ଭୁବନେଶ୍ୱର, ସେପ୍ଟେମ୍ବର ୧୯(ଲୋକାଲ ୱାୟାର): ଓଡ଼ିଶାର ପ୍ରଥିତଯଶା ନାଟ୍ୟ ପ୍ରତିଭା, ଚଳଚ୍ଚିତ୍ର ନିର୍ଦ୍ଦେଶକ, ଗୀତିକାର ତଥା କଳାକାର ଶାରଦା ପ୍ରସନ୍ନ ନାୟକଙ୍କ ଏକାଦଶାହରେ ଶୁକ୍ରବାର ଶ୍ରଦ୍ଦାଞ୍ଜଳି ଅର୍ପଣ କରାଯିବା ସହ ତାଙ୍କ ନାମରେ ପ୍ରତି ବର୍ଷ ସରକାରଙ୍କ ପକ୍ଷରୁ ‘ଶାରଦା ପ୍ରସନ୍ନ ନାୟକ ଗୀତି କବିତା ପୁରସ୍କାର’ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।
ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଗୀତିକବିତା ପାଇଁ ପ୍ରଦାନ କରାଯାଉଥିବା ପୁରସ୍କାର ରାଶି ୨ ଲକ୍ଷ ୫୦ ହଜାର ଟଙ୍କା ରହିବ ବୋଲି କୁହାଯାଇଛି ।
ଏଥିସହ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ମିଳିତ ଆନୁକୂଲ୍ୟରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି ।
ସଭାରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଘୋଷଣା କରାଯିବା ସହ ଏହି ମହାନ ପ୍ରତିଭାଙ୍କ ସ୍ମୃତିରେ ନିର୍ମିତ ଏକ ଅଧଘଣ୍ଟିଆ ବୃତ୍ତଚିତ୍ରକୁ ଦୂରଦର୍ଶନରେ ପ୍ରସାରଣ କରାଯିବା ସକାଶେ ସ୍ଥିର ହୋଇଥିଲା ।
ଏହି ବୃତ୍ତଚିତ୍ର ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଓ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ସହଯୋଗରେ ପ୍ରସ୍ତୁତ ହୋଇଛି ।
ଶନିବାର ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ନିର୍ଦ୍ଦେଶକ ଓ ଅତିରିକ୍ତ ଶାସନ ସଚିବ ବିଜୟ କୁମାର ନାୟକ, ସଙ୍ଗୀତ ନାଟକ ଏକାଡେମୀ ସଭାପତି ଡ. ରାମକୃଷ୍ଣ ସାହୁ, ଏକାଡେମୀ ସଚିବ ପ୍ରବୋଧ ରଥ ଏବଂ ଗୁରୁ କେଳଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଡ. ସଙ୍ଗୀତା ଗୋସାଇଁ ପ୍ରମୁଖ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ଲୋକାଲ ୱାୟାର
Leave a Reply