ଭୁବନେଶ୍ୱର,ନଭେମ୍ବର ୩୦(ଲୋକାଲ ୱାୟାର): ଏବେ ଫ୍ୟାଶନରେ ସାନ୍ତାଳି ଆଟାୟାର୍ ।
କେତେବେଳେ ପାରମ୍ପରିକ ସାନ୍ତାଳି ପ୍ୟାଟର୍ଣ୍ଣର ବୁଣାକାରୀରେ ସ୍କର୍ଟରୂପରେ ତ ପୁଣି କେତେବେଳେ ଏହାକୁ ଟୁ୍ୟନ୍ କରୁଛି ଟପ୍ସ ।
‘ଗଲଙ୍ଗ ଗବନ୍’ ବ୍ରାଣ୍ଡରେ ଏମିତି ଟ୍ରେଣ୍ଡ ସେଟର ପାଲଟିଛି ଲିପସା ହେମ୍ବମଙ୍କ ଡିଜାଇନ୍ ।
ଲିପସା କୁହନ୍ତି, କିଛି ବର୍ଷ ଆଗରୁ ମୋ ମା’ ସାନ୍ତାଳି ଶାଢ଼ୀ ଓ ଏହାର ପ୍ୟାଟର୍ଣ୍ଣକୁ ନେଇ ଅଭିଯୋଗ କରିବା ଆରମ୍ଭ କଲେ ।
ସବୁବେଳେ ମା’ କହନ୍ତି ଆମ ପାରମ୍ପରିକ ଶାଢ଼ୀର କପଡା ବହୁତ ଭଲ ହେଲେ ଏଥିରେ କୌଣସି ଡିଜାଇନ୍ ନାହିଁ ।
କେତେବେଳେ ଧଳା ନାଲି ଚେକବୋର୍ଡରେ କେତେବେଳେ ହଳଦିଆ ସବୁର ରଙ୍ଗର ଚେକବୋର୍ଡରେ ଏହା ଆମକୁ ପିନ୍ଧିବାକୁ ଦିଆଯାଏ । ଏଥିରେ ଆଉ କିଛି ବି ନାହିଁ । ସେତେବେଳେ ମୋ ଭିତରେ ‘ଗଲଙ୍ଗ ଗବନ୍’ ପ୍ରସ୍ତୁତିର ମୂଳ ଦୂଆ ପଡ଼ିଲା ।
ସାନ୍ତାଳି ଭାଷାରେ ଗଲଙ୍ଗ ଗବନ୍ ର ଅର୍ଥ କୌଣସି ଜିନିଷକୁ ଆଦର ଓ ଯତ୍ନରେ ତିଆରି କରିବା ସହ ଏହାର ପବିତ୍ରତାକୁ ରକ୍ଷା କରିବା ।
୨୦୧୪ ମସିହାରେ ଦିଲ୍ଲୀ ସ୍ଥିତ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାଶନ୍ ଟେକ୍ନୋଲୋଜିରେ ପଢ଼ୁଥିବା ବେଳେ ଏହାର ପରିକଳ୍ପନା ଆରମ୍ଭ ହେଲା ।
ସମସାମୟିକ ଫ୍ୟାଶନରେ ସାନ୍ତାଳି ପରିପାଟୀକୁ ଆଣିବା ମୋର ଲକ୍ଷ୍ୟ ଥିଲା । ମୋ ଦ୍ୱାରା ପ୍ରସ୍ତୁତ ସାନ୍ତାଳି ଶାଢ଼ୀ କଟନ୍, ଲିନେନ୍ ଓ ସିଲ୍କରେ ଉପଲବ୍ଧ ହେଉଛି ।
ଲିପସାଙ୍କ ଦ୍ୱାରା ପ୍ରସ୍ତୁତ ଡିଜାଇନ୍ ସବୁକୁ ନିକଟରେ ମୟୂରଭଞ୍ଜର ବେଲଗଡ଼ିଆ ରାଜପ୍ରାସାଦରେ ସୁଟିଂ କରାଯାଇଛି ।
‘କାରଖାନା ଇତିହାସ’ ନାମରେ ଏକ କ୍ୟାମ୍ପେନିଂ ଦ୍ୱାରା ଏହିସବୁ ପାରମ୍ପରିକ ଡିଜାଇନ୍ ଗୁଡିକ ପ୍ରଦର୍ଶିତ ହେବ ।
ତିନୋଟି ରାଜପ୍ରାସାଦ ଯଥା ଜୈସଲମେର୍, ଗ୍ୱାଲିୟର ଓ ବେଲଗଡ଼ିଆରେ ଏସବୁର ସୁଟିଂ କରାଯାଇଛି ।
