ଭୁବନେଶ୍ୱର, ଜାନୁଆରୀ ୩୦(ଲୋକାଲ ୱାୟାର): ଶାଶ୍ୱତ ମୂଲବୋଧ ସହିତ ପ୍ରତିଟି ଚରିତ୍ରକୁ ଅମୃତର ସନ୍ତାନ ଭାବରେ ଚିତ୍ରଣ କରି ‘ବସୁଧୈବ କୁଟୁମ୍ବକମ୍’ ମନ୍ତ୍ରକୁ ଆପଣେଇ ନେବା କାଳୟଜୀ ସ୍ରଷ୍ଟା ଗୋପୀନାଥ ମହାନ୍ତିଙ୍କ କୃତି ‘ମାଟିମଟାଳ’ର ମହତ୍ତ୍ୱପୂର୍ଣ୍ଣ ସନ୍ଦେଶ ।
ସମବାୟଭିତ୍ତିକ ଅର୍ଥନୀତି ଓ ଗୋଷ୍ଠୀ କୃଷିକୁ ଆଧାର କରି ୧୯୫୨ରେ ଜମିଦାରୀ ଉଚ୍ଛେଦ ପରେ ଏହି ଉପନ୍ୟାସ ଓଡ଼ିଆ ପାଠକ ମହଲରେ ଏକ ବିସ୍ମୟ ବୋଲି ବିଶିଷ୍ଟ ବିଦ୍ୱାନ ପ୍ରଫେସର ରାଜକିଶୋର ମିଶ୍ର ମତବ୍ୟକ୍ତ କରିଛନ୍ତି ।
ବୁଧବାର ସନ୍ଧ୍ୟାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ତଥା ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ପୁସ୍ତକ ଚର୍ଚ୍ଚା କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଫେସର ମିଶ୍ର ବକ୍ତବ୍ୟ ରଖିଛନ୍ତି ।
ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶିକା ଡ. ତମସାରାଣୀ ଦାସମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଫେସର ମିଶ୍ର କହିଲେ, ୧୯୫୧ରୁ ଆରମ୍ଭ କରି ୧୯୬୪ରେ ଶେଷ ହୋଇଥିବା ୯୭୪ ପୃଷ୍ଠା ସମ୍ବଳିତ ‘ମାଟିମଟାଳ’ ଉପନ୍ୟାସର ଦୁଇବର୍ଷ କାଳଖଣ୍ଡର ଗ୍ରାମ୍ୟ ଚରିତ୍ର ଓ ପରିବେଶ ବର୍ଣ୍ଣନା ମାଧ୍ୟମରେ କଥାଶିଳ୍ପୀ ଗୋପୀନାଥ ଉପନ୍ୟାସର ନାୟକ ଓ ନାୟିକା ରବି ତଥା ଛବିଙ୍କୁ ସେବା, ତ୍ୟାଗ, ପ୍ରେମ, ମାନବିକତା, ଉତ୍ସର୍ଗ ଏବଂ ସମ୍ପ୍ରତିର ପ୍ରତୀକ ଭାବରେ ଉପସ୍ଥାପନ କରିଛନ୍ତି ।
ସେହିପରି ଉପନ୍ୟାସରେ ୭୫୧ରୁ ୯୦୧ ପୃଷ୍ଠା ପର୍ଯ୍ୟନ୍ତ ବର୍ଣ୍ଣିତ ବନ୍ୟା ବିଭୀଷିକା ଓ କରାଳ ଚିତ୍ର ଅତ୍ୟନ୍ତ ବାସ୍ତବବାଦୀ ଓ ଚମତ୍କାର ।
ଶତାଧିକ ଚରିତ୍ର ଓ ଚିତ୍ର ମାଧ୍ୟମରେ ଏହି ଉପନ୍ୟାସ ଶେଷରେ ଏକ ସଂକ୍ଷିପ୍ତ ହୃଦୟସ୍ପର୍ଶୀ ଓ ଉପସଂହାରରେ ଶେଷ ହୋଇଥିବାବେଳେ ୧୯୦ ଶବ୍ଦ ବିଶିଷ୍ଟ ୨୦ ଧାଡ଼ିଆ ବାକ୍ୟରେ ଆରମ୍ଭ ହୋଇଛି ।
ଆଶାବାଦ ଓ ନୂତନ ସମ୍ଭାବନାର ପୂଜାରୀ ଲେଖକ ଗୋପୀନାଥ ‘ମାଟିମଟାଳ’ ମାଧ୍ୟମରେ ତାଙ୍କର ସମ୍ପ୍ରସାରିତ ବିଶ୍ୱଦୃଷ୍ଟିକୁ ପାଠକ ସମ୍ମୁଖରେ ତୋଳି ଧରିଛନ୍ତି ବୋଲି ପ୍ରଫେସର ମିଶ୍ର କହିଥିଲେ ।
ଲୋକାଲ ୱାୟାର
Leave a Reply