ଭୁବନେଶ୍ୱର, ଜାନୁଆରୀ ୨୦(ଲୋକାଲ ୱାୟାର): ହାସ୍ୟାଭିନେତା ରବି ମିଶ୍ରଙ୍କ ପରଲୋକରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଥିବା ବେଳେ ପିରି ସେ ଗୋପାଳ ଭାଣ୍ଡ ଚରିତ୍ର ଭାବେ ଘରେ ଘରେ ପରିଚିତ ଥିଲେ ତାହା ସମସ୍ତେ ମନେ ପକାଉଛନ୍ତି ।
ମଞ୍ଚ ଅଭିନୟରେ ନିଜ ଯାଦୁ ଦେଖାଇଥିବା ରବି ମିଶ୍ର ୧୯୯୬ ମସିହାରେ ଦୂରଦର୍ଶନରେ ପ୍ରସାରିତ ହାସ୍ୟ ଧାରାବାହିକ ‘ଗୋପାଳ ରହସ୍ୟ’ରେ ଦେଖାଦେଇଥିଲେ ।
ସ୍ୱତନ୍ତ୍ର ଅଭିନୟ ଚାତୁରୀରେ ସେ ଘରେ ଘରେ ‘ଗୋପାଳ ଭାଣ୍ଡ’ ଭାବେ ପରିଚିତି ପାଇଥିଲେ । ତାଙ୍କ ଅଭିନୟ ତାଙ୍କୁ ବଡ଼ ପରଦାକୁ ଟାଣି ନେଇଥିଲା ।
ଅଭିନୟ ଜୀବନରେ ସେ ‘ସକଳ ତୀର୍ଥ ତୋ ଚରଣେ’, ‘ତୋ ଆଖି ମୋ ଆଇନା’, ‘ଆଇ ଲଭ୍ ମାଇଁ ଇଣ୍ଡିଆ’, ‘ରଖିଲେ ଶିବ ମାରିବ କିଏ’, ‘ରାକ୍ଷୀ ଭିଜିଗଲା ଆଖି ଲୁହରେ’, ‘ରାମ ଲକ୍ଷ୍ମଣ’, ‘ଧର୍ମ ନିକିତି’, ‘ବିଧାତା’, ‘ମହାସଂଗ୍ରାମ’, ‘ଲାଲ ଟୁକଟୁକ୍ ସାଧବ ବୋହୂ’, ‘ଭାଇ ହେଲା ଭଗାରୀ’, ‘ସୌଭାଗ୍ୟବତୀ’, ‘ମନ ରହିଗଲା ତୁମରିଠାରେ’ ଆଦି ୩୫ରୁ ଅଧିକ ଫିଲ୍ମରେ ସ୍ଥାନ ପାଇଥିଲେ ।
ଓଡ଼ିଆ ଧାରାବାହିକ ‘ସଂସ୍କାର’, ‘ହେ ପ୍ରଭୁ’ରେ ମଧ୍ୟ ସେ ଥିଲେ ।
ଗତକାଲି ସେ ଏକ ଧାରାବାହିକରେ ଅସୁସ୍ଥ ଥିବା ବ୍ୟକ୍ତିର ଚରିତ୍ର ନିଖୁଣ ଭାବେ ଫୁଟାଇଥିଲେ ।
ସୁଟିଂ ସାରି କଟକ ଖପୁରିଆସ୍ଥିତ ଘରେ ପହଞ୍ଚି ସତରେ ଅସୁସ୍ଥ ହୋଇ ପଡ଼ିଥିଲେ ଏବଂ ୬୪ ବର୍ଷ ବୟସରେ ଆଜି ସକାଳେ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ତାଙ୍କର ଦେହାନ୍ତ ହୋଇଯାଇଥିଲା । ଅପରାହ୍ଣରେ କଟକ ଖାନନଗରରେ ତାଙ୍କର ଅନ୍ତ୍ୟେଷ୍ଟି ସମ୍ପନ୍ନ ହୋଇଥିଲା ।
ତାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଚଳଚ୍ଚିତ୍ର ଜଗତର ଅନେକ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି ।
ଲୋକାଲ ୱାୟାର
Leave a Reply