ଭୁବନେଶ୍ୱର,ଡିସେମ୍ବର ୧୯(ଲୋକାଲ ୱାୟାର): ଗୋଆ ଆନ୍ତର୍ଜାତିକ ଉତ୍ସବର ପାନୋରାମାକୁ ମନୋନୀତ ହୋଇଛି ନିଦେ୍ର୍ଦଶକ ପଦ୍ମଶ୍ରୀ ନୀଳ ମାଧବ ପଣ୍ଡାଙ୍କ ଚଳଚ୍ଚିତ୍ର ‘କାଲିର ଅତୀତ’ ।
କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକର ଏହି ସୂଚନା ଦେଇଛନ୍ତି । ଓଡ଼ିଶାର ଜନ ଜୀବନରେ ପ୍ରକୃତି ସହ ସଂଘର୍ଷ ଏକ ନିତି ଦିନିଆ କଥା ।
ବନ୍ୟା, ବ୍ୟାତ୍ୟା ଭଳି ପ୍ରକୃତିକ ବିପର୍ଯ୍ୟୟ କେବେ ଓଡ଼ିଶାର ପିଛା ଛାଡ଼େନି । ଏସବୁ ସତ୍ତ୍ୱେ ଓଡ଼ିଶା ସବୁ ପରିସ୍ଥିତିରେ ନିଜର ସ୍ଥାୟିତ୍ୱ ଜାରି ରଖିଛି ।
ପ୍ରକୃତି ସହ ଆମର ସଂଘର୍ଷର ପ୍ରତିଫଳନ ଆମେ ଅନେକ ସମୟରେ ଦେଖିଛେ ।
ବର୍ତ୍ତମାନ ସମୟରେ ଜଳବାୟୁର ପରିବର୍ତ୍ତନ ସହିତ ପରିବେଶର ବିପର୍ଯ୍ୟୟ ସମସ୍ତଙ୍କୁ ବ୍ୟଥିତ କରୁଛି ।
ଜଳବାୟୁ ପରିବର୍ତ୍ତନ କେବଳ ଏକ ଭବିଷ୍ୟବାଣୀ ନୁହେଁ ଏହା ଏକ ଆହ୍ୱାନ । ଏଭଳି ଏକ ପୃଷ୍ଠଭୂମିକୁ ନେଇ ଗତିଶୀଳ ହୋଇଛି ଚଳଚ୍ଚିତ୍ର ‘କାଲିର ଅତୀତ’ ।
ଏହି ସିନେମାରେ ଓଡ଼ିଆ ମାଳିକା ପରମ୍ପରା ସହ ଆଜିର ସାମାଜିକ ଜୀବନକୁ ଯୋଡ଼ି ଏକ ଦମଦାର କାହାଣୀ କରିଛନ୍ତି ନୀଳମାଧବ ପଣ୍ଡା ।
ପୂର୍ବରୁ ହିନ୍ଦୀ ଓ ଇଂରାଜୀ ଭାଷାରେ ସେ ଅନେକ ଚଳଚ୍ଚିତ୍ର କରିଥିବା ବେଳେ ପ୍ରଥମ କରି ଓଡ଼ିଆରେ ଏହି ଚଳଚ୍ଚିତ୍ର ନିର୍ମାଣ କିଛନ୍ତି ।
ସମୁଦ୍ର ଗର୍ଭରେ ଧୀରେ ଧୀରେ ହଜିଯାଉଥିବା ସାତଭାୟା ଅଞ୍ଚଳକୁ ନେଇ ଏହି ସିନେମା ନିର୍ମିତ ହୋଇଛି ।
୨୦୦୫ ମସିହାରୁ ପ୍ରାୟ ପର୍ଯ୍ୟାୟ କ୍ରମେ ଏହି ସିନେମାର ସୁଟିଂ ହୋଇଛି । ଏହି ସିନେମାର ମୁଖ୍ୟ ନାୟକ ‘ଗୁନୁ’ ନିଜର ପୁରୁଣା ଜୀବନକୁ ଫେରୁଛି ।
ତାର ପୁରୁଣା ଜୀବନରେ ରହିଛି ସମୁଦ୍ର ଭିତରେ ବୁଡି ଯାଇଥିବା ଗୋଟେ ଗାଁ ଓ ୧୯୯୯ ମହାବାତ୍ୟାରେ ଉଜୁଡି ଯାଇଥିବା ତା’ର ପରିବାର ।
ଗୋଟିଏ ବାତ୍ୟାରୁ ଆଉ ଏକ ବାତ୍ୟାର ସ୍ମୃତିକୁ ଫେରିବାର ଏକ ରୋମାଞ୍ଚକର ଯାତ୍ରାର କାହାଣୀ ହେଉଛି ‘କାଲିର ଅତୀତ’ ।
ଲୋକାଲ ୱାୟାର
Leave a Reply