କେନ୍ଦ୍ରାପଡା,ଜୁଲାଇ ୯(ଲୋକାଲ ୱାୟାର): ପାରିପାଶ୍ୱିର୍କ ଜଳ ଓ ପ୍ରଦୂଷଣ ଯୋଗୁଁ କେନ୍ଦ୍ରାପଡା ସହରଠାରୁ ଗଣ୍ଡାଖିଆ ଯାଏଁ ଲମ୍ବିଥିବା ୨୦ କିଲୋମିଟର ଗୋବରୀ କେନାଲ୍ ଏବେ ପ୍ରଦୂଷିତ ହେବାକୁ ବସିଛି ।
କେନାଲର ଅବସ୍ଥା ଏତେ ଶୋଚନୀୟ ହୋଇପଡ଼ିଛି ଯେ, ଏହାର ଆଖପାଖ ଅଞ୍ଚଳରେ ରହୁଥିବା ପାଖାପାଖି ଗାଁର ୨ ଲକ୍ଷ ଲୋକ ପ୍ରଭାବିତ ହେଉଛନ୍ତି ।
କେନାଲର ଏକ ବଡ଼ ଅଂଶ ଅନାବନା ଗଛ ଓ ଦଳରେ ଭର୍ତ୍ତି ହୋଇଯାଇଥିବା ବେଳେ ବଳକା ଅଂଶକୁ ଲୋକେ ବେଆଇନ୍ ଭାବେ ଅକ୍ତିଆର କରି ନେଇଛନ୍ତି । ଫଳସ୍ୱରୂପ କେନାଲ୍ ପାଶ୍ୱର୍ବତୀ ଲୋକେ ବିପଦରେ ପଡ଼ିଛନ୍ତି ।
ମିଳିଥିବା ସୂଚନା ଅନୁସାରେ କାଁସାର୍, ପୁରୁଷୋତ୍ତମପୁର, ଆଇଡା, ଗଣ୍ଡାଖିଆ, କେନାଲ୍ ପାଶ୍ୱର୍ବର୍ତ୍ତୀ ପଞ୍ଚାୟତ ଆଦିର ଲୋକମାନେ ୭୦ ହଜାର ଜମିର ଜଳସେଚନ ପାଇଁ ଏହି କେନାଲ୍ ଉପରେ ନିର୍ଭର କରିଥାନ୍ତି ।
ବର୍ତ୍ତମାନ କେନାଲରେ ଦଳ ଜମି ଯାଇଥିବାରୁ ଓ ଲୋକମାନଙ୍କ ଦ୍ୱାରା ବେଆଇନ୍ ଭାବେ କେନାଲରେ କନଷ୍ଟ୍ରକ୍ସନ୍ କାମ ଚାଲିଥିବାରୁ ଜଳ ପ୍ରବାହ ବନ୍ଦ ହୋଇଯାଇଛି ।
ଫଳରେ ଦୀର୍ଘ ବର୍ଷର ଏହି ପୁରୁଣା କେନାଲ୍ ଏବେ ଧୀରେ ଧୀରେ ମରିବାକୁ ବସିଲାଣି ।
ଏହି କେନାଲର ପୁନରୁଦ୍ଧାର ପାଇଁ ଅନେକ ପ୍ରକଳ୍ପ ଆସିଥିଲେ ବି ତାହା କାର୍ଯ୍ୟକାରୀ ହୋଇପାରିନି ବୋଲି କାଁସରର ପ୍ରଦ୍ୟୁମ୍ନ ନାୟକ କହିଛନ୍ତି ।
ଏ ବାବଦରେ କେନ୍ଦ୍ରପଡା ଅଞ୍ଚଳର ମତ୍ସ୍ୟଜୀବୀ ନିତ୍ୟାନନ୍ଦ ବେହେରା କହିଛନ୍ତି ପିଲାବେଳୁ ମୁଁ କେନାଲକୁ ଦେଖୁଛି । ସେତେବେଳେ ଆମେ ଏହି କେନାଲରୁ କେତେ ମାଛ ଧରୁଥିଲୁ ।
ହେଲେ ଏବେ ବେଆଇନ୍ ଗୃହନିର୍ମାଣ ଓ ଅନ୍ୟାନ୍ୟ କାମ ପାଇଁ ଏହା ମରିବାକୁ ବସିଲାଣି । କେନାଲରେ ହୋଇଥିବା ଦଳ ଉଠାଇଦେବାକୁ ଆମେ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅନୁରୋଧ କରିଥିଲେ ବି କିଛି ସୁଫଳ ମିଳିନି ।
