ଭୁବନେଶ୍ୱର, ନଭେମ୍ବର ୩୦(ଲୋକାଲ ୱାୟାର): କଳା ଓ କଳାକାର ଓଡ଼ିଶା ଇତିହାସରେ ନୂଆ କଥା ନୁହେଁ ।
ସେ ମନ୍ଦିର ପଥର ଦେହରେ ଖୋଦେଇ ହେଉ ଅବା ପଟ୍ଟଚିତ୍ରରେ ପୁରାଣ, ସଙ୍ଗୀତର ରାଗରେ ଦର୍ଶକଙ୍କୁ ବିଭୋର କରାଇବା ହେଉ ଅବା ନୃତ୍ୟରେ ଜଗନ୍ନାଥଙ୍କ ଅରାଧନା ।
ଗୋଟିପୁଅ ହେଉଛି ଓଡ଼ିଶାର ପାରମ୍ପରିକ ନୃତ୍ୟ ରୂପ । ମହିଳାଙ୍କ ପରିପାଟୀ ପରିଧାନ କରୁଥିବା ଯୁବକମାନେ ଶତାବ୍ଦୀ ଶତାବ୍ଦୀ ଧରି ଓଡ଼ିଶାରେ ଏହା କରି ଆସୁଛନ୍ତି ।
ଗୋଟିପୁଅ ନୃତ୍ୟର ଧାରା ଓ ଏହାର ମୂଳ ସ୍ରଷ୍ଟାଙ୍କୁ ସମ୍ମାନ ଦେବାକୁ ଯାଇ ଯୁବ ନିର୍ଦ୍ଦେଶକ ଅଭିଷେକ ସ୍ୱାଇଁ ପ୍ରସ୍ତୁତ କରିଛନ୍ତି ପ୍ରାମାଣିକ ଚଳଚ୍ଚିତ୍ର ‘ଥ୍ରୁ ଦ ଆଇଜ୍ ଅଫ୍ ଏନ୍ ଆର୍ଟିଷ୍ଟ’ ।
ଜାତୀୟ ପୁରସ୍କାରପ୍ରାପ୍ତ ଗୋଟିପୁଅ ଗୁରୁ ବୀରବର ସାହୁଙ୍କ ଉପରେ ଆଧାରିତ ଏହି ଚଳଚ୍ଚିତ୍ର ଗୋଟିପୁଅ ନୃତ୍ୟ ଧାରାର ଭିନ୍ନ ଏକ ଦିଗକୁ ଆବିଷ୍କାର କରିବାକୁ ଚେଷ୍ଟା କରିଛି ।
ଗୋଟିପୁଅ ନୃତ୍ୟଶିଳ୍ପୀ ବୀରବର ସାହୁ ଗତ ଆଠ ଦଶନ୍ଧି ହେବ ଓଡ଼ିଶାର ପ୍ରାଚୀନ ନୃତ୍ୟକୁ ରୂପ ଦେଇଛନ୍ତି । ଏହି ଚଳଚ୍ଚିତ୍ରଟି ତାଙ୍କ ଜୀବନର ଶେଷ ଦିନରେ ସୁଟିଂ କରାଯାଇଥିଲା ।
ଜୟଦେବ ନିର୍ବାଚନମଣ୍ଡଳୀର ବାଲିପାଟଣା ବ୍ଲକ୍ କୁରଞ୍ଜିପୁର ପଞ୍ଚାୟତ ଅନ୍ତର୍ଗତ ଇନେ୍ଦାଳ କୁଶିଆରୀ ଗାଁରେ ବୀରବରଙ୍କ ଜନ୍ମ ।
ତାଙ୍କରି ଜୀବନ ସଂଘର୍ଷ ଓ ଗୋଟିପୁଅ ନୃତ୍ୟ ପ୍ରତି ତାଙ୍କର ବଳିଦାନକୁ ଏଥିରେ ଅତି ସୁନ୍ଦର ଭାବେ ପ୍ରଦର୍ଶିତ କରାଯାଇଛି ।
ଚଳଚ୍ଚିତ୍ରରେ ପ୍ରଯୋଜନା ଦାୟିତ୍ୱ ତୁଲାଇଛନ୍ତି ଡଃ କାଳନ୍ଦି ଚରଣ ସ୍ୱାଇଁ ଓ ଯୁବ ପ୍ରଯୋଜକ ଶେଖ ଗୁଲଜାର ହୁସେନ ।
ସଂଳାପ ଲେଖିଛନ୍ତି ଡଃ ଗୌରୀ ଶତପଥୀ । ଆଦିିଶକ୍ତି ଚାରିଟେବୁଲ ଟ୍ରଷ୍ଟ ପ୍ରଯୋଜନାରେ ପ୍ରସ୍ତୁତ ଏହି ଚଳଚ୍ଚିତ୍ରଟିରେ ସଙ୍ଗୀତ ଭାର ସମ୍ଭାଳିଛନ୍ତି କିଶଲ୍ୟ ରୟ ।
ଲୋକାଲ ୱାୟାର
Leave a Reply