାକୁ ନିଷ୍ପତ୍ତି ନିଆଯାଇଛି ।
ପାଖାପାଖି ୪୦ ହଜାର ଗରିବ ପରିବାର ଓ ସେମାନଙ୍କର ପିଲାମାନଙ୍କୁ ଏଥିରେ ସାମିଲ କରାଯାଇଛି । ଆସନ୍ତା ୨୦ ଦିନ ପର୍ଯ୍ୟନ୍ତ ସେମାନଙ୍କୁ ଚୁଡ଼ା, ଚିନି, ଶୁଖିଲା ଖାଦ୍ୟ ଆଦି ପ୍ରଦାନ କରାଯିବ ।
ଅତିକମରେ ସପ୍ତାହରେ ତିନିଦିନ ସେମାନଙ୍କଠାରେ ଏହି ଖାଦ୍ୟ ସାମଗ୍ରୀ ପହଞ୍ଚାଇ ଦିଆଯିବ । ମାର୍ଚ୍ଚ ୨୭ ତାରିଖ କିଟ୍ ଓ କିସ୍ ପରିସରରେ ଏହି ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି ।
ଯେଉଁଥିରେ ଏହାର ପ୍ରତିଷ୍ଠାତା ଅଚୁ୍ୟତ ସାମନ୍ତ କିଟ୍ ଓ କିସର କର୍ମକର୍ତ୍ତା ଓ ପୁଲିସ କର୍ମଚାରୀ ସାମିଲ ହୋଇ ଗରିବଙ୍କୁ ଏହି ଖାଦ୍ୟ ସାମଗ୍ରୀ ବଣ୍ଟନ କରିଛନ୍ତି ।
ଲୋକାଲ ୱାୟାର
Leave a Reply