କଟକ,ମାର୍ଚ୍ଚ ୧ (ଲୋକାଲ ୱାୟାର): ବିଶିଷ୍ଟ ପ୍ରକାଶକ ତଥା ପ୍ରତିଷ୍ଠିତ ଓଡିଆ ପୁସ୍ତକ ପ୍ରକାଶନ ସଂସ୍ଥା ଗ୍ରନ୍ଥମନ୍ଦିରର ମୁଖ୍ୟ ସଞ୍ଚାଳକ ଅଭିରାମ ମହାପାତ୍ରଙ୍କର ୮୭ ବର୍ଷ ବୟସରେ ରବିବାର ସକାଳେ ଏଠାରେ ଏକ ଘରୋଇ ଡାକ୍ତରଖାନାରେ ପରଲୋକ ହୋଇଥିବା ତାଙ୍କ ପରିବାର ସଦସ୍ୟ କହିଛନ୍ତି।
ସେ କିଛି ଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ। ତାଙ୍କ ଶେଷ ଶଯ୍ୟା ନିକଟରେ ୪ କନ୍ୟା, ଜ୍ବାଇଁ ଡିଏଭିପିର ପ୍ରାକ୍ତନ ନିର୍ଦ୍ଦେଶକ ଉମାକାନ୍ତ ମିଶ୍ର, ୩ ପୁଅ ମନୋଜ,ଆଦିତ୍ୟ ଓ ତପନ, ନାତିନାତୁଣୀମାନେ ଉପସ୍ଥିତ ଥିଲେ।
ତାଙ୍କ ପରଲୋକ ଖବର ପାଇ ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ରାମାଶିଷ ହାଜରାଙ୍କ ସମେତ ବହୁ ପଦାଧିକାରୀ, ବିଶିଷ୍ଟ ଲେଖକ, ପ୍ରକାଶକ,ପାଠକ,ସ୍ଥାନୀୟ ଜନସାଧାରଣ ଓ ଆତ୍ମୀୟ ସ୍ବଜନ ତାଙ୍କ ସୂତାହାଟସ୍ଥିତ ବାସଭବନରେ ପହଞ୍ଚି ତାଙ୍କର ଶେଷ ଦର୍ଶନ କରିଥିଲେ।
କଟକ ସତୀଚୌରା ଠାରେ ତାଙ୍କର ଶେଷକୃତ୍ୟ ସାମାପିତ ହୋଇଯାଇଛି।
୧୯୩୩ ମସିହା ମାର୍ଚ୍ଚ ୩୦ ତାରିଖରେ ଅଭିରାମ ବାଣପୁର କୁମାରାଙ୍ଗ ଶାସନରେ ପିତା ଶ୍ରୀଧର ମହାପାତ୍ର ଓ ମାତା ଗୌରୀ ଦେବୀଙ୍କ ଠାରୁ ଜନ୍ମ ଗ୍ରହଣ କରିଥିଲେ।
ପିତା ଶ୍ରୀଧର ମହାପାତ୍ରଙ୍କ ପ୍ରତ୍ୟେକ୍ଷ ପ୍ରେରଣା ଓ ନିଜସ୍ବ ଅଧ୍ୟବସାୟ ବଳରେ ସେ ପୁସ୍ତକ ପ୍ରକାଶନ ସଂସ୍ଥା ଗ୍ରନ୍ଥମନ୍ଦିରକୁ ଏକ ପ୍ରମୁଖ ଅନୁଷ୍ଠାନରେ ପରିଣତ କରିଥିଲେ।
ସେ ନିଜର ନିଷ୍ଠା, ସାଧୁତା ଓ ଉତ୍ତମ ବ୍ୟବହାର ଯୋଗୁ ଉଭୟ ଲେଖକ ଓ ପାଠକଙ୍କର ପ୍ରିୟ ଭାଜନ ହୋଇପାରିଥିଲେ।
ଲୋକାଲ ୱାୟାର
Leave a Reply