ଭୁବନେଶ୍ୱର, ଫେବ୍ରୁଆରୀ ୧୮(ଲୋକାଲ ୱାୟାର): ଜଗଦୀଶ ମହାନ୍ତି ଟ୍ରଷ୍ଟ ତରଫରୁ ଜଗଦୀଶ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି ।
ଓଡ଼ିଆ କଥା ସାହିତ୍ୟର ଜଣେ ଅପ୍ରତିଦ୍ୱନ୍ଦ୍ୱୀ କଥାକାର ଭାବେ ପରିଚିତ ଜଗଦୀଶ ମହାନ୍ତିଙ୍କ ସ୍ମୃତିରେ ଆୟୋଜିତ ହୋଇଥିଲା ଏହି ଉତ୍ସବ ।
ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ବରିଷ୍ଠ କଥାକାର ଦାଶ ବେନହୁର ଯୋଗଦେଇ କହିଥିଲେ, ଗଳ୍ପ ରଚନା କ୍ଷେତ୍ରରେ ଜଗଦୀଶ ମହାନ୍ତି ଜଣେ ତେନ୍ଦୁଲକର ଥିଲେ ।
ମୁଖ୍ୟ ବକ୍ତା ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ବିଶିଷ୍ଟ ଗାଳ୍ପିକ ପବିତ୍ର ପାଣିଗ୍ରାହୀ ଯୋଗଦେଇ ଜଗଦୀଶ ମହାନ୍ତିଙ୍କ ସ୍ମୃତିରେ ବକ୍ତବ୍ୟ ରଖିଥିଲେ ।
ଏହି ଅବସରରେ ଚଳିତ ବର୍ଷର ସମ୍ମାନଜନକ ଜଗଦୀଶ କଥା ସମ୍ମାନ ବିଶିଷ୍ଟ କଥାକାର ନିବାରଣ ଜେନାଙ୍କୁ ପ୍ରଦାନ କରାଯାଇଥିଲା ।
ସେହପରି ଯୁବ ଲେଖକଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ଯରେ ଦିଆଯାଉଥିବା ଜଗଦୀଶ ଯୁବ ସମ୍ମାନ ଗାଳ୍ପିକ ଶକ୍ତି ମହାନ୍ତିଙ୍କୁ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ଜଗଦୀଶଙ୍କ ବହୁ ଚର୍ଚ୍ଚିତ ଗଳ୍ପ ‘ଓଲଟ ପକ୍ଷୀର ବୃତ୍ତାନ୍ତ’ର ନାଟକୀୟ ଉପସ୍ଥାପନ କରିଥିଲେ ଅମ୍ବିକେଶ ରାଉତ ।
ଜଗଦୀଶ ମହାନ୍ତିଙ୍କ କିଛି ଅସଂକଳିତ ଗଳ୍ପକୁ ନେଇ ‘ଯାହାର ଉଡ଼ିଯିବାର ଥିଲା’ ଏବଂ ସରୋଜିନୀ ସାହୁଙ୍କ ଗଳ୍ପ ସଂକଳନ ‘ଆ’ ଏହି ଅବକାଶରେ ଲୋକାର୍ପିତ ହୋଇଥିଲା ।
ସଭାରେ ସଭାପତିତ୍ୱ କରିଥିଲେ ଡ. ସରୋଜିନୀ ସାହୁ । ଟ୍ରଷ୍ଟର ସମ୍ପାଦକ ତଥା ଲେଖକ ସରୋଜ ବଳ ଅତିଥି ପରିଚୟ ସହ ଉତ୍ସବ ସଞ୍ଚାଳନ କରିଥିଲେ । ଧନ୍ୟବାଦ ଦେଇଥିଲେ ନେତାଜୀ ଅଭିନନ୍ଦନ ।
ଲୋକାଲ ୱାୟାର
Leave a Reply