ନିର୍ଦ୍ଦିଷ୍ଟ ଅଞ୍ଚଳରେ ପସ୍ତୁତ ହେଉଥିବା କାରିଗରୀକୁ ଏଥିରେ ସୋ’କେସ୍ କରାଯିବ । ପ୍ରଦର୍ଶିତ ହୋଇଥିବା ଡିଜାଇନ୍ ସବୁ ଗତ ଦୁଇମାସ ଭିତରେ ସ୍ଥାନୀୟ ବୁଣାକାର ଓ କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଛି ।
ପାରମ୍ପରିକ ବୁଣାକାରୀ ସହ ରାଜପରିବାରର ସମ୍ପର୍କକୁ ଏହି କ୍ୟାମ୍ପେନ୍ ମାଧ୍ୟରେ ପ୍ରଦର୍ଶିତ କରିବା ଓ ଏବାବଦରେ ଲୋକଙ୍କୁ ରୋମନ୍ଥନ କରିବା ଏହି ପ୍ରଦର୍ଶନୀର ମୂଳ ଆଭିମୁଖ୍ୟ ।
ଯାହାକି ନଭେମ୍ବର ୨୭ରୁ ଆସନ୍ତା ତିନିମାସ ଯାଏଁ ସର୍ବସାଧାରଣଙ୍କ ଉଦେ୍ଦଶ୍ୟରେ ପ୍ରଦର୍ଶିତ ହେଉଛି ।
ପ୍ରଦର୍ଶନୀ ବାବଦରେ ସୂଚନା ଦେଇ ଲିପସା କହନ୍ତି ଏହି ଟେକ୍ସଟାଇଲ୍ ସିରିଜ୍ ପାଇଁ ଆମେ ସାନ୍ତାଳି ଜନଜାତିଙ୍କ ପାରମ୍ପରିକ ପୋଷାକ ସହ ସେମାନଙ୍କର ଜୀବନ ଯାତ୍ରା ସହ ତାଙ୍କ ପାରମ୍ପରିକ ପରିଧାନକୁ ସୁନ୍ଦର ଭାବେ ଉପସ୍ଥାପିତ କରିବାକୁ ଚେଷ୍ଟା କରିଛୁ । ଏଥିରେ ଆମେ ଉଭୟ ପୁରୁଷ ଓ ମହିଳାଙ୍କ ପରିଧାନକୁ ରଖିଛୁ ।
ପୁରୁଷମାନେ ଧୋତି ବା କଚ୍ଛା ପିନ୍ଧିଥିବା ବେଳେ ମହିଳାମାନେ ପାରମ୍ପରିକ ଫୁଟା ଶାଢ଼ୀ ପରିଧାନ କରିଛନ୍ତି ।
ପ୍ରଦର୍ଶିତ ହେଉଥିବା ଶାଢ଼ୀ ଓ ଧୋତି ଆମ ଅ ଳର ବଜାରରେ ଉପଲବ୍ଧ ହେଉଥିବା ବେଳେ ଏହା ଢେର ପୂର୍ବରୁ ବ୍ୟବହୃତ ହୋଇଆସୁଛି ।
ଟେକ୍ସଟାଇଲ୍ ଓ ଡିଜାଇନରେ ଆସୁଥିବା ବିବର୍ତ୍ତନକୁ ଆମେ ଉଭୟ ପୁରୁଣା ଓ ନୂଆ ପରିଧାନ ଭିତରେ ଦେଖାଇବାକୁ ଚେଷ୍ଟା କରିଛୁ ।
ଯାହାକି ଲିନେଲ୍ ଓ ଘିଚ୍ଚା ଟସର ମାଧ୍ୟମରେ ଆସିଛି । ସବୁଠାରୁ ଆକର୍ଷଣୀୟ କଥା ହେଉଛି ଏଠାରେ ମହିଳାମାନେ ବ୍ଲାଉଜ୍ ବ୍ୟବହାର କରିବାକୁ ପସନ୍ଦ କରୁନଥିବା ବେଳେ ଆମେ ପ୍ରଦର୍ଶିତ କରିଥିବା ଡିଜାଇନ୍ ସବୁ ବିନା ବ୍ଲାଉଜରେ ପ୍ରଦର୍ଶିତ ହୋଇଛି । ଯାହାକି ଦକ୍ଷିଣ ଏସିଆରେ ଆଦିବାସୀଙ୍କ ପ୍ରଗତିଶୀଳତାର ପ୍ରମାଣ ଦିଏ ।
ଲୋକାଲ ୱାୟାର
Leave a Reply