କେନ୍ଦ୍ରାପଡ଼ା, ଡିସେମ୍ବର ୧୯ (ଲୋକାଲ ୱାୟାର): ଭିତରକନିକା ଜାତୀୟ ଉଦ୍ୟାନ ନିକଟ ନଳଦିଆ ଗାଁ ପୋଖରୀକୁ ଚାଲି ଆସିଥିବା ୧୨ ଫୁଟ ଲମ୍ବର କୁମ୍ଭୀରକୁ ବନ ଅଧିକାରୀମାନେ ଉଦ୍ଧାର କରିଛନ୍ତି ।
ଜୁଆର ବେଳେ କୁମ୍ଭୀରଟି ପୋଖରୀକୁ ଚାଲି ଆସିଥିଲା ।
ଗାଧୋଇବାକୁ ଯାଇଥିବା କିଛି ଲୋକମାନଙ୍କୁ କୁମ୍ଭୀର ଆକ୍ରମଣ କରିବାକୁ ଚେଷ୍ଟା କରିବାରୁ ସେମାନେ ସ୍ଥାନୀୟ ବନ ବିଭାଗକୁ ଖବର ଦେଇଥିଲେ ।
ବନ ଅଧିକାରୀମାନେ ଜାଲ ସାହାଯ୍ୟରେ କୁମ୍ଭୀରଟିକୁ ଧରି ପାଟଶାଳା ନଦୀରେ ଛାଡିଥିଲେ ।
କୁମ୍ଭୀରଟି ଲୋକଙ୍କୁ ଆକ୍ରମଣ କରିନଥିଲା । ନଦୀ ଓ ପୋଖରୀରେ ଗାଧୋଇବା ବେଳେ ସତର୍କତା ଅବଲମ୍ବନ କରିବାକୁ ଗ୍ରାମବାସୀଙ୍କୁ ପରାମର୍ଶ ଦିଆଯାଇଛି ।
ଭିତରକନିକା ଆଖପାଖରେ ଥିବା ନଦୀ ଓ ପୋଖରୀରେ ବନ ବିଭାଗ ପକ୍ଷରୁ ପ୍ରାୟ ୩୦ କାଠ ବାରିକେଡ ନିର୍ମାଣ ହୋଇଛି ବୋଲି ଭିତରକନିକା ଡିଏଫଓ ବିକାଶ ରଞ୍ଜନ ଦାଶ କହିଛନ୍ତି ।
ଭିତରକନିକାରେ କୁମ୍ଭୀର ବଂଶ ଅହେତୁକ ଭାବେ ବୃଦ୍ଧି ପାଇଥିବାରୁ ସେମାନେ ଗାଁ ଭିତରକୁ ଚାଲି ଆସୁଛନ୍ତି । ଫଳରେ ଲୋକ, ଗାଈଗୋରୁଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି ।
ହେଲେ ବନ ବିଭାଗ ଏଥିପ୍ରତି ଦୃଷ୍ଟି ନଦେଇ ଡାଙ୍ଗମାଳ କୁମ୍ଭୀର ପ୍ରଜନନ କେନ୍ଦ୍ରରେ କୁମ୍ଭୀର ଶାବକ ଛାଡୁଛନ୍ତି ବୋଲି କିଛି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
ଲୋକାଲ ୱାୟାର
Leave a Reply