କେନ୍ଦୁଝର, ଅଗଷ୍ଟ ୩୧ (ଲୋକାଲ ୱାୟାର) : ଗୁଣି ଗାରେଡ଼ି ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା କରିବା ଘଟଣାରେ କେନ୍ଦୁଝର ଏଡିଜେ କୋର୍ଟ ସୋମବାର ତିନି ଜଣକୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।
ଏହା ସହିତ କୋର୍ଟ ୧୨ ଜଣଙ୍କୁ ନିଦେ୍ର୍ଦାଷରେ ଖଲାସ କରିଛନ୍ତି ।
ଉଲ୍ଲେଖଯୋଗ୍ୟ, ୨୦୧୪ ମସିହାରେ କେନ୍ଦୁଝର ନୟାକୋଟ ଥାନା ଅନ୍ତର୍ଗତ ବାଂଶପାଳ ବ୍ଲକ ସାହାରପୁର ଗ୍ରାମରେ ଡାହାଣୀ ସନେ୍ଦହରେ ଏକ ଦମ୍ପତିଙ୍କୁ ନୃଶଂସ ଭାବରେ ହତ୍ୟା କରି ଗଣ୍ଡି-ମୁଣ୍ଡ ଅଲଗା କରି ଦେଇଥିଲେ ।
ଘଟଣାର ଶୁଣାଣି କରି ଆଜି ସ୍ଥାନୀୟ ଅତିରିକ୍ତ ଜିଲ୍ଲା ଜଜ୍ ଲୋକନାଥ ସାହୁ ୩ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ଜରିମାନା ଆଦାୟ କରି ମୃତକଙ୍କ ଝିଅକୁ କ୍ଷତିପୂରଣ ପ୍ରଦାନ କରିବାକୁ ଆଦେଶ ଦେଇଛନ୍ତି ।
ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିବା ଅଭିଯୁକ୍ତମାନେ ହେଲେ ବସନ୍ତ ଦେହୁରୀ,ଗୋୖତମ ପେଣ୍ଠଇ ଓ ମିଟୁ ମଲ୍ଲିକ ।
ପ୍ରକାଶ ଥାଉ କି, ଗତ ୨୦୧୪ ମସିହା ଅକ୍ଟୋବର ୯ ତାରିଖରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିଲା ।
ମୃତକଙ୍କ ନାମ ଜେମାମଣୀ ଦେହୁରୀ ଓ ତାଙ୍କ ସ୍ୱାମୀ ରାଜେନ୍ଦ୍ର ଦେହୁରୀ ।
ଗୁଣିଗାରେଡି କରୁଥିବା ଏବଂ ଡାହାଣୀ ସନେ୍ଦହରେ ସେମାନଙ୍କୁ ଉକ୍ତ ଦିନ ରାତିରେ ସଂଘବଦ୍ଧ ଭାବରେ ଆକ୍ରମଣ କରିବା ପରେ ଘରୁପଦାକୁ ଘୋସାରୀ ଆଣି ମୁଣ୍ଡଗଣ୍ଡି ଅଲଗା କରି ଅତି ନିର୍ମମ ଭାବରେ ହତ୍ୟା କରିଥିଲେ ।
ଏହି ଘଟଣାରେ ସେମାନଙ୍କ ଝିଅ ପୂଜା ଦେହୁରୀ ଗୁରୁତର ଆହତ ହୋଇଥିଲେ ।
ଏନେଇ ନୟାକୋଟ ଥାନା ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଆହତ ଝିଅକୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।
ଏହି ଘଟଣାକୁ ନେଇ କେସ ନମ୍ବର ୪୪/୨୦୧୪, ଦଫା ୩୦୨/୪୫୦/୩୪ ଆଇପିସିରେ ମାମଲା ରୁଜୁକରି ସମୁଦାୟ ପୁଲିସ୍୧୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।
୧୮ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଏଡିଜେ କୋର୍ଟ ଏହି ଦଣ୍ଡାଦେଶ କରିଥିବା ବରିଷ୍ଠ ସରକାରୀ ଓକିଲ ପ୍ରଫୁଲ୍ଲ ପାତ୍ର କହିଛନ୍ତି ।
ଏହି ଘଟଣାରେ ଅନ୍ୟ ୯ଜଣଙ୍କୁ ପ୍ରମାଣ ଅଭାବରୁ ଖଲାସ କରାଯାଇଛି ।
ସେହିପରି ସରକାରଙ୍କ ଭିକ୍ଟିମ କମ୍ପେନସେସନ ଆକ୍ଟ ଅନୁସାରେ ମୃତ(ପିଡିତା)ଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ କୋର୍ଟ ଆଦେଶ ଦେଇଛନ୍ତି ବୋଲି ଆଇନଜୀବୀ ସୁରଜ ମହାପାତ୍ର କହିଛନ୍ତି ।
ଲୋକାଲ ୱାୟାର
Leave a Reply