ଏ ବାବଦରେ କେନ୍ଦ୍ରାପଡ଼ା ଜିଲ୍ଲା ଜଳସେଚନ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପ୍ରବୋଧ୍ କୁମାର ରାଉତଙ୍କ ସହ ଯୋଗାଯୋଗ କରାଯିବାରେ ସେ କହିଛନ୍ତି କେନ୍ଦ୍ରାପଡ଼ା ସହରର ଅନେକ ଛୋଟବଡ କେନାଲ୍ ଏହି ମୁଖ୍ୟ କେନାଲ୍ ସହ ସଂଯୋଗ ହୋଇଛି ।
ଛୋଟ କେନାଲ୍ ଗୁଡ଼ିକ ସଫା କରାଯାଉନଥିବାରୁ ତାହାଦ୍ୱାରା ଅଳିଆ ଆବର୍ଜନା ଆସି ମୁଖ୍ୟ କେନାଲ୍ରେ ପଡ଼ିଥାଏ । ତେଣୁ ଦିନକୁ ଦିନ ଏହା ପୋତି ହୋଇଯାଉଛି ।
ଗତବର୍ଷ ଆମେ କେନାଲ ସଫା କରିବାକୁ ୨୬ କୋଟି ମାଗିଥିଲୁ । ଯାହାକି ଏ ଯାଏଁ ମିଳିନି । ଥରେ ଟଙ୍କା ମିଳିବା ପରେ ଆମେ କେନାଲର ନବୀକରଣ କାମ କରିବୁ ।
ଏ ବାବଦରେ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ଖୁବ୍ ଶୀଘ୍ର ଆମେ କେନାଲର ଉଭୟ ପାଶ୍ୱର୍ରେ ବେଆଇନ୍ ଭାବେ କରାଯାଇଥିବା ନିର୍ମାଣ କାମକୁ ଭାଙ୍ଗିଦେବୁ ।
ଯେଉଁମାନେ ଏଭଳି କାମ କରିଛନ୍ତି ତାଙ୍କ ବିରୋଧରେ ଆଗାମୀ ଦିନରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
କେନ୍ଦ୍ରାପଡ଼ା ନାଗରିକ ଫୋରମ୍ ଉପ ସଭାପତି ଅମରବର ବିଶ୍ୱାଳ କହିଛନ୍ତି ୧୮୭୦ ମସିଆରେ ଏହି କେନାଲ୍ ନିର୍ମାଣ କରାଯାଇଥିଲା ।
ରାଜାରାଜୁଡ଼ା ଅମଳରେ ଏହା ନାଭିଗେସନ୍ ପାଇଁ ବ୍ୟବହାର କରାଯାଉଥିଲା । ଧୀରେ ଧୀରେ ସଡ଼କ ପରିବହନ ଆରମ୍ଭ ହେବା ପରେ ଡଙ୍ଗା ଯିବା ଆସିବା ବନ୍ଦ ହୋଇଗଲା ।
ଅନେକ ଲୋକ କେନାଲ୍ ସହ ନିଜର ଶୌଚାଳୟର ପାଇପ୍ ଆଣି ସଂଯୋଗ କରିଦେଲେ । ସବୁ ଜାଣିବି ବିଭାଗୀୟ ଅଧିକାରୀ ଓ ମୁ୍ୟନିସିପାଲଇଟି ଅଧିକାରୀମାନେ ଚୁପ୍ ରହିଲେ ।
ଫଳରେ କେନାଲ୍ ପୋତି ହୋଇଗଲା । ଏବେ ଏହାର ପୁନରୁଦ୍ଧାର ହେବା ଖୁବ୍ ଜରୁରି ହୋଇପଡ଼ିଛି ।
ଲୋକାଲ ୱାୟାର
Leave a Reply